ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର: ସାରା ଓଡ଼ିଶା ଏବେ ଜ୍ବରରେ ଥରୁଛି। ଇନ୍ଫ୍ଲୁଏଞ୍ଜା (ଏଚ୍୩ଏନ୍୨), ରେସ୍ପିରେଟୋରି ସିନ୍ସିଟିଆଲ ଭାଇରସ୍ (ଆରଏସ୍ଭି) ଓ ହ୍ୟୁମାନ ପାରାଇନ୍ଫ୍ଲୁଏଞ୍ଜା ଭାଇରସ୍(ଏଚ୍ପିଆଇଭି) ରାଜ୍ୟକୁ ଗତ ୧ମାସ ହେବ କବଳିତ କରି ରଖିଛି। ଏହାସାଙ୍ଗକୁ ସ୍ବାଇନ୍ ଫ୍ଲୁ ମଧ୍ୟ ଚିନ୍ତା ବଢ଼ାଇଛି। ଘରେ ଘରେ ଲୋକମାନେ ଥଣ୍ଡା, ଜ୍ବରରେ ଆକ୍ରାନ୍ତ ହୋଇଥିବା ବେଳେ ଅନେକ ଏହାକୁ କୋଭିଡ୍ ଭାବି ଦ୍ବନ୍ଦ୍ବରେ ପଡ଼ୁଛନ୍ତି। ମାତ୍ର ଏହା କୋଭିଡ୍ ନୁହେଁ, ବରଂ ଭାଇରାଲ ଫିଭର ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଉଛନ୍ତି। ଏହାସହ ଯେଉଁମାନେ ଏହି ଭୂତାଣୁ ଦ୍ବାରା ଆକ୍ରାନ୍ତ ହେଉଛନ୍ତି ସେମାନଙ୍କ ଶରୀରରେ ଦୀର୍ଘଦିନ ପର୍ଯ୍ୟନ୍ତ କାଶ ଲାଗି ରହୁଥିବା ଦେଖିବାକୁ ମିଳୁଛି।
ଋତୁ ପରିବର୍ତ୍ତନ ଫଳରେ ସାଧାରଣତଃ ଭୂତାଣୁଜନିତ ସଂକ୍ରମଣ ବଢ଼ିଥାଏ। ବିଶେଷକରି ଗୀଷ୍ମ ଓ ଶୀତ ଋତୁରେ ଅଧିକ ସଂଖ୍ୟାରେ ଲୋକମାନେ ଥଣ୍ଡା, ଜ୍ବରରେ ଆକ୍ରାନ୍ତ ହୋଇଥାନ୍ତି। ତେବେ ଗତ ୨ବର୍ଷ ହେବ କୋଭିଡ୍ ମହାମାରୀ ବ୍ୟାପିଥିବାରୁ ଭାଇରାଲ ଫିଭର ଉପରେ ସେତେଟା ଗୁରୁତ୍ବ ନ ଥିଲା। କୋଭିଡ୍ ଥମିବା ପରେ ଚଳିତବର୍ଷ ଭାଇରାଲ ଫିଭର ବଢ଼ିବାରେ ଲାଗିଛି। ପରିବାରର ଜଣେ ଏଥିରେ ଆକ୍ରାନ୍ତ ହେଲେ ଅନ୍ୟମାନେ ଜ୍ବରରେ ପଡ଼ୁଛନ୍ତି। ବୟସ୍କମାନେ ଧଇଁସଇଁ ହୋଇ ପଡ଼ୁଛନ୍ତି। ତଥାପି ଆସନ୍ତା କିଛିଦିନ ପର୍ଯ୍ୟନ୍ତ ଏଥିରୁ ନିସ୍ତାର ମିଳି ନ ପାରେ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି।
ସ୍ବାସ୍ଥ୍ୟ ବିଶେଷଜ୍ଞ ଡା.ନିରୋଜ ମିଶ୍ରଙ୍କ କହିବା କଥା, ଚଳିତବର୍ଷ ଅଧିକ ସଂଖ୍ୟାରେ ରୋଗୀ ଇନ୍ଫ୍ଲୁଏଞ୍ଜା-ଏ(ଏଚ୍୩ଏନ୍୨)ରେ ଆକ୍ରାନ୍ତ ହେଉଥିବା ନଜରକୁ ଆସୁଛି। ଏହାସହ ଅନ୍ୟ ଭୂତାଣୁରେ ମଧ୍ୟ ଲୋକମାନେ କେତେକାଂଶରେ ଆକ୍ରାନ୍ତ ହେଉଛନ୍ତି। ଲୋକମାନଙ୍କ ଶରୀରରେ ପ୍ରବଳ ଜ୍ବର ସହିତ ନିଶ୍ବାସ ପ୍ରଶାସରେ ସମସ୍ୟା ହେଉଛି। ଦୀର୍ଘଦିନ ପର୍ଯ୍ୟନ୍ତ କାଶ ଲାଗି ରହୁଛି। ଅନେକ ହସ୍ପିଟାଲରେ ଭର୍ତି ହେବାକୁ ବାଧ୍ୟ ହେଉଛନ୍ତି। ଏହା କେବଳ ଓଡ଼ିଶାର ସମସ୍ୟା ନୁହେଁ, ସାରା ଦେଶରେ ଏବେ ସମାନ ସ୍ଥିତି ଦେଖିବାକୁ ମିଳୁଛି। ପୂର୍ବରୁ ଏହା ଦେଖିବାକୁ ମିଳୁଥିଲେ ବି ଲୋକମାନେ ନିଜର ପରୀକ୍ଷା କରୁ ନ ଥିଲେ। ମାତ୍ର କୋଭିଡ୍ ପରେ ଲୋକମାନେ ଅଧିକ ସଚେତନ ହୋଇଛନ୍ତି, ଯାହାଫଳରେ ଏସବୁ ଭୂତାଣୁ ଚିହ୍ନଟ ହେଉଛି। ଇନଫ୍ଲୁଏଞ୍ଜାରୁ ନିଜକୁ ରକ୍ଷା କରିବାକୁ ହେଲେ ଟିକା ନେବା ଜରୁରୀ। ଛୋଟ ପିଲା ଓ ବୟସ୍କ ବ୍ୟକ୍ତିମାନଙ୍କୁ ଇନ୍ଫ୍ଲୁଏଞ୍ଜା ଟିକା ଦିଆଯିବା ଉପରେ ଗୁରୁତ୍ବ ଦିଆଯିବା ଆବଶ୍ୟକ। ଦେଶରେ ନଭେମ୍ବର ସୁଦ୍ଧା ଇନ୍ଫ୍ଲୁଏଞ୍ଜାର ୧୨,୮୮୧ ମାମଲା ଆସିଛି। ଯେଉଁମାନଙ୍କଠାରେ ଅକ୍ସିଜେନ୍ସ୍ତର ହ୍ରାସ ପାଉଛି ସେମାନେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ବୋଲି ଡା. ମିଶ୍ର କହିଛନ୍ତି।
ସମାନ କଥା କହିଛନ୍ତି କ୍ୟାପିଟାଲ ହସ୍ପିଟାଲର ଭେଷଜ ବିଭାଗର ବିଭାଗୀୟ ମୁଖ୍ୟ ଡା. ଏସ୍ଏସ୍ ମହାପାତ୍ର। ଡା.ମହାପାତ୍ରଙ୍କ ମତରେ ଋତୁ ପରିବର୍ତନ ସମୟରେ ଏଭଳି ଥଣ୍ଡା, ଜ୍ବର ଦେଖିବାକୁ ମିଳିଥାଏ। ଔଷଧ ଖାଇଲେ କମି ଯାଉଛି। ମାତ୍ର କୋଭିଡ ସହିତ ଏହାର ସଂପର୍କ ନାହିଁ। ରାଜ୍ୟରେ ଟିକାକରଣ ବେଶ୍ ଭଲ ଥିବା ବେଳେ କୋଭିଡ୍ରେ ଆକ୍ରାନ୍ତ ହୋଇଥିବା କାରଣରୁ ଲୋକଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ରହିଛି। ତେବେ ଟାଣ ଖରା ଆରମ୍ଭ ହେଲେ ଥଣ୍ଡା,ଜ୍ବର କମିଯିବ। ଆସନ୍ତା ୭/୧୦ଦିନ ପରେ ଏଥିରୁ ନିସ୍ତାର ମିଳିବ ବୋଲି ଡା.ମହାପାତ୍ର କହିଛନ୍ତି। ଅପରପକ୍ଷରେ ରାଜ୍ୟରେ ଇନ୍ଫ୍ଲୁଏଞ୍ଜା ବାଦ୍ ସ୍ବାଇନ୍ ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ୨୦୨୨ ଡିସେମ୍ବର ସୁଦ୍ଧା ରାଜ୍ୟରେ ୧୪୨ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ମାତ୍ର କେହି ପ୍ରାଣ ହରାଇ ନାହାନ୍ତି। ସ୍ବାଇନ୍ ଫ୍ଲୁ ଆକ୍ରାନ୍ତଙ୍କ ସ୍ଥାନରେ ଓଡ଼ିଶା ଦେଶରେ ୧୩ତମ ସ୍ଥାନରେ ରହିଛି। ୨୦୧୭ ମସିହାରେ ରାଜ୍ୟରେ ସର୍ବାଧିକ ୪୧୪ଜଣ ଏଥିରେ ଆକ୍ରାନ୍ତ ହୋଇଥିବା ବେଳେ ୫୪ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୧୯ ମସିହାରେ ୨୦୬ ଆକ୍ରାନ୍ତ ଓ ୫ମୃତ୍ୟୁ ହୋଇଥିଲା। ତେବେ ଚଳିତମାସରେ କେତେ ଜଣ ସ୍ବାଇନ୍ ଫ୍ଲୁରେ ଆକ୍ରାନ୍ତ ହୋଇଛନ୍ତି ତାହା ସ୍ପଷ୍ଟ ହୋଇପାରିନାହିଁ।
ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର କହିଛନ୍ତି, ଋତୁ ପରିବର୍ତନ ହେଲେ ଭାଇରାଲ ଫିଭର ବଢ଼ିଥାଏ। ତେଣୁ ଯେଉଁମାନଙ୍କର ଥଣ୍ଡ, ଜ୍ବର ହେଉଛି ସେମାନେ ପାରାସିଟାମଲ୍ ଖାଆନ୍ତୁ। ଏସବୁ କୋଭିଡ୍ ନୁହେଁ। ରାଜ୍ୟରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ହାତଗଣତି ରହିଛି। ରାଜ୍ୟରେ ଇନ୍ଫ୍ଲୁଏଞ୍ଜାର ପରୀକ୍ଷା ପାଇଁ ସୁବିଧା ରହିଛି। ଏହାସହ ନମୁନା ପରୀକ୍ଷା ସଂଖ୍ୟା ବଢ଼ୁଥିବାରୁ ସ୍ବାଇନ୍ ଫ୍ଳୁ ଆକ୍ରାନ୍ତ ଚିହ୍ନଟ ହେଉଥିବା ଡା.ମିଶ୍ର କହିଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l