କଳା ଓ ସଂସ୍କୃତି ରାଜ୍ୟ

ଜୟ-ବିଜୟ ଦ୍ୱାର, ବେହେରଣ ଦ୍ୱାରରେ ବି ଫାଟ: ଶ୍ରୀମନ୍ଦିର ସୁରକ୍ଷା କାହା ଦାୟିତ୍ୱ?

ପୁରୀ : ବିଶ୍ବର ଅଗଣିତ ଭକ୍ତଙ୍କ ଅସ୍ମିତା ସହ ଜଡ଼ିତ ଶ୍ରୀମନ୍ଦିରକୁ କେତେ ଯେ ଅବହେଳା କରାଯାଉଛି, ତାହା ଏବେ ଜଳଜଳ ଦିଶିଲାଣି। କିଛିଦିନ ତଳେ ଶ୍ରୀମନ୍ଦିର ନାଟମଣ୍ଡପରେ ଫାଟ ଦେଖିବାକୁ ମିଳିଥିଲା। ଏବେ ଜୟ-ବିଜୟ ଦ୍ବାର, ବେହେରଣ ଦ୍ବାର, ଘଣ୍ଟିଦ୍ବାରରେ ବି ଫାଟ ଦେଖାଦେଇଛି। ଗୋଟିଏ ନୁ‌ହେଁ, ଏକାଧିକ ସ୍ଥାନରେ ଏଭଳି ଫାଟ ରହିଛି।

ପୂର୍ବରୁ ନାଟମଣ୍ଡପ ଛାତରେ ଫାଟ ରହିଥିବା‌ ଦେଖିବାକୁ ମିଳିଥିଲା। ଏହି ଫାଟ ଜୟ-ବିଜୟ ଦ୍ବାର ଦେଇ ଭିତରକାଠକୁ ପ୍ରବେଶ ପୂର୍ବରୁ ଦାନ ହୁଣ୍ଡି ଓ ଜୟ-ବିଜୟ ଦ୍ବାର ମଝିରେ ଛାତରେ ଥିବା ଏକ ତିନିକୋଣିଆ କୋଠରି ଭିତରେ ରହିଛି। ଏହି କୋଠାରିରେ ଆଗରୁ ଠାକୁରଙ୍କ ଫଟୋଚିତ୍ର ଲାଗୁଥିଲା। ଏବେ ପ୍ରତ୍ନତତ୍ତ୍ବ ବିଭାଗ ଏଠାରୁ ଠାକୁରଙ୍କ ଫଟୋଚିତ୍ର ବାହାର କରିଦେଇଛି। ଏହି ତିନିକୋଣିଆ କୋଠରି ଭିତରେ ପ୍ରାୟ ଅଢ଼େଇ ଫୁଟ ଲମ୍ବ ଓ ଦେଢ଼ ଇଞ୍ଚ ଓସାରର ଫାଟ ଦେଖିବାକୁ ମିଳିଥିଲା। ଏବେ ନାଟମଣ୍ଡପର ଏକାଧିକ ସ୍ଥାନରେ ଫାଟ ରହିଥିବା ଦେଖିବାକୁ ମିଳିଛି। କିନ୍ତୁ ପ୍ରତ୍ନତତ୍ତ୍ବ ବିଭାଗର ଅଧିକାରୀମାନେ ଏହାକୁ ପୁରୁଣା ଫାଟ ବୋଲି ସଫେଇ ଦେଉଛନ୍ତି। ନାଟମଣ୍ଡପରେ ଲଗା ଯାଇଥିବା କ୍ରାକ୍‌ ମିଟର ଜରିଆରେ ଏହି ଫାଟର ଅନୁଧ୍ୟାନ କରାଯାଉଛି ଓ ଖଡଗପୁର ଆଇଆଇଟି ଟିମ୍‌ ଏହାର ଅନୁଧ୍ୟାନ କରୁଛନ୍ତି ବୋଲି କହୁଛନ୍ତି। କିନ୍ତୁ ଆଜି ଘଣ୍ଟିଦ୍ବାର, ଜୟ-ବିଜୟ ଦ୍ବାର ଓ ବେହେରଣ ଦ୍ବାରରେ ବି ବଡ଼ ବଡ଼ ଫାଟ ଦେଖିବାକୁ ମିଳିବା ପ୍ରତ୍ନତତ୍ତ୍ବ ବିଭାଗର ଏହି ମିଛକୁ ଧରା ପକାଇ ‌ଦେଇଛି।

ଘଣ୍ଟିଦ୍ବାର ପ୍ରବେଶ ପଥ ଦ୍ବାରରେ ବାମପାର୍ଶ୍ବରେ ଚୁନ ଖସି ଫାଟ ଜଳଜଳ ଦେଖାଯାଉଛି। ଜୟ-ବିଜୟଦ୍ବାରର ଦୁଆର ବନ୍ଧରେ ବି ଏକ ଲମ୍ବା ଫାଟ ରହିଥିବା ଦେଖିବାକୁ ମିଳିଛି। ଏହି ଫାଟର ଲମ୍ବା ପ୍ରାୟ ୩ ଫୁଟ ହେବ। ବେହେରଣ ଦ୍ବାର ଦେଇ ବାହାରିବା ବେଳେ ଡାହାଣ ପାଶ୍ବରେ ବି ବଡ଼ ଫାଟ ରହିଥିବା ଦେଖିବାକୁ ମିଳିଛି। ଏହି ଫାଟ ଲମ୍ବିବାରେ ଲାଗିଛି। ଏଥିରେ ଲୁହାର ଛୋଟ କ୍ଲାମ୍ପ ଦେଇ ଫାଟ ଅଟକାଇବାକୁ ପ୍ରତ୍ନତତ୍ତ୍ବ ବିଭାଗ ଚେଷ୍ଟା କରୁଥିଲେ ମଧ୍ୟ କାମ ଯେଭଳି କରାଯାଇଛି, ତାହା ଲୋକ ଦେଖାଣିଆ ଭଳି ଲାଗୁଛି।

ଏ ସଂପର୍କରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର ଜନୈକ ଯନ୍ତ୍ରୀ କହିଛନ୍ତି, ନାଟମଣ୍ଡପରେ ଓ ଅନ୍ୟାନ୍ୟ ସ୍ଥାନରେ ଯେଉଁ ଫାଟ ରହିଛି, ତାହା ପୁରୁଣା ଫାଟ। ନାଟମଣ୍ଡପର ଫାଟର ତୀବ୍ରତା ମାପିବା ପାଇଁ ଏକ କ୍ରାକ ମିଟର ନାଟମଣ୍ଡପରେ ଲଗାଯାଇଛି। ଆଇଆଇଟି ଖଡ଼ଗପୁର ପକ୍ଷରୁ କ୍ରାକ୍‌ ମିଟର ଜରିଆରେ ଫାଟର ତୀବ୍ରତା ଅନୁଧ୍ୟାନ କରାଯାଉଛି ବୋଲି ଯନ୍ତ୍ରୀ ଜଣକ କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,