ଅପରାଧ ରାଜ୍ୟ

ଜୁଆ ଖେଳରୁ ରଣକ୍ଷେତ୍ର ପାଲଟିଲା ଯାତ୍ରା ପଡ଼ିଆ, ପୁଲିସକୁ ପିଟିଲେ

ବାଲିପାଟଣା : ବାଲିପାଟଣା ଥାନା ରାଜସ କୃଷ୍ଣପୁର ଯାତ୍ରାରେ ଚାଲୁଥିବା ଜୁଆ ଖେଳକୁ ବନ୍ଦ କରିବାକୁ ଆସିଥିବା ସ୍ପେସାଲ ସ୍କ୍ୱାଡ୍‌ କର୍ମଚାରୀ ସ୍ଥାନୀୟ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ସ୍ଥାନୀୟ ଲୋକେ ସ୍ପେସାଲ ସ୍କ୍ୱାଡ୍‌ କର୍ମଚାରୀଙ୍କୁ ନିର୍ଧୁମ ମାଡ଼ ମାରିବା ସହ ଟେକା ପଥର ମାଡ଼ କରିଥିଲେ। ପୁଲିସ କର୍ମଚାରୀ ଆଣିଥିବା ଗାଡ଼ି ଛାଡ଼ି ଜୀବନ ବଞ୍ଚାଇବାକୁ ଛତ୍ରଭଙ୍ଗ ଦେଇଥିଲେ। ସୂଚନା ପାଇ ବାଲିପାଟଣା ଥାନା ପୁଲିସ ସେଠାରେ ପହଞ୍ଚି ଗାଡ଼ି ଉଦ୍ଧାର କରିଛି। ଏହାପରେ ଅଧାରୁ ଯାତ୍ରା ବନ୍ଦ ହୋଇଯାଇଥିଲା। ଏହି ଘଟଣାରେ ପୁଲିସ ୨୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ଅନୁସାରେ, ରାଜସ ପଞ୍ଚାୟତ କୃଷ୍ଣପୁରରେ ଗାଁ ପଡ଼ିଆରେ ପ୍ରତିବର୍ଷ ଭଳି ଭଗବତ ଗୋସାଇଁଙ୍କ ମେଳଣ ଚାଲିଥିଲା। ଶୁକ୍ରବାର ଦ୍ୱିତୀୟ ରାତି ଯାତ୍ରା ସମୟରେ ଜୁଆ (ପାଲି) ଖେଳ ହେଉଥିଲା। ବିଶେଷ ସୂତ୍ରରୁ ଖବର ପାଇ ଭୁବନେଶ୍ୱରରୁ ସ୍ପେସାଲ ସ୍କ୍ୱାଡ୍‌ର କିଛି କର୍ମଚାରୀ ପ୍ରଥମେ ସେଠାକୁ ଯାଇଥିଲେ। ପାଲି ଖେଳ ହେଉଥିବା ସ୍ପଷ୍ଟ ହେବାପରେ ଅଧିକ କର୍ମଚାରୀଙ୍କୁ ଡାକିଥିଲେ। ରାତି ପ୍ରାୟ ସାଢେ ୨ଟା ବେଳେ ୧୭ ଜଣ ପୁଲିସ କର୍ମଚାରୀ ପହଞ୍ଚି ଖେଳ ପାଖରେ ରୁଣ୍ଡ ହୋଇଥିବା ଲୋକଙ୍କୁ ଲାଠିରେ ପିଟିବା ସହ ପାଲି ଖେଳ ବନ୍ଦ କରିଥିଲେ। ଏଥିସହିତ ପାଲି ଖେଳୁଥିବା ବ୍ୟକ୍ତିଙ୍କ ମଧ୍ୟରୁ କେତେଜଣଙ୍କୁ ପୁଲିସ ଗାଡ଼ିରେ ବସାଇଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ସ୍ପେସାଲ ସ୍କ୍ୱାଡ୍‌ କର୍ମଚାରୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ସେମାନଙ୍କୁ ତଳେ ପକାଇ ଗଡ଼େଇ ତଡେ଼ଇ ପିଟିଥିଲେ। ଅନ୍ଧାରରେ ଟେକା ପଥର ମାଡ଼ କରିଥିଲେ। କିଛି ସମୟ ପାଇଁ ଯାତ୍ରା ପଡ଼ିଆ ରଣକ୍ଷେତ୍ର ପାଲଟି ଯାଇଥିଲା। ଜୀବନ ବଞ୍ଚାଇବାକୁ ପୁଲିସ କର୍ମଚାରୀ ଯିଏ ଯୁଆଡ଼େ ପାରିଲେ ଦୌଡ଼ିଥିଲେ। ସେମାନେw ଆଣିଥିବା ବାଇକ୍‌କୁ ଉତ୍ତ୍ୟକ୍ତ ଲୋକେ ଛଡ଼େଇ ରଖିଥିଲେ। ଫଳରେ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା। ସ୍ପେସାଲ ସ୍କ୍ୱାଡ୍‌ କର୍ମଚାରୀ ଅଧାବାଟରେ ରହି ବାଲିପାଟଣା ଥାନାକୁ ଫୋନ କରି ଜଣାଇଥିଲେ। ବାଲିପାଟଣା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଯାତ୍ରା ବନ୍ଦ ହୋଇଯାଇଥିଲା ଓ ପଡ଼ିଆ ଶୂନଶାନ ଥିଲା। ସ୍ଥାନୀୟ ସରପଞ୍ଚଙ୍କ ଜରିଆରେ ପୁଲିସ ବାଇକ୍‌ଗୁଡ଼ିକୁ ଉଦ୍ଧାର କରିଥିଲା।
ଉକ୍ତ ଘଟଣାକୁ କମିସନରେଟ ପୁଲିସ ଗମ୍ଭୀରତା ସହ ନେଇଥିଲା। ଶନିବାର ମଧ୍ୟାହ୍ନରେ ବରିଷ୍ଠ ଅଧିକାରୀ ପହଞ୍ଚି ବାଲିପାଟଣା ଥାନା ଅଧିକାରୀ କୃପାସିନ୍ଧୁ ବରାଡ଼ଙ୍କ ସହ ଆଲୋଚନା କରିଥିଲେ। ଅଭିଯୁକ୍ତଙ୍କୁ ଧରିବା ପାଇଁ ଅତିରିକ୍ତ ଡିସିପି ପ୍ରକାଶ ଚନ୍ଦ୍ର ପାଲଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ ହୋଇଥିଲା। ଏହି ଟିମ୍‌ରେ ଜୋନ୍‌-୪ ଏସିପି ପରେଶ କୁମାର ରାଉତ, ୭ଜଣ ଆଇଆଇସି, ଭୁବନେଶ୍ୱର କମିସନରେଟ ପୁଲିସ ହେଡକ୍ଵାଟରର ବରିଷ୍ଠ ଅଧିକାରୀ, ମହିଳା କର୍ମଚାରୀ ଓ ୫ ପ୍ଲାଟୁନ ପୁଲିସ ଫୋର୍ସ ସାମିଲ ହୋଇ ଚଢ଼ଉ କରିଥିଲେ। ଘରକୁ ଘର ପଶି ଯାହା ଉପରେ ସନ୍ଦେହ ହେଲା ଉଠାଇ ଆଣିଥିଲେ। ପୁଲିସ ୨୭ଜଣଙ୍କୁ ଥାନାକୁ ଆଣିଥିବା ବେଳେ ତଦନ୍ତ ପରେ ୨୪ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ରାଜସ ପଞ୍ଚାୟତର ପୂର୍ବତନ ସରପଞ୍ଚ ବାସୁଦେବ ପାଳ ଥିବା ଜଣାପଡ଼ିଛି। ଅପରପକ୍ଷରେ ପାଲି ଖେଳରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନେ ଫେରାର ହୋଇଯାଇଥିବା ବେଳେ କିଛି ନିରୀହ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଥିବା ସେମାନଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।