ରାଜ୍ୟ ସ୍ପେଶାଲ ରିପୋର୍ଟ

ଝାରସୁଗୁଡ଼ା ଉପନିର୍ବାଚନ: ଝାରସୁଗୁଡ଼ା ବିଜେପି ମଙ୍ଗ ଧରିବେ କିଏ?

ଝାରସୁଗୁଡ଼ା : ଉପନିର୍ବାଚନକୁ ଆଉ ମାତ୍ର ୬ ଦିନ ବାକିଥିବା ବେଳେ ଏହିସମୟରେ ଦଳର ହାତ ଛାଡ଼ି ଦେଲେ ଜିଲ୍ଲା ବିଜେପିର ପୂର୍ବତନ ସଭାପତି ମଙ୍ଗଳ ସାହୁ। ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଏକାନ୍ତ ଅନୁଗତ କୁହାଯାଉଥିବା ଶ୍ରୀ ସାହୁ ଦଳ ବଦଳ କରିବା ପରେ ଏବେ ଝାରସୁଗୁଡ଼ା ବିଜେପିର ମଙ୍ଗ କିଏ ଧରିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବର୍ତ୍ତମାନ ଜିଲ୍ଲା ବିଜେପିରେ ସେଭଳି କୌଣସି ନେତା ଦୃଶ୍ୟମାନ ହେଉନଥିବା ବେଳେ ଦଳ ପୁରୁଣା ନେତାଙ୍କ ଉପରେ ପୁଣିଥରେ ଭରସା କରିବ ନା ନୂଆ ନେତାଙ୍କ ହାତରେ କ୍ଷମତା ଦେବ ସେନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।

ଶ୍ରୀ ସାହୁଙ୍କ ପୂର୍ବରୁ ରାଧାରାଣୀ ପଣ୍ଡାଙ୍କ ହାତରେ ଜିଲ୍ଲା ବିଜେପିର ଚାବିକାଠି ଥିଲା। କିନ୍ତୁ ଚଳିତ ଉପନିର୍ବାଚନ ପ୍ରସ୍ତୁତି ଆରମ୍ଭ ହେବା ପରଠାରୁ ଦିନକ ପାଇଁ ବି ରାଧାରାଣୀ ପଣ୍ଡାଙ୍କୁ ଦେଖିବାକୁ ମିଳିନି। ଏପରିକି ଅନେକ ସମୟରେ ରାଧାରାଣୀଙ୍କ ଅନୁପସ୍ଥିତିକୁ ନେଇ ଆଲୋଚନା ହେଉଥିବା ବେଳେ ସେ ଅସୁସ୍ଥ ଥିବା କହି ଦଳର ବଡ଼ବଡ଼ିଆ ନେତା ଏଡ଼ାଇ ଯାଉଛନ୍ତି। ଏଭଳି ସ୍ଥିତିରେ ରାଧାରାଣୀଙ୍କ ଉପରେ ଦଳ ପୁଣିଥରେ ଜିଲ୍ଲା ବିଜେପି ମଙ୍ଗ ଧରାଇପାରେ। ତାଙ୍କ ପୂର୍ବରୁ ଝାରସୁଗୁଡ଼ା ବିଜେପି ସଭାପତି ଦାୟିତ୍ବରେ ଥିଲେ ବରିଷ୍ଠ ନେତା ଦିନେଶ ଜୈନ୍‌। ଶ୍ରୀ ଜୈନଙ୍କ ଉପରେ ଦଳ ବେଶ୍‌ ଭରସା ବି କରିଥିଲା। ୨୦୧୯ ସାଧାରଣ ନିର୍ବାଚନରେ ଶ୍ରୀ ଜୈନ ବିଜେପି ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରି ୨୦୧୪ ତୁଳନାରେ ‌ବେଶ୍‌ ଭଲ ଭୋଟ୍‌ ବି ପାଇଥିଲେ। ଚଳିତ ଉପନିର୍ବାଚନରେ ବି ଦଳ ତାଙ୍କୁ ଟିକଟ ଦେବା ନେଇ‌ ସେ ଆଶାବାଦୀ ରହିଥିଲେ ବୋଲି ଚର୍ଚ୍ଚା ହେଉଥିଲା। ଏହା ପରଠାରୁ ଶ୍ରୀ ଜୈନ୍‌ଙ୍କୁ ବି କାଁ ଭାଁ ଦେଖିବାକୁ ମିଳୁଛି। ତେଣୁ ଅସନ୍ତୁଷ୍ଟ ଶ୍ରୀ ଜୈନଙ୍କୁ ସନ୍ତୁଷ୍ଟ କରିବାକୁ ଦଳ ପୁଣିଥରେ ତାଙ୍କୁ ଜିଲ୍ଲା ସଭାପତି ଆସନରେ ବସାଇପାରେ ବୋଲି କୁହାଯାଉଛି।

