ନୂଆଦିଲ୍ଲୀ ୩୦/୦୮ : ବଲିଉଡର ସମ୍ରାଟ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବହୁତ ସକ୍ରିୟ । ସେ ବେଳେବେଳେ ନିଜର ପୁରୁଣା ଫଟୋ ଏବଂ ପୋଷ୍ଟ କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ବିଗ୍ ବି ଏକ ଫଟୋ ସେୟାର କରିଛନ୍ତି ଏବଂ ଜାତୀୟ କ୍ରୀଡା ଦିବସକୁ ସ୍ୱତନ୍ତ୍ର କରିଛନ୍ତି। ଅଗଷ୍ଟ ୨୯ ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ, ଏହି ଦିନକୁ ସମଗ୍ର ଦେଶ ଜାତୀୟ କ୍ରୀଡ଼ା ଦିବସ ଭାବରେ ପାଳନ କରିଥାଏ । ଏହି ଅବସରରେ ଅମିତାଭ ବଚ୍ଚନ ମଧ୍ୟ ତାଙ୍କ ଥ୍ରୋବ୍ୟାକ୍ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ପୁଅ ଅଭିଷେକ ବଚ୍ଚନ ଏବଂ ଝିଅ ଶ୍ୱେତା ବଚ୍ଚନ ନନ୍ଦାଙ୍କ ସହ ବଲରେ ଖେଳୁଥିବା ନଜର ଆସିଛନ୍ତି।
ଅମିତାଭ ବଚ୍ଚନଙ୍କ ଏହି ଫଟୋରେ ତାଙ୍କ ପତ୍ନୀ ଜୟା ବଚ୍ଚନ ମଧ୍ୟ ନଜର ଆସିଛନ୍ତି। ଏହି ଫଟୋ ସେୟାର କରି ଅମିତାଭ ଏହା କେବେ ଏବଂ କେଉଁଠାରେ କରାଯାଇଛି ତାହା କହି ନାହାଁନ୍ତି। କିନ୍ତୁ ପ୍ରଶଂସକ ତାଙ୍କ ଏହି ଫଟୋକୁ ବହୁତ ପସନ୍ଦ କରୁଛନ୍ତି । ଅମିତାଭ କ୍ୟାପସନରେ ଲେଖିଛନ୍ତି: ‘ନେସନାଲ୍ ସ୍ପୋର୍ଟସ୍ ଡେ।’ ଅଭିଷେକ ବଚ୍ଚନ ମଧ୍ୟ ଏହି ବିଶେଷ ଅବସରରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଫୁଟବଲ ଖେଳୁଥିବାର ନଜର ଆସିଛନ୍ତି।
ଅମିତାଭ ଏବଂ ଜୟା ଜୁନ୍ ୧୯୭୩ ରେ ବିବାହ କରିଥିଲେ। ଉଭୟ ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି । ସେଥିମଧ୍ୟରୁ ଜଞ୍ଜୀର, ଶୋଲେ, ଅଭିମାନ, ମିଲି, ଚୁପକେ ଚୁପକେ ଏବଂ ସିଲସିଲା ଫିଲ୍ମ ପ୍ରମୁଖ।
ଜୟା ବଚ୍ଚନ ଅଭିଷେକ ଏବଂ ଶ୍ୱେତାଙ୍କ ଜନ୍ମ ପରେ ଫିଲ୍ମରୁ ନିଜକୁ ଦୂରେଇ ରଖିଥିଲେ। ସେ ଏବେ ଫିଲ୍ମରେ ବହୁତ କମ୍ ଦେଖାଯାଉଛନ୍ତି । କିଛି ବର୍ଷ ପୂର୍ବରୁ ଅମିତାଭ ଏବଂ ଜୟା ଫିଲ୍ମ ‘କଭି ଖୁସି କଭି ଗମ’ରେ ଏକାଠି କାମ କରିଥିଲେ । ୱାର୍କଫ୍ରଣ୍ଟରେ ଅମିତାଭଙ୍କ ଫିଲ୍ମ ‘ଚେହରେ’ ନିକଟରେ ରିଲିଜ୍ ହୋଇଛି। ସେ ଆଜିକାଲି ଫିଲ୍ମ ‘ଗୁଡ୍ବାଏ’ ପାଇଁ ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହା ବ୍ୟତୀତ ସେ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ମଧ୍ୟ ନଜର ଆସିବେ।