ରାଜ୍ୟ ସ୍ପେଶାଲ ରିପୋର୍ଟ

ଜାତୀୟ ସିକିଲସେଲ ଏନେମିଆ ନିରାକରଣ ମିସନ୍‌ରେ ଓଡ଼ିଶାର ୨୩ ଜିଲ୍ଲା

ଭୁବନେଶ୍ବର : ଚଳିତମାସ ଆରମ୍ଭରେ କେନ୍ଦ୍ର ସରକାର ଜାତୀୟ ସିକିଲସେଲ ଏନେମିଆ ନିରାକରଣ ମିସନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ୨୦୪୭ ମସିହା ସୁଦ୍ଧା ଦେଶରୁ ସିକିଲସେଲର ସଂପୂର୍ଣ୍ଣ ନିରାକରଣ ଏହାର ପ୍ରମୁଖ ଲକ୍ଷ୍ୟ ରହିଛି। ଦେଶର ୧୭ଟି ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରାଯାଇଛି। ଓଡ଼ିଶାର ୨୩ଟି ଜିଲ୍ଲା ଏଥିରେ ସାମିଲ ହୋଇଛି। ରାଜ୍ୟ ସରକାର ଉଭୟ ସିକିଲସେଲ ଓ ଥାଲାସିମିଆ ରୋଗକୁ ଏକତ୍ରଭାବେ ଏସବୁ ଜିଲ୍ଲାରେ କାର୍ଯ୍ୟକାରୀ କରୁଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗରୁ ସୂଚନା ମିଳିଛି।

ରାଜ୍ୟର ୧୦-୧୫ ପ୍ରତିଶତ ଲୋକ ସିକିଲସେଲ୍‌ରେ ଆକ୍ରାନ୍ତ। ରାଜ୍ୟ ପାଇଁ ଏହା ଏକ ଜନସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିଛି। ରାଜ୍ୟରେ ୨୦,୪୭୬ଜଣ ପଞ୍ଜିକୃତ ସିକିଲସେଲ ରୋଗୀ ରହିଛନ୍ତି। ବଲାଙ୍ଗୀରରେ ସର୍ବାଧିକ ୩୦୧୧, ବରଗଡ଼ ୨୨୨୮, କନ୍ଧମାଳ ୧୮୪୩, କୋରାପୁଟ ୧୭୭୬, ସୁନ୍ଦରଗଡ଼ ୧୨୯୯, କଳାହାଣ୍ଡି ୧୧୧୫, ଯାଜପୁର-ଜଗତସିଂହପୁରରେ କୌଣସି ରୋଗୀ ନାହାନ୍ତି। ସାଧାରଣତଃ ସିକିଲସେଲ ଏନେମିଆର ଲକ୍ଷଣ ୬ମାସ ପରେ ପ୍ରକାଶ ପାଇଥାଏ। ହାତଗୋଡ଼ ଫୁଲିଯିବା, ଯନ୍ତ୍ରଣା, ସ୍ପ୍ଲିନ୍‌ରେ ସମସ୍ୟା ଓ ଦୃଷ୍ଟି ଶକ୍ତି ଦେଖା ଦେଇଥାଏ। ମାତ୍ର ଚିନ୍ତାର ବିଷୟ ଯେ ଏଥିରେ ଆକ୍ରାନ୍ତ ବ୍ୟକ୍ତିର ପରବର୍ତୀ ପିଢ଼ି ମଧ୍ୟ ଏଥିରେ ଆକ୍ରାନ୍ତ ହୋଇଥାନ୍ତି। ତେଣୁ ଏହି ଲୋକମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇଦେବା ପାଇଁ ଏହି ଅଭିଯାନର ପ୍ରମୁଖ ଲକ୍ଷ୍ୟ।

