ରାଜ୍ୟ ସ୍ପେଶାଲ ରିପୋର୍ଟ

ଝାରସୁଗୁଡ଼ାରେ ବିଜେପିକୁ ପୁଣି ଝଟ୍‌କା

ଭୁବନେଶ୍ୱର : ଝାରସୁଗୁଡ଼ା ଉପନିର୍ବାଚନରେ ଆଜି ଆଉ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ଝାରସୁଗୁଡ଼ା ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ ଦଳ ଛାଡ଼ି ବିଜେଡିରେ ମିଶିଛନ୍ତି। ଭୁବନେଶ୍ବରର ‘ଶଙ୍ଖ ଭବନ’ରେ ସେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲା ପରେ ନବୀନ ନିବାସ ଯାଇ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଗତ ୨୫ ବର୍ଷ ଧରି ଶ୍ରୀ ସାହୁ ଦଳର ବିଭିନ୍ନ ପଦପଦବିରେ ରହି ଆସୁଥିଲେ। ଉପନିର୍ବାଚନ ଆଉ ମାତ୍ର ଏକ ସପ୍ତାହ ବାକି ଥିଲା ବେଳେ ବିଜେପିକୁ ଏହା ଶକ୍ତ ଝଟ୍‌କା ହୋଇଛି।

ଗତ ୨୩ ତାରିଖରେ ଝାରସୁଗୁଡ଼ା ବିଜେପିର ବରିଷ୍ଠ ନେତା ତ୍ରିନାଥ ଗୁଆଳ ବିଜେଡିରେ ଯୋଗ ଦେଇଥିଲେ। ସେ ଗତ ପୌର ନିର୍ବାଚନ ବେଳେ ଝାରସୁଗୁଡ଼ା ପୌରପାଳିକାର ବିଜେପିରୁ ଅଧ୍ୟକ୍ଷ ପ୍ରାର୍ଥୀ ହୋଇଥିଲେ। ଉଭୟ ଶ୍ରୀ ଗୁଆଳ ଓ ଶ୍ରୀ ସାହୁ ବିଜେପିର ତାରକା ପ୍ରଚାରକ ତାଲିକାରେ ସ୍ଥାନ ପାଇଥିଲେ। ଦୁଇ ତାରକା ପ୍ରଚାରକ ଦଳ ଛା‌ଡ଼ିବା ରାଜ୍ୟ ରାଜନୀତିରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି।

ବୁଧବାର ମଧ୍ୟାହ୍ନରେ ଶଙ୍ଖ ଭବନରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ସାଂସଦ ତଥା ବିଜେଡିର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଦଳୀୟ ଉତ୍ତରୀୟ ପିନ୍ଧାଇ ତାଙ୍କୁ ସ୍ୱାଗତ କରିଥିଲେ। ଶ୍ରୀ ସାହୁଙ୍କ ଯୋଗଦାନ ଫଳରେ ଝାରସୁଗୁଡ଼ାରେ ବିଜେଡି ସଂଗଠନ ଆହୁରି ସୁଦୃଢ଼ ହେବ ବୋଲି ସେ କହିଥିଲେ।

ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ସାହୁ ବିଜେପି ବିରୋଧରେ ବିଷୋଦ୍‌ଗାର କରିଥିଲେ। ସେ କହିଥିଲେ ଯେ ଝାରସୁଗୁଡ଼ା ଜିଲ୍ଲାରେ ବିଜେପିର ସଂଗଠନ କେମିତି ବୃଦ୍ଧି ହେବ, ସେଥିପାଇଁ କଠିନ ପରିଶ୍ରମ କରିଥିଲି। ଦିନରାତି ଏକ କରି ପାର୍ଟି ପାଇଁ ପ୍ରଚାର କରିଥିଲି। ତେବେ ପାର୍ଟିର କିଛି ନେତା ନୀତି, ଆଦର୍ଶ ଭୁଲି ମିଥ୍ୟାର ରାଜନୀତି କରୁଥିବାରୁ ଆଜି ମୁଁ ଅତ୍ୟନ୍ତ କ୍ଷୋଭର ସହ ପାର୍ଟି ଛାଡ଼ିବାକୁ ନିଷ୍ପତ୍ତି ନେଇଛି। ଯେତେବେଳେ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଗଲା, ଆମେ ଅଲଗା ଦଳରେ ଥିଲେ ବି ଜଣେ ନେତାଙ୍କର ଏଭଳି ହତ୍ୟାକାଣ୍ଡ ମୋତେ ବ୍ୟଥିତ କରିଥିଲା। ଦଳମତ ନିର୍ବିଶେଷରେ ଆମେ ସମସ୍ତେ ଚାହୁଁଥିଲୁ ଦୋଷୀକୁ କଠୋର ଦଣ୍ଡ ମିଳୁ। କିନ୍ତୁ କିଛିଦିନ ଭିତରେ ବିଜେପିର କିଛି ନେତା ଏହାକୁ ନେଇ ହୀନ ରାଜନୀତି କରିବା ଆରମ୍ଭ କରିଦେଲେ। ହତ୍ୟାକାଣ୍ଡ ସମ୍ପର୍କରେ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ମନଗଢ଼ା କାହାଣୀ ତିଆରି କରି ବିଭିନ୍ନ ସମୟରେ ଅଲଗା ଅଲଗା ଅଭିଯୋଗ କଲେ। ଏହା ମୋତେ ଦୁଃଖ ଦେଲା। ପଦ୍ମପୁର ଉପନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହୋଇ ହାରିଥିବା ପ୍ରଦୀପ ପୁରୋହିତ ଯେତେବେଳେ କହିଲେ ଯେ ନବ ଦାସଙ୍କ ଝିଅ ଦୀପାଳି ହତ୍ୟାକାରୀ ସହ ମିଶି ଯାଇଛନ୍ତି; ତାହା ମୋତେ ଗଭୀର ଆଘାତ ଦେଲା। କେବଳ ରାଜନୈତିକ ଫାଇଦା ପାଇଁ ଜଣେ ବାପଛେଉଣ୍ଡ ଝିଅ ବିରୋଧରେ ବିଜେପି ନେତାମାନଙ୍କ ଏଭଳି ମିଥ୍ୟାଚାରକୁ ମୁଁ ସହି ପାରିଲି ନାହିଁ। ମୁଁ ଯେତେବେଳେ ହୃଦ୍‌ବୋଧ କଲି ଯେ ଏମାନେ ରାଜନୀତି ପାଇଁ କିଛି ବି କରିପାରନ୍ତି, ମୁଁ ଆଉ ଏଭଳି ପାର୍ଟିରେ ରହିବିନି ବୋଲି ସ୍ଥିର କଲି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶାରେ ନିରନ୍ତର ବିକାଶ ହେଉଛି। ମୁଁ ଏଥିରେ ଗଭୀର ଭାବେ ପ୍ରଭାବିତ ହୋଇଛି। ତେଣୁ ଆଜି ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଲି। ଆଜିଠାରୁ ମୁଁ ମୋର ସମସ୍ତ ଶକ୍ତି ଖଟାଇ ବିଜେଡି ପାଇଁ କାମ କରିବି।

ଏହି ମିଶ୍ରଣ ସଭାରେ ଶ୍ରୀ ମଙ୍ଗରାଜ ଅଧ୍ୟକ୍ଷତା କରିଥିବା ବେଳେ ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ବିଜେଡି ନେତା ମୌସମ ମିଶ୍ର ଉପସ୍ଥିତ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।