ଢେଙ୍କାନାଳ,୦୪/୦୨: ଦେଶର ସର୍ବ କନିଷ୍ଠ ସହିଦ ହେଉଛନ୍ତି ବୀର ବାଜି ରାଉତ । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ନିଳକଣ୍ଠପୁର ଗ୍ରାମରେ ତାଙ୍କର ଜନ୍ମ । ଢେଙ୍କାନାଳ ଗଡଜାତ ଅଧିନସ୍ଥ ପ୍ରଜା ଆନ୍ଦୋଳନର ରକ୍ତିମ ସ୍ଥାନ ହେଉଛି ନିଳକଣ୍ଠପୁର ଗ୍ରାମ । ଯେଉଁ ଗ୍ରାମର ୧୨ ବର୍ଷର ବାଳକ ବାଜି ରାଉତ ଇଂରେଜମାନଙ୍କ ବନ୍ଧୁକ ଗୁଳିରେ ପ୍ରାଣ ବିସର୍ଜନ କରିଥିଲେ ।

ସେହି ବୀର ସହିଦଙ୍କୁ ଭାରତରତ୍ନ ସମ୍ମାନରେ ମରଣୋତର ଭାବରେ ସମ୍ମାନିତ କରିବା ନିମନ୍ତେ ଆବେଗଭରା କଣ୍ଠରେ ନିବେଦନ କରିଛନ୍ତି ଅଞ୍ଚଳବାସୀ । ଏଥିପାଇଁ ଗାଁରୁ ଆନ୍ଦୋଳନ ଅଭିଯାନ ନାମକ ଏକ ଆନ୍ଦୋଳନ ମାଧ୍ୟମରେ ସଦସ୍ୟମାନେ ଦାବି କରିଛନ୍ତି।

ବାଜିରାଉତଙ୍କୁ ଭାରତରତ୍ନ ପ୍ରଦାନ ଓ ସାତ ଦଫା ଦାବି ପତ୍ର ପ୍ରଦାନ ନିମନ୍ତେ ଅଞ୍ଚଳବାସୀ ଓ ସଦସ୍ୟ ପ୍ରଥମେ ଭୁବନ ଡାକବଙ୍ଗଳାରେ ଏକତ୍ର ହୋଇଥିଲେ । ସମସ୍ତେ ଏକତ୍ର ହୋଇ ଭୁବନ ଡାକବଙ୍ଗଳାରୁ ଶୋଭାଯାତ୍ରା କରି ଭୁବନ ବିଡିଓଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି ଓ ଭାରତ ସରକାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