ଜାତୀୟ ସିକିଲସେଲ ନିରାକରଣ ମିସନ୍‌ରେ ଅନୁଗୁଳ, ବାଲେଶ୍ବର, ବରଗଡ଼, ବଲାଙ୍ଗୀର, ବୌଦ୍ଧ, ଦେବଗଡ଼, ଗଜପତି, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ଏହା କାର୍ଯ୍ୟକାରୀ ହେବ। ଏହି ଅଭିଯାନରେ ୦-୪୦ବର୍ଷ ବୟସ୍କଙ୍କ ରକ୍ତ ପରୀକ୍ଷା କରାଯାଇ ସେମାନଙ୍କଠାରେ ସିକିଲସେଲ ରୋଗର ଲକ୍ଷଣ ରହିଛି କି ନାହିଁ ତାହାର ଚିହ୍ନଟ କରାଯିବ। ଗର୍ଭବତୀ ମହିଳା, ଅଙ୍ଗନବାଡ଼ି କେନ୍ଦ୍ର, ସ୍କୁଲ ଓ କଲେଜ ଭଳି ସ୍ଥାନରେ ରକ୍ତ ପରୀକ୍ଷା କରାଯିବ। ଜାତୀୟ ସିକିଲସେଲ ପୋର୍ଟାଲରେ ଏସବୁର ସମସ୍ତ ତଥ୍ୟ ରହିବ। ସିକିଲସେଲ ରୋଗର ସ୍କ୍ରିନିଂ ପାଇଁ ଟେଷ୍ଟିଂ କିଟ୍‌ ଓ ସିକିଲସେଲ ଜେନେଟିକ୍ ଷ୍ଟାଟସ୍ କାର୍ଡ ମଧ୍ୟ ଯୋଗାଇ ଦିଆଯିବ।

ଅପରପକ୍ଷରେ ରାଜ୍ୟ ସରକାର ୨୦୧୭ ମସିହାରୁ ରାଜ୍ୟରେ ଥାଲାସିମିଆ ଓ ସିକିଲସେଲ ରୋଗ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ସିଏମ୍‌ସି ଭେଲୋର ସହାୟତାରେ ୧୫ଟି ଜିଲ୍ଲାରେ ଏହା କାର୍ଯ୍ୟକାରୀ ହେଉଛି। ପରବର୍ତୀ ସମୟରେ ରାଜ୍ୟର ସବୁ ଜିଲ୍ଲାରେ ଏହାକୁ କାର୍ଯ୍ୟକାରୀ କରାଯିବା ସହିତ ଚୁକ୍ତିନାମାକୁ ୨ବର୍ଷ ପାଇଁ ବଢ଼ାଇ ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ୧.୬ଲକ୍ଷ ଲୋକଙ୍କ ସ୍କ୍ରିନିଂ କରାଯାଇଛି। ଏହାସହ ୪୫ଟି ନମୁନାର ଭ୍ରୁଣରେ ଜିନ୍‌ଗତ ସମସ୍ୟାର ଜାଣିବା ଲାଗି କ୍ରୋନିକ୍ ଭିଲସ ସାମ୍ପଲିଂ କରାଯାଇଛି। ଏଥିପାଇଁ ସିଏମ୍‌ସି ଭେଲୋର ପକ୍ଷରୁ କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜରେ ଏକ ଜେନେଟିକ୍ ଲାବୋରେଟାରି ପ୍ରତିଷ୍ଠା କରାଯାଇଛି। ଏହାସହ ଏସ୍‌ସିବି, ବୁର୍ଲା ଓ କୋରାପୁଟ ମେଡିକାଲ କଲେଜରେ କ୍ରୋନିକ୍ ଭିଲସ ସାମ୍ପଲିଂର ବ୍ୟବସ୍ଥା ରହିଛି।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ କହିଛନ୍ତି ଯେ ଜାତୀୟ ସିକିଲସେଲ ନିରାକରଣ ମିସନ୍‌ ସୋନପୁରରେ ଶୁଭାରମ୍ଭ ହୋଇଛି। ଏହି ଅଭିଯାନରେ ରାଜ୍ୟର ସାମିଲ ହୋଇଥିବା ଜିଲ୍ଲା ପାଇଁ କେନ୍ଦ୍ର ସରକାର ପାଣ୍ଠି ଯୋଗାଇଦେବେ। ରାଜ୍ୟ ସରକାର କିନ୍ତୁ ଥାଲାସିମିଆ ଓ ସିକିଲସେଲକୁ ମିଶାଇ ଅଭିଯାନ ଜାରି ରଖିଛନ୍ତି। ସବ-ସେଣ୍ଟର ସ୍ତରରେ ସାର୍ବଜନୀନ ସ୍କ୍ରିନିଂ କରାଯିବ। ସିକିଲସେଲରେ ଆକ୍ରାନ୍ତ ରୋଗୀମାନଙ୍କୁ ପରିବହନ ଖର୍ଚ୍ଚ ବାବଦରେ ୫ଶହ ଟଙ୍କା ପ୍ରଦାନ କରାଯାଉଛି। ଏହାସହ ମାଗଣା ରକ୍ତ ମଧ୍ୟ ପ୍ରଦାନ କରାଯାଉଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।