ବଲାଙ୍ଗୀର ୧୨/୦୪ : ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ପବିତ୍ର ମାସ ବୋଲି କୁହାଯାଏ। ଶ୍ରାବଣ ମାସରେ ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥାଏ। ଏହି ପବିତ୍ର ମାସରେ ଶିବଲିଙ୍ଗରେ ଜଳାଭିଷେକ କଲେ ସବୁ ମନୋସ୍କାମନା ପୂରଣ ହୋଇଥାଏ ବୋଲି କୁହାଯାଏ। ଶ୍ରବଣ ମାସରେ କାଉଡିଆ ଯାତ୍ରା ଆରମ୍ଭ ହୋଇଥାଏ। ଭାରତରେ ଅନେକ ପୁରାତନ ଓ ରହସ୍ୟମୟ ଶିବ ମନ୍ଦିର ରହିଛି। ଏହି ମନ୍ଦିରରେ ଦର୍ଶନ କଲେ ଭାଗ୍ୟ ଖୋଲିଯାଏ ବୋଲି ବିଶ୍ୱାସ ରହିଛି। ବିଶେଷ କରି ଶ୍ରାବଣ ଓ କାର୍ତ୍ତିକ ମାସରେ ଏହି ମନ୍ଦିରରେ ଶିବଙ୍କୁ ଦର୍ଶନ କଲେ ବିଶେଷ କୃପା ପ୍ରାପ୍ତ ହୋଇଥାଏ। ଭାରତରେ ଏମିତି ଏକ ଶିବ ମନ୍ଦିର ଅଛି ଯାହାର ରହସ୍ୟ ସମସ୍ତଙ୍କୁ ଚକିତ କରିଦେଇଥାଏ। ଏମିତି ମନ୍ଦିରର ରହସ୍ୟ ନା ପୁରାତତ୍ତ୍ୱ ବିଭାଗ ଜାଣିପାରିଛି ନା ବୈଜ୍ଞାନିକ।

ଓଡିଶା ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରେ ଅବସ୍ଥିତ ଏହି ଶିବ ମନ୍ଦିର ଆଜି ବି ରହସ୍ୟମୟ। ଟିଟିଲାଗଡ଼ ରାଜ୍ୟର ସବୁଠାରୁ ଗରମ ସହର। ଏଠାରେ ଖରା ବି ଅଧିକ ହୁଏ ଓ ଗରମ ମଧ୍ୟ ଅଧିକ ହୁଏ। ସେଥିପାଇଁ ଟିଟିଲାଗଡ଼କୁ ତତଲାଗଡ ମଧ୍ୟ କୁହାଯାଏ। ଟିଟିଲାଗଡ଼ କୁମୁଡା ପାହାଡ଼ରେ ରହିଛି ଶିବ-ପାର୍ବତୀଙ୍କ ଏହି ମନ୍ଦିର। ପାହାଡ ଉପରେ ଥିବାରୁ ଏଠାରେ ଭୀଷଣ ଗରମ ହୁଏ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ମନ୍ଦିର ବାହାରେ ଯେତେ ଗରମ ହେଲେ ବି ମନ୍ଦିର ଭିତର ଏସି ଭଳି ଥଣ୍ଡା। ଭିତରେ ଟିକିଏ ହେଲେ ଗରମର ପ୍ରଭାବ ଦେଖିବାକୁ ମିଳେନି। ବାହାରେ ଟିକିଏ ସମୟ ଛିଡା ହେବା ବି ଭକ୍ତଙ୍କ ପାଇଁ ମୁସକିଲ ହୋଇଯାଏ। କିନ୍ତୁ ମନ୍ଦିର ଭିତରକୁ ପ୍ରବେଶ କରୁ କରୁ ଥଣ୍ଡା ଅନୁଭୂତ ହୋଇଥାଏ।
ମନ୍ଦିର ପୂଜାରୀ କୁହନ୍ତି ଯେ ମନ୍ଦିରରେ ସ୍ଥାପିତ ଦେବାଦେବୀଙ୍କ ପ୍ରତିମା ଯୋଗୁଁ ଭିତରେ ଥଣ୍ଡା ଅନୁଭୂତ ହୋଇଥାଏ। ଭଗବାନ ଭୋଲେନାଥ ଓ ମାତା ପାର୍ବତୀଙ୍କ ମୂର୍ତ୍ତିରୁ ଥଣ୍ଡା ପବନ ଆସିଥାଏ ଯାହା ମନ୍ଦିର ବାତାବରଣକୁ ଥଣ୍ଡା ରଖିଥାଏ।

ଥଣ୍ଡା ବାତାବରଣ କେବଳ ମନ୍ଦିର ଯାଏଁ ହିଁ ସୀମିତ। ତେବେ ଏହା ପଛରେ କଣ ରହସ୍ୟ ରହିଛି ତାକୁ ଜାଣିବାକୁ ବହୁତ ପ୍ରୟାସ ହୋଇଛି। କିନ୍ତୁ ଏଜି ଯାଏଁ ତାର ନିଷ୍କର୍ସ ବାହାରି ପାରିନାହିଁ। ଆଜି ବି ଏହା ରହସ୍ୟ ଘେରରେ ରହିଛି ଯେ କାହିଁକି ବାହାରେ ଏତେ ଗରମ ପରିବେଶ ଥିଲେ ବି ଭିତର ବାତାବରଣ ଏତେ ଥଣ୍ଡା। କିଛି ଲୋକ ଏହାକୁ ଚମତ୍କାର କହୁଥିବା ବେଳେ କିଛି ଅନ୍ଧବିଶ୍ୱାସ ମଧ୍ୟ କୁହନ୍ତି।

