ରାଜ୍ୟ

ଜୁନ୍‌ ୧୦ରୁ ପ୍ରତି ନିର୍ବାଚନମଣ୍ଡଳୀରେ ଚାଷୀ ବିକ୍ଷୋଭ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କ ପାଇଁ ଏକାଧିକ ଯୋଜନା ଘୋଷଣା କରିଛନ୍ତି। ଦୁହିଁଙ୍କ ଶାସନ କାଳରେ ଚାଷ ଓ ଚାଷୀର ବିକାଶ ପାଇଁ କେଉଁ ଯୋଜନାଗୁଡ଼ିକରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ଓ ପ୍ରକୃତ ହିତାଧିକାରୀଙ୍କ ତାଲିକା ଶ୍ବେତପତ୍ର ଆକାରରେ ପ୍ରକାଶ କରାଯାଉ। ନଚେତ୍ ପ୍ରଦେଶ କିଷାନ କଂଗ୍ରେସ ତରଫରୁ ଆସନ୍ତା ଜୁନ୍ ୧୦ ତାରିଖଠାରୁ ପ୍ରତି ଜିଲ୍ଲା ଓ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚାଷୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦିଆଯାଇଛି।

ବୁଧବାର ଦିନ କଂଗ୍ରେସ କାର୍ଯ୍ୟାଳୟରେ କିଷାନ କଂଗ୍ରେସର ଅନୁଷ୍ଠିତ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ପିସିସି କିଷାନ କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପିସିସି ସଭାପତି ଶରତ ପଟ୍ଟନାୟକ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ, ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ କେବଳ ମାଳ ମାଳ ମିଥ୍ୟା ପ୍ରତିଶ୍ରୁତି ଦେଇ ଭଣ୍ଡାଇ ଚାଲିଛନ୍ତି। ଚାଷୀଙ୍କ ବିକାଶ ପରିବର୍ତ୍ତେ ବିନାଶ ହେଉଛି। ଖୁବଶୀଘ୍ର କିଷାନ କଂଗ୍ରେସ ସଂଗଠନକୁ ପ୍ରତି ଗ୍ରାମସ୍ତରରୁ ସୁଦୃଢ଼ କରାଯାଇ ଚାଷୀଙ୍କ ହକ୍ ପାଇଁ ଉଭୟ ସରକାରଙ୍କ ବିରୋଧରେ ଜୋରଦାର ଆନ୍ଦୋଳନ କରାଯିବ।

ରାଜ୍ୟ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, କାଳିଆ ଓ ବଳରାମ ଅର୍ଥ ରାଶି ସହାୟତା ଯୋଗାଇବାରେ ସରକାର ବାହାସ୍ଫୋଟ ମାରୁଥିବା ବେଳେ ଆଜି ବି ଲକ୍ଷ ଲକ୍ଷ ପ୍ରକୃତ ଚାଷୀ ଏହି ସୁବିଧା ପାଇବାରୁ ବଞ୍ଚିତ। ମୁଖ୍ୟମନ୍ତ୍ରୀ ରାଜ୍ୟର ୭୫ ଲକ୍ଷ ଚାଷୀଙ୍କୁ ବାର୍ଷିକ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏବେ ୪୩ ଲକ୍ଷ ଚାଷୀଙ୍କୁ ବାର୍ଷିକ ଦୁଇଟି କିସ୍ତିରେ୧୦ ହଜାର ଟଙ୍କା ପରିବର୍ତ୍ତେ ୪ ହଜାର ଟଙ୍କା ଦିଆଯାଉଛି। ସେହିପରି କେନ୍ଦ୍ର ସରକାର ୭୫ ଲକ୍ଷ ଚାଷୀଙ୍କ ମଧ୍ୟରୁ ମାତ୍ର ୨୩ ଲକ୍ଷ ଚାଷୀଙ୍କୁ ପିଏମ୍‌ କିଷାନ ନିଧି ଯୋଜନାରେ ୩ଟି କିସ୍ତିରେ ୬ ହଜାର ଟଙ୍କା ଦେଉଛନ୍ତି। ମୁଖ୍ୟମନ୍ତ୍ରୀ ୨୦୦୭ରେ ରାଜ୍ୟର ସମସ୍ତ ବ୍ଳକରେ ୩୫ ପ୍ରତିଶତ ଜଳସେଚନ ବ୍ୟବସ୍ଥା କରିବା ପାଇଁ ଘୋଷଣା କରିଥିଲେ। ବର୍ତ୍ତମାନସୁଦ୍ଧା ରାଜ୍ୟର ଅଧାରୁ ଅଧିକ ବ୍ଲକ୍‌ରେ ଜଳସେଚନ ବ୍ୟବସ୍ଥା ଠପ୍। କେନ୍ଦ୍ରର ବିଜେପି ଓ ରାଜ୍ୟ ବିଜେଡି ସରକାରରେ ଖାଦ୍ୟ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ସବୁଠାରୁ ପଛୁଆ। ଚାଷୀର ଆୟ ଜାତୀୟସ୍ତରରେ ତଳଆଡ଼ୁ ଦ୍ୱିତୀୟ ବୋଲି ସେ କହିଥିଲେ।

ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ ଓ ପିସିସି ଉପ-ସଭାପତି ଶିବାନଦ ରାୟ କହିଥିଲେ, ନବୀନ ସରକାର ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। କେବଳ ଚାଷୀଙ୍କ ଭୋଟ ହାତେଇବା ପାଇଁ କିଛି ଯୋଜନାର ନୂଆ ଭେଳିକି ଦେଖାଉଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବୃନ୍ଦାବନ ଖଟେଇ, ଶ୍ୟାମସୁନ୍ଦର ଦୋରା, ସ୍ୱପ୍ନେଶ୍ୱର ପୃଷ୍ଟି, ମଙ୍ଗୁ ଖିଲ, ଉପେନ୍ଦ୍ର ସାହୁ, ଧ୍ରୁବଚରଣ ପରିଡ଼ା, ଗୁଣନିଧି ସାହୁ, ଦାଶରଥି ସାହୁ, ରବୀନ୍ଦ୍ର କୁମାର ପାଲ, ଜୟନ୍ତ ମହାପାତ୍ର, ସୁରେନ୍ଦ୍ର ପାଇକରାୟ, ଗୋବିନ୍ଦ ପଟେଲ, ନୂତନ ତ୍ରିପାଠୀ, ବିଶ୍ୱଜିତ ମିଶ୍ର, ମନୋଜ ନାୟକ, ରଘୁନାଥ ପଲିଆ, ମନବୋଧ ପଟେଲ, ପଦ୍ମଚରଣ ସାହୁ ଓ ମନୋଜ କୁମାର ଦିଗାଲ ପ୍ରମୁଖ ନିଜ ନିଜର ଜିଲ୍ଲା ସଂପର୍କରେ ଉଦ୍‌ବୋଧନ ଦେଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।