ନୂଆପଡା ୨୮/୦୬: ନୂଆପଡା ବ୍ଲକ ଧରମବନ୍ଧା, ମୋଟା ନୂଆପଡା ଓ ଭେରା ମଣ୍ଡିରେ ପଡି ରହିଛି ପାଖାପାଖି ୧୪ ହଜାର କ୍ୱିଣ୍ଟାଲ ଧାନ । କେତେବେଳେ ଟାର୍ଗେଟ ତ କେତେବେଳେ ମାସ୍କ ବାହାନା କରି ଧାନ ଉଠାଉ ନାହାନ୍ତି ମିଲର୍ସ । ୫ କେଜିରୁ ଅଧିକା ଚାଲିଛି କଟନି ଛଟନି । ବର୍ତ୍ତମାନ ବର୍ଷାରେ ଧାନ ଓଦା ହେଉଥିବା ବେଳେ କିଛି ଧାନ ଗଜା ମଧ୍ୟ ହେବାକୁ ବସିଲାଣି । ଯାହାପାଇଁ ଚିନ୍ତାରେ ଚାଷୀ ।
ସେପଟେ କିଛିଦିନ ଗଲେ ଟୋକମ ମଧ୍ୟ ଲ୍ୟାପ୍ସ ହୋଇଯିବ । ଯାହାପାଇଁ ମଣ୍ଡିରୁ ତୁରନ୍ତ ଧାନ ଉଠାଇବା ଦାବିରେ ଗତକାଲି ଦିନ ୧୨ଟାରୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ନିଜ କବଜାରେ ନେଇ ଅଫିସ୍ ଭିତରେ ହୋ ହାଲ୍ଲା କରିଥିବା ବେଳେ କେହି ନଶୁଣିବାରୁ ଶେଷରେ କାର୍ଯ୍ୟାଳୟକୁ ତାଲା ମାରିଥିଲେ ।
ଦୀର୍ଘ ୫ ଘଣ୍ଟା ACSO ସହ ୧୦ କର୍ମଚାରି ଅଫିସ୍ ଭିତରେ ବନ୍ଦି ରହିବା ପରେ ଜନ ଶୁଣାଣିରୁ ଫେରି ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଧାନ ଉଠାଇବା ପାଇଁ ପ୍ରତିଶୃତି ଦେବା ପରେ ତାଲା ଖୋଲିଥିଲେ । ସେପଟେ ଧାନ ନଉଠିଲେ ଆନ୍ଦୋଳନ ଉଗ୍ର ରୁପ ନେବ ବୋଲି ଚାଷିନେତା ଚେତାବନୀ ଦେଇଛନ୍ତି ।