ଲଣ୍ଡନ: ମାସକୁ ୧୦,୦୦୦ ପାଉଣ୍ଡ୍ (ଭାରତୀୟ ମୁଦ୍ରାରେ ୧୦ ଲକ୍ଷ ଟଙ୍କା) ଲେଖାଏଁ ଆଗାମୀ ୩୦ ବର୍ଷ ପର୍ଯ୍ୟନ୍ତ ପାଇବା ଲାଗି ‘ଲାଇଫ୍ ଲଟେରି ଟିକେଟ୍’ କିଣି ବିଜୟୀ ହୋଇିଲେ ମଧ୍ୟ ଉକ୍ତ ବ୍ୟକ୍ତି ତାହା ଜାଣି ପାରି ନ ଥିବା କଥା ଇଂଲଣ୍ଡ୍ର ଏକ ଲଟେରି କମ୍ପାନି କହିଛି।
ସଂଗୃହୀତ ସୂଚନା ଅନୁସାରେ, ବ୍ୟକ୍ତିଜଣକ କିଣିଥିବା ‘ନ୍ୟାସ୍ନାଲ୍ ଲଟେରି’ର ଉକ୍ତ ‘ଲାଇଫ୍ ଟିକେଟ୍’ର ଉଠାଣ ୨୦୨୩ ମେ ୧୮ ତାରିଖ ଦିନ ଇଂଲଣ୍ଡ୍ର ଷ୍ଟ୍ରଡ୍ରେ ହୋଇଥିଲା। ଉକ୍ତ ବ୍ୟକ୍ତିଜଣଙ୍କ ଟିକେଟ୍ଟି ପାଞ୍ଚଟି ମୁଖ୍ୟ ନମ୍ବର- ୧୦,୩୨,୩୬,୩୯,୪୩ ସହିତ ମେଳ ଖାଉଥିଲେ ବି ସେ ଅର୍ଥ ଦାବି କରିବାକୁ ଆସୁ ନାହାନ୍ତି।
ନିୟମାନୁସାରେ, ନଭେମ୍ବର ୧୪ ତାରିଖ ସୁଦ୍ଧା ବିଜେତା ତାଙ୍କ ଅର୍ଥ ଦାବି ନ କଲେ ଏହି ଲଟେରି ଅସିଦ୍ଧ ଘୋଷିତ ହେବ। ‘ନ୍ୟାସ୍ନାଲ୍ ଲଟେରି’ କମ୍ପାନି ଆହୁରି ମଧ୍ୟ ସୂଚନା ଦେଇଛି କି, ଯଦି ଉକ୍ତ ବ୍ୟକ୍ତି ଟିକେଟ୍ ହଜାଇ ଦେଇଥାଆନ୍ତି, ତେବେ ସେ ଲିଖିତ ଆକାରରେ ତାଙ୍କର ଅର୍ଥ ଦାବି କରିପାରିବେ। କିନ୍ତୁ, ଉଠାଣ ହେବାର ୩୦ ଦିନ ପର୍ଯ୍ୟନ୍ତ ଉପରୋକ୍ତ ସୁବିଧା ମିଳିଥାଏ।
‘ନ୍ୟାସ୍ନାଲ୍ ଲଟେରି’ କମ୍ପାନିର କର୍ମଚାରୀ ଆଣ୍ଡ୍ରିଉ କାର୍ଟର୍ କହିଛନ୍ତି, ଆମର ଇଚ୍ଛା ବିଜେତା ଆସି ତାଙ୍କ ଅର୍ଥ ଦାବି କରନ୍ତୁ। ଏଇ ବିପୁଳ ଅର୍ଥରାଶି ଜଣକ ଜୀବନର ପରିସ୍ଥିତିକୁ ବଦଳାଇ ଦେଇପାରେ। ତେଣୁ, ଉକ୍ତ ରହସ୍ୟମୟ ଟିକେଟଧାରୀଙ୍କୁ ଆମେ ବିକଳ ହୋଇ ଖୋଜୁଛୁ। ଟିକେଟ୍ ଖରିଦ କରିଥିବା ଏ ଅଞ୍ଚଳବାସୀଙ୍କୁ ଆମେ ଅନୁରୋଧ କରୁଛୁ, ସେମାନେ ନିଜ ନିଜର ପୁରୁଣା ଟିକେଟ୍ ସହିତ ଏହି ନମ୍ବର ମିଳାଇ ଯାଞ୍ଚ କରନ୍ତୁ। ‘ନ୍ୟାସ୍ନାଲ୍ ଲଟେରି’ ଆପ୍ ଜରିଆରେ ଏ କାମ ସୁବିଧାରେ ହୋଇପାରିବ।