ଢାକା: ବାଂଲାଦେଶ ବ୍ୟାଟର ତମିମ ଇକ୍ବାଲଙ୍କ ଅଚାନକ ଅବସର ଘୋଷଣା। ରବିବାର(ଜୁଲାଇ ୧୭)ତତ୍କାଳ ପ୍ରଭାବରେ ଟି-୨୦ରୁ ଅବସର ଗ୍ରହଣ କଲେ ତମିମ ଇକବାଲ। ଗୁୟାନା ଷ୍ଟାଡିୟମ୍ରେ ବାଂଲାଦେଶ ୱେଷ୍ଟଇଣ୍ଡିଜ୍କୁ ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ୍ରେ ୪ୱିକେଟ୍ରେ ପରାସ୍ତ କରିବା ପରେ ହଠାତ୍ ଅବସର ଘୋଷଣା କରିଛନ୍ତି ତମିମ ଇକବାଲ। ଏନେଇ ସେ ତାଙ୍କ ଫେସ୍ବୁକରେ ପୋଷ୍ଟରେ ସୂଚନା ଦେଇଛନ୍ତି।
ଫେସ୍ବୁକରେ ପୋଷ୍ଟ କରି ସେ ଲେଖିଛନ୍ତି “ଆଜିଠାରୁ ମୁଁ ଟି-୨୦ରୁ ଅବସର ନେଲି ବୋଲି ଭାବନ୍ତୁ। ସମସ୍ତଙ୍କୁ ଧନ୍ୟବାଦ।” ତମିମ ଶେଷଥର ପାଇଁ ମାର୍ଚ୍ଚ ୨୦୨୦ରେ ଜିମ୍ବାୱେ ବିରୋଧରେ ଘରୋଇ ପଡ଼ିଆ ଟି-୨୦ ମ୍ୟାଚ୍ ଖେଳିଥିଲେ। ଏହାପରେ ଆହତ ଓ ଅନ୍ୟାନ୍ୟା କାରଣରୁ ସେ ଟି-୨୦ରୁ ଦୂରେଇ ରହିଥିଲେ। ବାମହାତୀ ବ୍ୟାଟର ତମିମ ଇକବାଲଙ୍କୁ ୟୁଏଇର ଓମାନରେ ୨୦୨୧ରେ ହୋଇଥିବା ଟି-୨୦ ବିଶ୍ୱକପ୍ରୁ ବି ବାଦ ଦିଆଯାଇଥିଲା।
ତମିମ ଇକବାଲଙ୍କ ଟି-୨୦ କ୍ୟାରିୟର-
ତମିମ ତାଙ୍କ କ୍ୟାରିୟରରେ ୭୮ ଟି-୨୦ ମ୍ୟାଚ୍ ଖେଳିଥିବା ବେଳେ ୨୪.୦୮ ହାରରେ ୧୭୫୮ ରନ୍ କରିଛନ୍ତି। ତାଙ୍କ ଷ୍ଟ୍ରାଇକ୍ ରେଟ୍ ୧୧୬.୯୬ ରହିଛି। ଏଥିରେ ତାଙ୍କର ଗୋଟିଏ ଶତକ ଓ ୭ଟି ଅର୍ଦ୍ଦଶତକ ରନ୍ ସାମିଲ୍ ରହିଛି। ତା ସହ ବାଂଲାଦେଶର ପ୍ରଥମ ବ୍ୟାଟର ଭାବେ ତମିମ ଟି-୨୦ରେ ଶତକ ହାସଲ କରିଛନ୍ତି। ତାଙ୍କ ପୂର୍ବରୁ କୌଣସି ବ୍ୟାଟର ଟି-୨୦ରେ ଏପର୍ଯ୍ୟନ୍ତ ଶତକ ମାରିପାରି ନାହାନ୍ତି। ଟି-୨୦ ବିଶ୍ୱକପ୍ରେ ଓମାନ ବିରୋଧରେ ଭାରତରେ ମ୍ୟାଚ୍ ଖେଳି ସେ ଏହି ଶତକ ହାସଲ କରିଥିଲେ। ବର୍ତ୍ତମାନର କ୍ୟାପ୍ଟେନ୍ ମହମୁଦୁଲ୍ଲାହ ରିୟାଦ ଓ ଟେଷ୍ଟ କ୍ୟାପ୍ଟେନ୍ ଶକିବ ଅଲ ହସନଙ୍କ ପରେ ଟି-୨୦ ଫର୍ମାଟ୍ରେ ତମିମ ତୃତୀୟ ସର୍ବାଧିକ ରନ୍ କରିଛନ୍ତି।
୨୦୧୭ ସେପ୍ଟେମ୍ବର ମାସରେ ତମିମ ଇକବାଲ ୧୮ ବର୍ଷରେ ଟି-୨୦ରେ ଡେବ୍ୟୁ କରିଥିଲେ। ସେବେଠାରୁ ସେ ତିନୋଟି ଫର୍ମାଟ୍ରେ ସୁନ୍ଦର ଖେଳ ପ୍ରଦର୍ଶନ ଜାରି ରଖିଛନ୍ତି। ଟି-୨୦ରୁ ଅବସର ନେଇଥିଲେ ବି ତମିମ ଦିନିକିଆ ଓ ଟେଷ୍ଟ ଖେଳିବା ଜାରି ରଖିବେ। ଦିନିକିଆରେ ମଧ୍ୟ ବାଂଲାଦେଶର ପ୍ରଥମ ବ୍ୟାଟର ଭାବେ ତମିମ ଇକବାଲ ୮ ହଜାର ରନ ପୂରା କରିବାକୁ ମାତ୍ର ୫୭ ରନ୍ ପଛରେ ଅଛନ୍ତି। ମୋଟରେ ସେ କ୍ରିକେଟ୍ର କ୍ୟାରିୟରରେ ୧୪୦୦୦ ରନ୍ ପୂରା କରିଥିବା ବେଳେ ସେଥିରେ ୨୫ ଶତକ ଓ ୯୧ ଅର୍ଦ୍ଧଶତକ ରହିଛି।