ଭୁବନେଶ୍ବର : ବହୁ ଚର୍ଚ୍ଚିତ ହନି ଟ୍ରାପ ମାମଲାର ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗ ଇଣ୍ଟିଗ୍ରେଟେଡ୍ ଲ ପରୀକ୍ଷା ଦେବେ। ଫର୍ମ ଫିଲ ଅପ୍ ପାଇଁ କୋର୍ଟ ଅନୁମତି ଦେଇଛନ୍ତି। ଖୁବ ଶୀଘ୍ର ଅର୍ଚ୍ଚନା ନିଜ ଆଇନଜୀବୀଙ୍କ ମାଧ୍ୟମରେ ଫର୍ମ ଫିଲ ଅପ୍ କରିବେ। ଏହା ପରେ ପରୀକ୍ଷା ଦେବା ପାଇଁ ମଧ୍ୟ ଆଇନଜଗତ କାଗଜପତ୍ର ପ୍ରସ୍ତୁତି ଆରମ୍ଭ ହେବ ବୋଲି ତାଙ୍କ ଆଇନଜୀବୀ ଦେବାଶିଷ ମହାପାତ୍ର କହିଛନ୍ତି।
ଆଇନଜୀବୀ ଶ୍ରୀ ମହାପାତ୍ର କହିଛନ୍ତି, ଅର୍ଚ୍ଚନା ନାଗ ହେଉଛନ୍ତି କ୍ୟାପିଟାଲ ଲ’ କଲେଜର ୫ ବର୍ଷିଆ ଇଣ୍ଟିଗ୍ରେଟେଡ୍ ଲ’ ଛାତ୍ରୀ। ତାଙ୍କର ଏବେ ୪ ର୍ଥ ବର୍ଷ ଚାଲିଛି। ଆଗାମୀ ୭ମ ସେମିଷ୍ଟର ପରୀକ୍ଷା ଦେବାରେ ଥିଲା। କିନ୍ତୁ ସେ ଜେଲରେ ଥିବା କାରଣରୁ ପରୀକ୍ଷା ଦେବାରେ ସମସ୍ୟା ହେଉଥିଲା। ତେଣୁ ପରୀକ୍ଷା ଦେବା ପାଇଁ ଫର୍ମ ଫିଲ ଅପ୍ କରିବାକୁ କୋର୍ଟଙ୍କ ଅନୁମତି ଲୋଡା ଯାଇଥିଲା। ଭୁବନେଶ୍ବର ଜେଏମ୍ଏଫ୍ସି-୫ କୋର୍ଟ ଏହି ଅନୁମତି ପ୍ରଦାନ କରିଛନ୍ତି। ଇତିମଧ୍ୟରେ ପରୀକ୍ଷା ଦେବା ପାଇଁ ମଧ୍ୟ ଅର୍ଚ୍ଚନା କୋର୍ଟଙ୍କ ଅନୁମତି ମାଗିଛନ୍ତି। କୋର୍ଟ ଅନୁମତି ଦେବା ପରେ ଜେଲ୍ ଗାଇଡ ଲାଇନ୍ ଅନୁଯାୟୀ ସେ ପରୀକ୍ଷା ଦେବେ ବୋଲି କହିଛନ୍ତି ଆଇନଜୀବୀ ଶ୍ରୀ ମହାପାତ୍ର।
ପ୍ରକାଶଥାଉକି, ଅର୍ଚ୍ଚନା ନାଗ ମାମଲାରେ ପ୍ରଥମ ପର୍ଯ୍ୟାୟ ଚାର୍ଜସିଟ ଦାଖଲ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ। ୨୨୪୧ ପୃଷ୍ଠା ସମ୍ବଳିତ ଏହି ଚାର୍ଜସିଟରେ ଅଭିଯୁକ୍ତ ଭାବେ ୪ ଜଣଙ୍କର ନାମ ରହିଛି। ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗ, ତାଙ୍କ ପତି ଜଗବନ୍ଧୁ ଚାନ୍ଦ, ସହଯୋଗୀ ଖଗେଶ୍ବର ପାତ୍ର ଓ ଶ୍ରଦ୍ଧାଞ୍ଜଳି ବେହେରା। ସେହିପରି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ମଞ୍ଚେଶ୍ବର ଥାନା ଅଧୀନ ସତ୍ୟବିହାରରେ ଥିବା ବିଳାସମୟ ଘରକୁ ମଧ୍ୟ ଇଡି ଆଟାଚ୍ କରିଛି। ଏହି ଘରର ମୂଲ୍ୟ ୩.୪ କୋଟି ଟଙ୍କା ଆକଳନ କରାଯାଇଛି। ମୋଟ ୧୫ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଏହି ଚାର୍ଜସିଟ୍ ପ୍ରସ୍ତୁତ ହୋଇଛି।