କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ ରାଜ୍ୟ ସ୍ୱାସ୍ଥ୍ୟ

ଜ୍ବରରେ ପୀଡିତ ମହାପ୍ରଭୁଙ୍କ ଅଣସର ଘରେ ଚାଲିଛି ଅସୁସ୍ଥତାର ଉପଚାର, ପଞ୍ଚମୀ ତିଥିରେ ଲାଗି ହେବ ଫୁଲୁରୀ ତେଲ

ପୁରୀ ୨୯।୬: ସ୍ନାନଯାତ୍ରାରେ ତିନି ଠାକୁର ଅତ୍ୟଧିକ ସ୍ନାନ କରିଥିବାରୁ ଏବେ ଅସୁସ୍ଥ । ଜ୍ବରାକ୍ରାନ୍ତ ମହାପ୍ରଭୁଙ୍କ ପୀଡ଼ା ଲାଘବ ପାଇଁ ଆଜି ବଡ଼ ଓଡ଼ିଆ ମଠ ପକ୍ଷରୁ ପ୍ରଦତ୍ତ ଫୁଲୁରୀ ତେଲକୁ ଦଇତାପତି ସେବାୟତ ମହାପ୍ରଭୁଙ୍କୁ ଲାଗି କରିବେ। ଏହି ସୁବାସିତ ତେଲ ଲାଗିଲେ ମହାପ୍ରଭୁମାନଙ୍କର ଜ୍ବରଜନିତ ପୀଡ଼ା ଲାଘବ ହେବାର ବିଶ୍ବାସ ରହିଛି । ଏପଟେ ରଥର ୧୩ ପରସ୍ତ ପୋଟଳ ଓ ଦ୍ବାରବେଢ଼ା କାମ ଶେଷ ହୋଇଥିବା ବେଳେ ରଥର ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ଲାଗିଛନ୍ତି ଚିତ୍ରକର ସେବାୟତ। ସେପଟେ ନିଆଳିର ମାଧବାନନ୍ଦ ଜୀଉ ପୀଠ ଓ କାକଟପୁର ବିଶ୍ବାମିତ୍ର ମଠ ପକ୍ଷରୁ ମହାପ୍ରଭୁଙ୍କ ଅଣସର ଭାର ପହଞ୍ଚିଛି।

ଅତ୍ୟଧିକ ଜ୍ବରରେ ପୀଡ଼ିତ ମହାପ୍ରଭୁଙ୍କର ଏବେ ଅଣସର ଘରେ ଚାଲିଛି ଅସୁସ୍ଥତାର ଉପଚାର । ମଙ୍ଗଳବାର ପଞ୍ଚମୀ ତିଥିରେ ମହାପ୍ରଭୁଙ୍କୁ ଲାଗି ହେବ ଫୁଲୁରୀ ତେଲ । ଏହି ଫୁଲୁରୀ ତେଲକୁ ପରମ୍ପରା ଅନୁସାରେ ବହୁବର୍ଷ ଧରି ବଡ଼ ଓଡ଼ିଆ ମଠ ପକ୍ଷରୁ ପ୍ରସ୍ତୁତ କରାଯାଇଆସୁଅଛି। ଘଣାପେଡ଼ା ରାଶିତେଲରେ ବେଣଚେର, ମାଳତି, କିଆ, କେତକୀ, ବଉଳଫୁଲ ଭଳି ସ୍ବତନ୍ତ୍ର ସୁବାସିତ ଫୁଲ ଓ ୮ ପ୍ରକାର ଚେରମୂଳି ପକାଯାଇ ପ୍ରସ୍ତୁତ କରାଯାଇଥାଏ । ପଞ୍ଚମୀ ତିଥିରେ ଅର୍ଥାତ୍ ଆଜି ଏହାକୁ ଶ୍ରୀମନ୍ଦିର ନିଆଯିବା ପରେ ଦଇତାପତିମାନେ ଏହାକୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିଥାନ୍ତି । ବିଶ୍ବାସ ରହିଛି ଏହି ତେଲ ଲାଗିପରେ ମହାପ୍ରଭୁ ସାମାନ୍ୟ ସୁସ୍ଥ ହୋଇଥାନ୍ତି ।

ଏପଟେ ରଥଖଳାରେ ରଥନିର୍ମାଣର ଶେଷ ପର୍ଯ୍ୟାୟ କାମ ଜାରି ରଖିଛନ୍ତି ସେବାୟତ । ୩ ରଥର ତେରପରସ୍ତ ପୋଟଳ, ପାରାଭାଡ଼ି ଓ କଳସ କାର୍ଯ୍ୟ ଶେଷ ହୋଇଛି। ଆଜି ଦ୍ବାରବେଢ଼ା, ବେଦୀ ସିଂହାସନ ଓ ପ୍ରଭାକାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସେହିପରି ଚିତ୍ରକାର ସେବାୟତମାନେ ରଥର ଚକ, ଅଖ, ପାର୍ଶ୍ବ ଦେବାଦେବୀ, ଓଲଟ ଶୁଆ ପ୍ରଭୃତି ରଙ୍ଗ ଦେବା କାମ ଜାରି ରଖିଛନ୍ତି । ରଥ ବ୍ରେକ କାମ ମଧ୍ୟ ଆଜିଠାରୁ ଆରମ୍ଭ ହୋଇଛି ।

ସେହିପରି ଜ୍ବରରେ ପୀଡ଼ିତ ଥିବା ମହାପ୍ରଭୁଙ୍କ ସୁସ୍ଥତା ଲାଗି ପବିତ୍ର ପ୍ରାଚୀ କ୍ଷେତ୍ରରୁ ଆସି ପହଞ୍ଚିଛି ଅଣସର ଫଳଭାର। ନିଆଳିର ଶ୍ରୀମାଧବାନନ୍ଦ ଜୀଉପୀଠ ଓ କାକଟପୁର ବିଶ୍ବମିତ୍ର ମଠ ପକ୍ଷରୁ ଏହି ଭାର ଆସିଛି। ଏହି ଅଣସର ଭାର ସାମଗ୍ରୀ ମଧ୍ୟରେ ପଣସ, ଆମ୍ବ, ସପୁରୀ, କଦଳୀ, ପିଜୁଳି, ଖଜୁରୀ ଆସିଛି । ଗତ ଦୁଇ ବର୍ଷ ଧରି ମହାପ୍ରଭୁଙ୍କ ମଉଳାକ୍ଷେତ୍ର କୁହାଯାଉଥିବା ଶ୍ରୀମାଧବାନନ୍ଦ ଜୀଉ ପୀଠରୁ ପୋଢ଼ୁଆଁ ଭାର ପଠାଯିବା ମଧ୍ୟ ଉଲ୍ଲେଖନୀୟ ରହିଛି। ଚଳିତବର୍ଷ ରଥକାର୍ଯ୍ୟ ବହୁତ ପୂର୍ବରୁ ଶେଷ ହେଉଥିବା ବେଳେ ମହାପ୍ରଭୁଙ୍କ ଅନବସର ନୀତି ମଧ୍ୟ ନିଷ୍ଠାର ସହ କରୁଛନ୍ତି ସେବାୟତମାନେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