ଭୁବନେଶ୍ବର : କିଟ୍ର ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମ୍ରେ ଚାଲିଥିବା ୬୯ତମ ବରିଷ୍ଠ ଜାତୀୟ ଭଲିବଲ୍ ପ୍ରତିଯୋଗିତାରେ ରବିବାର ଓଡ଼ିଶାକୁ ଲଗାତାର ଦ୍ବିତୀୟ ଦିବସରେ ଯୁଗଳ ବିଜୟ ମିଳିଛି। ତୃତୀୟ ଦିନରେ ଓଡ଼ିଶା ପୁରୁଷ ଓ ମହିଳା ଦଳ ସମାନ ପ୍ରତିଦ୍ବନ୍ଦ୍ବୀ ଚଣ୍ଡୀଗଡ଼କୁ ହରାଇଛନ୍ତି। ଓଡ଼ିଶା ପୁରୁଷ ଦଳ ଦିନର ସର୍ବାଧିକ ସମୟ (୧୦୫ ମିନିଟ୍) ଲଢ଼େଇ କରି ଚଣ୍ଡୀଗଡ଼କୁ ୩-୧ରେ (୨୨-୨୫, ୨୫-୧୦, ୨୫-୨୦, ୨୯-୨୭)ରେ ପରାସ୍ତ କରିଥିଲେ। ମୋଟ ପଏଣ୍ଟ୍ ମୁକାବିଲାରେ ମଧ୍ୟ କଡ଼ା ଟକ୍କର (୧୦୨-୯୬) ଦେଖିବାକୁ ମିଳିଥିଲା। ମହିଳା ଦଳ କିନ୍ତୁ ମାତ୍ର ୫୦ ମିନିଟ୍ ଲଢ଼େଇ କରି ଏକତରଫା ଭାବେ ୩-୦ରେ ବିଜୟୀ ହୋଇଥିଲେ। ୨୫-୭, ୨୫-୧୩, ୨୫-୧୨ରେ ଓଡ଼ିଶା ମହିଳା ଜିତି ଘରୋଇ ପ୍ରଶଂସକଙ୍କ ପାଇଁ ଖୁସି ବଢ଼ାଇ ଦେଇଥିଲେ।
ରବିବାର ପୁରୁଷ ବିଭାଗରେ ଅନ୍ୟମ୍ୟାଚ୍ ଗୁଡିକରେ ମଧ୍ୟପ୍ରଦେଶ ୩-୦ରେ ଲଦାଖକୁ, ଉତ୍ତରାଞ୍ଚଳ ୩-୦ରେ ଝାଡ଼ଖଣ୍ଡକୁ, ଗୁଜୁରାଟ ୩-୦ରେ ତେଲେଙ୍ଗାନାକୁ, ଜମ୍ମୁ କଶ୍ମୀର ୩-୦ରେ ତ୍ରିପୁରାକୁ, ଆନ୍ଧ୍ରପ୍ରଦେଶ ୩-୧ରେ ହିମାଚଳ ପ୍ରଦେଶକୁ, ପଣ୍ଡିଚେରୀ ୩-୦ରେ ଦିଲ୍ଲୀକୁ ପରାସ୍ତ କରିଥିଲା। ମହିଳା ବିଭାଗରେ ତାମିଲନାଡକୁ ମହାରାଷ୍ଟ୍ର, ଜମ୍ମୁ କଶ୍ମୀରକୁ ମଧ୍ୟପ୍ରଦେଶ, ଲଦାଖକୁ ଚଣ୍ଡୀଗଡ଼, ପଞ୍ଜାବକୁ ଉତ୍ତରପ୍ରଦେଶ, ଝାଡ଼ଖଣ୍ଡକୁ ଗୁଜରାଟ, ମିଜୋରାମକୁ କର୍ଣ୍ଣାଟକ, ମଣିପୁରକୁ ରାଜସ୍ଥାନ ସମାନ ୩-୦ରେ ପରାସ୍ତ କରିଥିବାବେଳେ ଉତ୍ତରାଞ୍ଚଳ ୩-୧ ସେଟରେ ପଣ୍ଡିଚେରୀକୁ ପରାସ୍ତ କରିଥିଲା।