ମୁମ୍ବାଇ, ୧୫ା୫: ଆସନ୍ତା ମାସରେ ଭାରତୀୟ କ୍ରିକେଟ୍ ଦଳ ଇଂଲଣ୍ଡ ଗସ୍ତ କରି ପ୍ରଥମେ ନ୍ୟୁଜିଲାଣ୍ଡ୍ ବିପକ୍ଷରେ ଆଇସିସି ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ ଖେଳିବ। ସାଉଥମ୍ପଟନ୍ରେ ଜୁନ୍ ୧୮ରୁ ୨୨ ତାରିଖ ମଧ୍ୟରେ ଏହା ଖେଳାଯିବ। ଭାରତୀୟ ଦଳକୁ ସମ୍ପୂର୍ଣ୍ଣ ସୁରକ୍ଷିତ ଭାବେ ଇଂଲଣ୍ଡ ପଠାଇବା ଲାଗି ବିସିସିଆଇ ଏବେଠାରୁ ଲାଗି ପଡ଼ିଛି। ମେ’ ୧୯ ତାରିଖରୁ ଭାରତୀୟ ଦଳ ମୁମ୍ବାଇରେ ଏକାଠି ହୋଇଯିବେ। ଏହା ପୂର୍ବରୁ ପ୍ରତି ଖେଳାଳି ଆର୍ଟି-ପିସିଆର୍ ଟେଷ୍ଟ୍ କରିବେ। ସମସ୍ତଙ୍କ ରିପୋର୍ଟ ନେଭେଟିଭ୍ ଆସିବା ପରେ ଭାରତୀୟ ଦଳ ମୁମ୍ବାଇରେ ୧୪ ଦିନିଆ ସଙ୍ଗରୋଧରେ ରହି ଜୁନ୍ ୨ ତାରିଖରେ ଲଣ୍ଡନ୍ ଗସ୍ତ କରିବ। ଗସ୍ତ ପୂର୍ବରୁ ପ୍ରତି ଭାରତୀୟ ଖେଳାଳି ପ୍ରଥମ ଡୋଜ୍ ଟିକା ନେଇଯିବେ ଏବଂ ଇଂଲଣ୍ଡରେ ଦ୍ବିତୀୟ ଡୋଜ୍ ନେବେ। ତେବେ ସେଠାକାର ଦ୍ବିତୀୟ ଡୋଜ୍ ପୂର୍ବରୁ ଭାରତୀୟ ଖେଳାଳିଙ୍କ ପ୍ରଥମ ଡୋଜ୍ ବ୍ରିଟେନ୍ ସରକାରଙ୍କ ଅନୁମୋଦିତ କି ନୁହେଁ ବିସିସିଆଇ ସ୍ପଷ୍ଟ ହେବ।
ପୂର୍ବରୁ ବିସିସିଆଇ ଏକ ୨୦ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ସେମାନଙ୍କ ମଧ୍ୟରୁ କେଏଲ୍ ରାହୁଲ ଏବଂ ଋଦ୍ଧିମାନ ସାହାଙ୍କ ଲାଗି ଫିଟନେସ୍ ସର୍ତ୍ତ ରଖାଯାଇଛି। ସେହିଭଳି ପ୍ରସିଦ୍ଧ କୃଷ୍ଣ, ଅଭେସ୍ ଖାନ୍, ଅର୍ଜନ୍ ନଗୱାସୱାଲାଙ୍କୁ ସଂରକ୍ଷିତ ତାଲିକାରେ ରଖାଯାଇଛି। ଦଳ ଘୋଷଣା ପରେ ପ୍ରସିଦ୍ଧ କୃଷ୍ଣ କୋଭିଡ୍ ପଜିଟିଭ୍ ବାହାରିଥିଲେ ମଧ୍ୟ ଠିକଣା ସମୟ ବେଳକୁ ସେ ଫିଟ୍ ହୋଇଯାଇଥିବେ ବୋଲି ଆଶା କରାଯାଉଛି। ସେହିଭଳି ଋଦ୍ଧିମାନ ସାହା ମଧ୍ୟ କୋଭିଡ୍ ମୁକ୍ତ ହୋଇଯାଇଥିଲେ ଦଳ ସହ ଯାଇପାରିବେ।
ଭାରତୀୟ ଦଳ: ରୋହିତ ଶର୍ମା, ଶୁଭମନ ଗିଲ୍, ମୟଙ୍ ଅଗ୍ରୱାଲ, ଚେତେଶ୍ବର ପୂଜାରା, ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ (ଉପ ଅଧିନାୟକ), ହନୁମା ବିହାରୀ, ଋଷଭ ପନ୍ତ୍ (ୱିକେଟରକ୍ଷକ), ଆର୍ ଅଶ୍ବିନ୍, ରବୀନ୍ଦ୍ର ଜାଦେଜା, ଅକ୍ଷର ପଟେଲ୍, ୱାସିଂଟନ୍ ସୁନ୍ଦର, ଯଶପ୍ରୀତ୍ ବୁମରା, ଈଶାନ୍ତ ଶର୍ମା, ମହମ୍ମଦ ସାମି, ମହମ୍ମଦ ସିରାଜ, ଶାର୍ଦୁଳ ଠାକୁର, ଉମେଶ ଯାଦବ, କେଏଲ୍ ରାହୁଲ, ଋଦ୍ଧିମାନ ସାହା।