ବିଜେପିର ତର୍ଜମା ଆରମ୍ଭ

ଝାରସୁଗୁଡ଼ା : ଝାରସୁଗୁଡ଼ା ଉପନିର୍ବାଚନରେ ବିଜେପି ଟିକଟ ଘୋଷଣା କରିବା ପରଠାରୁ ଶିବିର ଛାଡ଼ିବାକୁ ଆରମ୍ଭ କରିଥିଲେ କର୍ମୀ। ଇତିମଧ୍ୟରେ ୨ ବରିଷ୍ଠ ନେତା ତ୍ରିନାଥ ଗୁଆଲ ଓ ମଙ୍ଗଳ ସାହୁ ମଧ୍ୟ ବିଜେଡି ଶିବିରରେ ସାମିଲ୍‌ ହୋଇ ସାରିଛନ୍ତି। କେବଳ ଏହି ୨ ନେତା ନୁହନ୍ତି ବରଂ ପଞ୍ଚାୟତ ଓ ବ୍ଲକ୍‌ସ୍ତରରେ ଆଜି ବି ବିଜେପି ଟ୍ୟାଗ୍‌ରେ ରହିଥିବା କିଛି ନେତା ଅନ୍ୟଦଳ ସହ ସାଲିସ୍‌ କରି ସାରିଥିବା ଦୃଶ୍ୟ ସାମ୍ନାକୁ ଆସୁଛି।

ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି, ଦଳ ଛାଡ଼ୁଥିବା ନେତା ବିଭିନ୍ନ କାରଣ ଦର୍ଶାଉଥିଲେ ବି ଏହା ପଛରେ ଗୋଷ୍ଠୀ ବିବାଦ ରହିଥିବା କୁହାଯାଉଛି। ନିର୍ଦ୍ଦିଷ୍ଟ ଗୋଟିଏ ଗୋଷ୍ଠୀର ନେତା ହିଁ ଦଳ ଛାଡ଼ି ବିଜେଡି ଯାଇଛନ୍ତି।  ତେବେ ଉପନିର୍ବାଚନ ପୂର୍ବରୁ ସବୁ କିଛି ଠିକ୍‌ଠାକ୍‌ ଥିବା ବିଜେପିରେ ଏଭଳି ଅନ୍ତଃକନ୍ଦଳ କାହିଁକି ହେଲା ଓ ଦଳୀୟ ନେତାଙ୍କୁ ଅନ୍ୟଦଳକୁ ଯିବାକୁ କିଏ ପ୍ରୋତ୍ସାହିତ କରିଥିଲେ ତାକୁ ନେଇ ତର୍ଜମା ଆରମ୍ଭ କରିଛି ବିଜେପି।

‌ସେପଟେ, ଦଳ ଛାଡ଼ୁଥିବା ପ୍ରତିଟି ନେତା ଓ କର୍ମୀ ଏବେ ବିଜେପି ପ୍ରାର୍ଥୀ ଟଙ୍କଧରଙ୍କ ବିରୋଧୀ ବି ହୋଇସାରିଛନ୍ତି। ଟଙ୍କଧରଙ୍କୁ କିଭଳି ପରାଜିତ କରାଯିବ ସେନେଇ ବିଜେଡିର ରଣନୀତିରେ ସାମିଲ୍‌ ହେବେ ଏହି ନେତା ଓ କର୍ମୀ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।