ଟୋକିଓ: ଆଜି ୫୩ କେଜି କ୍ବାର୍ଟର୍-ଫାଇନାଲ୍ରେ ଆଜି ଭାରତୀୟ କୁସ୍ତି ଖେଳାଳି ବିନେଶ ଫୋଗାଟ୍ ବେଲାରୁସ୍ର ବାନେସା କାଲାଦଜିନ୍ସକାୟାଙ୍କ ଠାରୁ ୧-୪ରେ ପରାସ୍ତ ହୋଇଛନ୍ତି। ଏଥିସହ ସେ କେବଳ ସ୍ବର୍ଣ୍ଣପଦକ ଆଶାରୁ ବଞ୍ଚିତା ହୋଇ ନାହାନ୍ତି, ପ୍ରତିଯୋଗିତାରୁ ବିତାଡ଼ିତ ହେବାର ଆଶଙ୍କା ମଧ୍ୟ ଦେଖାଦେଇଛି।
ୟୁରୋପୀୟ ଚାମ୍ପିଅନ୍ ଏଭଳି ନିପୂଣା ଭାବେ ତାଙ୍କର କ୍ରୀଡ଼ାକୌଶଳ ପ୍ରଦର୍ଶନ କଲେ ଯେ, ଯେତେ ଉଦ୍ୟମ କଲେ ମଧ୍ୟ ବିନେଶ ତାଙ୍କ କବଳରୁ ମୁକ୍ତ ହୋଇ ପାରିଲେ ନାହିଁ। ତାଙ୍କ ଅକ୍ତିଆରରେ ଥାଇ ବିନେଶ ଏକପ୍ରକାର ନିରୂପାୟ ହୋଇପଡ଼ିଲେ। ବିନେଶ ବାନେସାଙ୍କ ପଛପଟକୁ ଯାଇ ମଧ୍ୟ ତାଙ୍କ ଆଣ୍ଠୁକୁ ଭୂଇଁରେ ମାଡ଼ି ଲଗାଇ ପାରିଲେ ନାହିଁ। ଅସୀମ ଶକ୍ତି ପ୍ରଦର୍ଶନ କରି ବାନେସା ଦୃଢ଼ ଭାବେ ଠିଆ ହୋଇ ରହିଥିଲେ। ପ୍ରସିଦ୍ଧ ‘ଡବଲ୍-ଲେଗ୍ ଆଟାକ୍’ କରି ମଧ୍ୟ ବିନେଶ ବାନେସାଙ୍କୁ ଅକ୍ତିଆର କରି ପାରିଲେନାହିଁ।
ଏହା ପୂର୍ବରୁ ବିନେଶ ରିଓ ଅଲିମ୍ପିକ୍ କାଂସ୍ୟପଦକ ବିଜୟିନୀ ସୋଫିଆ ମ୍ୟାଟ୍ସନ୍ଙ୍କୁ ପ୍ରଶଂସନୀୟ ୭-୧ ପରାସ୍ତ କରି କ୍ବାର୍ଟର୍-ଫାଇନାଲ୍କୁ ଉତ୍ତୀର୍ଣ୍ଣ ହୋଇଥିଲେ।
ଆଜି ଅନ୍ୟତମ ମହିଳା କୁସ୍ତି ଖେଳାଳି ଅଂଶୁ ମଲିକ ମଧ୍ୟ ପ୍ରତିଯୋଗିତାରେ ପରାସ୍ତ ହୋଇଛନ୍ତି।