ଭୁବନେଶ୍ବର: ମହାରାଷ୍ଟ୍ରର ନବୀମୁମ୍ବାଇଠାରେ ଚଳିତମାସ ୫ରୁ ୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ୨୫ତମ ଜାତୀୟ କନିଷ୍ଠ ରୋଡ୍ ସାଇକ୍ଲିଂ ପ୍ରତିଯୋଗିତାରେ ରାଉରକେଲା ଝିଅ ସ୍ବସ୍ତି ସିଂହ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୬୦ କିଲୋମିଟର ବର୍ଗରେ ଏହି ସ୍ବର୍ଣ୍ଣିମ ସଫଳତା ପାଇଥିବା ସ୍ବସ୍ତି ୨ ଘଣ୍ଟା ୨୫.୪୬୨ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନରେ ରହିଥିଲେ। କର୍ଣ୍ଣାଟକର ଦନମା ଚିଚାଖଣ୍ଡି ଦ୍ବିତୀୟ ଓ ଆର୍ଏସ୍ପିବିର କୋମଲ ଦେଶମୁଖ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହି ବର୍ଗରେ ୫୪ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲା ବେଳେ ୩୨ଜଣ ରେସ୍ ଶେଷ କରିଥିଲେ। ଦୁର୍ଭାଗ୍ୟଜନକ ଭାବେ ନିଜ ଦ୍ବିତୀୟ ଇଭେଣ୍ଟ ୍ ପୂର୍ବରୁ ସ୍ବସ୍ତିଙ୍କ ସାଇକେଲ୍ ପମ୍ପଚର୍ ହୋଇଯାଇଥିଲା। ଫଳରେ ସେ ଦ୍ବିତୀୟ ପଦକ ଜିତିବାରୁ ବଞ୍ଚିତ ହୋଇଥିଲେ। ୨୦ ବର୍ଷୀୟା ସ୍ବସ୍ତି ଅତୀତରେ ମଧ୍ୟ ଏକାଧିକ ଜାତୀୟ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି।