ଭୁବନେଶ୍ବର ୦୩।୦୭ : ଏବେ ଚାରିଆଡେ ଟୁଙ୍ଗୁରୁ-ବର୍ଷାଙ୍କ ପ୍ରେମକାହାଣୀ । ଗାଁଠୁ ସହର ଯାଏଁ ସବୁଆଡେ ଚର୍ଚ୍ଚା । ଉଭୟଙ୍କୁ ନେଇ ସୋସିଆଲ୍ ମିଡିଆରେ ଘୁରି ବୁଲୁଛି ବିଭିନ୍ନ ବ୍ୟଙ୍ଗାତ୍ମକ ଶଦ୍ଦ ଏବଂ ଫଟୋ । ଏହା ସହ କିଛି ସଙ୍ଗୀତ ନିର୍ଦ୍ଦେଶକମାନେ ଟୁଙ୍ଗୁରୁ ଓ ବର୍ଷାକୁ ନେଇ ଜାରି ରଖିଛନ୍ତି ନିଜର ଆଲବମ୍ । ଯାହାକୁ ନେଇ ରାଜରାସ୍ତାରେ ଏବେ ମହିଳାମାନଙ୍କୁ କମେଣ୍ଟର ଶିକାର ହେବାକୁ ପଡ଼ୁଛି । ଖାଲି ମହିଳା ନୁହେଁ ଅଟୋ ଡ୍ରାଇଭରମାନେ ମଧ୍ୟ ଏବେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାଫଳରେ ତାଙ୍କର ରୋଜଗାରରେ ବାଧା ସୃଷ୍ଟି ହେଉଥିବା ନଜର ଆସୁଛି ।
ଏପିରିକି ରାସ୍ତାଘାଟରେ ବିଭିନ୍ନ କମେଣ୍ଟ ମଧ୍ୟ ଶୁଣିବାକୁ ମିଳୁଛି । ଉଭୟଙ୍କ ପ୍ରେମ କାହାଣୀକୁ ନେଇ ନିର୍ମିତ ହେଉଥିବା ଗୀତକୁ ଆଧାର କରି ରାଜରାସ୍ତାରେ ବାଟ ଚାଲି ପାରୁନାହାନ୍ତି । ଯାହାକୁ ବିରୋଧ କରି ସ୍ମାର୍ଟ ସିଟି ଅନଲାଇନ ଅଟୋ ଗ୍ରୁପ ଏବେ ଆଗକୁ ଆସିଛି । ଏ ନେଇ ଅଟୋ ଗ୍ରୁପର ଅଧ୍ୟକ୍ଷ ଦୀନବନ୍ଧୁ ନାୟକ କହିଛନ୍ତି ଯେ, ଟୁଙ୍ଗୁରୁ ଲାଗି ଅଟୋ ଡ୍ରାଇଭରମାନଙ୍କ ମାନ ସମ୍ମାନ ଉପରେ ଆଘାତ ଲାଗିଛି । ଟୁଙ୍ଗୁରୁ ଭୋଳକୁ ରାତାରାତି ଷ୍ଟାର ବନାଇ ଓଡ଼ିଆ ଜାତି ପାଇଁ କଳଙ୍କିତ ଅଧ୍ୟାୟ ସୃଷ୍ଟି କରୁଛନ୍ତି ଆଲବମ୍ ନିର୍ମାତାମାନେ । ସ୍ମାର୍ଟସିଟି ଅନଲାଇନ ଅଟୋ ଗ୍ରୁପର ପ୍ରତ୍ୟେକ ଡ୍ରାଇଭର ଭାଇମାନେ ଏହି ଗୀତ ଦ୍ବାରା ନିଜକୁ ଅତି ଲଜ୍ଜିତ ଓ ଅପମାନିତ ମନେ କରୁଛନ୍ତି । ସମାଜସେବା କ୍ଷେତ୍ରରେ ଡ୍ରାଇଭର ଭାଇମାନେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ଉଦାହରଣ ସୂରୁପ ବିନା ମୂଲ୍ୟରେ ରକ୍ତ ଦେଇ ରୋଗୀର ଜୀବନ ବଞ୍ଚାଇବା, ଦୁର୍ଘଟଣା ଗସ୍ତ ରୋଗୀକୁ ଡାକ୍ତରଖାନାରେ ପହଞ୍ଚାଇବା ଭଳି କାମ କରୁଛନ୍ତି ।
ମାତ୍ର ବର୍ଷା ଓ ଟୁଙ୍ଗୁରୁକୁ ନେଇ ଗୀତ ହେବା ପରେ ରାସ୍ତାରେ ଅଟୋ ଚଳାଇବାବେଳେ ଟାହି ଟାପରା ଓ ଆକ୍ରୋଶର ଶିକାର ହେବାକୁ ପଡ଼ୁଛି । ଯାହାଦ୍ବାରା ରୋଜଗାର କରିବା ମଧ୍ୟ ଅସମ୍ଭବ ହୋଇପଡ଼ିଛି । ଏଣୁ ଏଭଳି ସମସ୍ୟା ଉପରେ ତଦନ୍ତ କରି ଗୀତ ଗୁଡ଼ିକୁ ବନ୍ଦ କରିବା ଏବଂ ଉଭୟଙ୍କୁ ଗିରଫ କରିବାକୁ ସ୍ମାର୍ଟସିଟି ଅନଲାଇନ ଅଟୋ ଚାଳକ ଗ୍ରୁପ ଦାବି କରିଛି । ଏ ନେଇ ରବିବାର ବିଭିନ୍ନ ଥାନାରେ ଦାବିପତ୍ର ଦେବେ ବୋଲି ଶ୍ରୀ ନାୟକ କହିଛନ୍ତି ।