ବର୍ମିଂହାମ,୨୧/୦୩: ଭାରତର ଉଦୀୟମାନ ବ୍ୟାଡମିଣ୍ଟନ ତାରକା ଲକ୍ଷ୍ୟ ସେନ୍ଙ୍କ ଅଲ ଇଂଲଣ୍ଡ ସୁପର୧୦୦୦ ବ୍ୟାଡମିଣ୍ଟନ ଟାଇଟଲ ସ୍ୱପ୍ନ ମଉଳି ଯାଇଛି । ଜାଏଣ୍ଟ କିଲର ଭାବେ ପରିଚିତ ଟୁର୍ଣ୍ଣାମେଣ୍ଟରେ ଭାରତର ଲକ୍ଷ୍ୟ ସେନ ରବିବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ ଫାଇନାଲ୍ରେ ଟପ୍ ସିଡ୍ ଡେନ୍ମାର୍କର ଭିକ୍ଟର ଆକ୍ସେଲସେନଙ୍କ ଠାରୁ ପରାଜିତ ହୋଇଥିଲେ । ସପ୍ତାହେ ତଳେ ଅନୁଷ୍ଠିତ ଜର୍ମାନ ଓପନରେ ସେ ଆକ୍ସେଲସେନଙ୍କୁ ହରାଇଥିଲେ । ହେଲେ ବର୍ମିଂହାମ୍ରେ ତାଙ୍କୁ ଟକ୍କର ଦେଇ ପାରି ନଥିଲେ । ଆକ୍ସେଲସେନ୍ ଅତି ସହଜରେ ମ୍ୟାଚ୍ ଜିତିଥିଲେ । ସେ ସିଧା ସଳଖ ୨୧-୧୦, ୨୧-୧୭ ଗେମ୍ରେ ବିଜୟୀ ହୋଇ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଥିଲେ ।
ଲକ୍ଷ୍ୟ ସେମି ଫାଇନାଲ୍ରେ ମାଲେସିଆର ଲି ଜି ଜିଆଙ୍କୁ ସେମି ଫାଇନାଲ୍ରେ ହରାଇବା ପରେ ଭାରତୀୟ ଶିବିରରେ ଆନନ୍ଦର ଲହରି ଖେଳିଯାଇଥିଲା । ୧ଘଣ୍ଟା ୧୬ ମିନିଟ୍ର କଡ଼ା ସଂଘର୍ଷ ପରେ ଲକ୍ଷ୍ୟ ଉକ୍ତ ମ୍ୟାଚ୍କୁ ୨୧-୧୩, ୧୨-୨୧, ୨୧-୧୯ ଗେମ୍ରେ ହରାଇଥିଲେ । ଲି ଥିଲେ ଡିଫେଣ୍ଡିଂ ଚାମ୍ପିଅନ୍ । ଭାରତର ପଞ୍ଚମ ଖେଳାଳି ଭାବେ ଲକ୍ଷ୍ୟ ଅଲ୍ ଇଂଲଣ୍ଡ ବ୍ୟାଡମିଣ୍ଟନ ଚାମ୍ପିଅନ୍ସିପ୍ର ଫାଇନାଲରେ ପ୍ରବେଶ କରିଥିଲେ । ପୂର୍ବରୁ ଆକ୍ସେଲସେନଙ୍କୁ ହରାଇଥିବାରୁ ତୃତୀୟ ଭାରତୀୟ ଭାବେ ଲକ୍ଷ୍ୟ ଟାଇଟଲ ଜିତିବା ଆଶା କରାଯାଉଥିଲା । ଲକ୍ଷ୍ୟଙ୍କ
ପୂର୍ବରୁ ୧୯୪୭ରେ ପ୍ରକାଶ ନାଥ ପ୍ରଥମ ଭାରତୀୟ ଭାବେ ଅଲ୍ ଇଂଲଣ୍ଡ ବ୍ୟାଡମିଣ୍ଟନ୍ ଫାଇନାଲ୍ରେ ପ୍ରବେଶ କରିଥିଲେ । ୧୯୮୦ରେ ପ୍ରଥମ ଭାରତୀୟ ଭାବେ ପ୍ରକାଶ ପାଦୁକୋନ ଅଲ୍ ଇଂଲଣ୍ଡ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଥିଲେ । ସେହିପରି ୨୦୦୧ରେ ପୁଲେଲା ଗୋପିଚାନ୍ଦ ଅଲ୍ ଇଂଲଣ୍ଡ ଚାମ୍ପିଅନ୍ ହୋଇଥିଲେ । ୨୦୧୫ରେ ସାଇନା ନେହୱାଲ୍ ଫାଇନାଲରେ ପ୍ରବେଶ କରିଥିଲେ ହେଁ ଟାଇଟଲ ଜିତିପାରି ନଥିଲେ । ଲକ୍ଷ୍ୟ ଦୀର୍ଘ ୨୧ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇବା ଆଶା କରାଯାଉଥିଲା । ଆକ୍ସେଲସେନ ଗତ ଜର୍ମାନ ଓପନ ପରାଜୟର ପ୍ରତିଶୋଧ ଲକ୍ଷ ନେଇ କୋର୍ଟକୁ ଓହ୍ଲାଇଥିଲେ । ଗେମ୍ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆକ୍ସେଲସେନଙ୍କ ଆଧିପତ୍ୟ ଜାରି ରହିଥିଲା ।