ରାଜ୍ୟ ସ୍ପେଶାଲ ରିପୋର୍ଟ

ଜାତୀୟ କଳା ଉତ୍ସବ ଉଦ୍‌ଘାଟିତ; ଶିକ୍ଷା ସହ କଳା, ସାହିତ୍ୟ ଓ ସଂସ୍କୃତିର ସଂପର୍କ ନିବିଡ଼: ଧର୍ମେନ୍ଦ୍ର

ଭୁବନେଶ୍ବର: ଆମ ଦେଶର ଶିକ୍ଷା ବ୍ୟବସ୍ଥା‌‌ ସହ କଳା ଓ ସଂସ୍କୃତିର ନିବିଡ଼ ସଂପର୍କ ରହିଛି। କଳା, ସାହିତ୍ୟ ଓ ସଂସ୍କୃତି ଶିକ୍ଷାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଆମ ଦେଶରେ ଶିକ୍ଷକମାନେ ପାଠ ପଢ଼ାଇବା ସମୟରେ ଦେଶର ବିଭିନ୍ନ ଐତିହ୍ୟକୁ ଭାରତୀୟ କଳା, ସଂସ୍କୃତିର ଉଦାହରଣ ଦେଇ ବୁଝାଇଥା’ନ୍ତି। ତେଣୁ ଦେଶର ଐତିହ୍ୟ ଓ ସଂସ୍କୃତିକୁ ମନେ ନ ରଖିଲେ ଆମ ପାଠପଢ଼ା ଅସଂପୂର୍ଣ୍ଣ ରହିଯିବ। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ଶିକ୍ଷା କେନ୍ଦ୍ର(ଆର୍‌ଆଇଆଇ)ଠାରେ ଭାରତ ସରକାରଙ୍କ ରାଷ୍ଟ୍ରୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ(ଏନ୍‌ସିଇଆରଟି) ଓ ବିଦ୍ୟାଳୟ ଶିକ୍ଷା ଓ ସ୍ବାକ୍ଷରତା ବିଭାଗ ପକ୍ଷରୁ ଆୟୋଜିତ ୫ ଦିନିଆ ଜାତୀୟ କଳା ଉତ୍ସବ-୨୦୨୨ର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏହା କହିଛନ୍ତି।

ଶ୍ରୀ ପ୍ରଧାନ ଆହୁରି କହିଥିଲେ ଯେ ଓଡ଼ିଶାର କଳା, ସଂସ୍କୃତି ବିଶ୍ବବିଦିତ। ରାଜ୍ୟର ବିଭିନ୍ନ ଐତିହ୍ୟ ସ୍ଥଳ ଓଡ଼ିଶାର କଳା, ସଂସ୍କୃତିକୁ ମହାନ କରାଇଛି। ପାଖାପାଖି ୧୦୦୦ ବର୍ଷ ପୁରୁଣା କୋଣାର୍କ ମନ୍ଦିରରୁ ସେ ସମୟର ବୈଜ୍ଞାନିକ ପଦ୍ଧତି ସଂପର୍କରେ ସୂଚନା ମିଳେ। ମନ୍ଦିର ନିର୍ମାଣରେ ଲୁହା, ଚୁମ୍ବକୀୟ ଶକ୍ତି, ସିଭିଲ କନ୍‌ଷ୍ଟକ୍ରସନ୍‌, କେମିକାଲ ଇଂଜିନିୟରିଂ ଭଳି ସବୁବିଦ୍ୟାର ପ୍ରୟୋଗ କରାଯାଇଥିଲା। ବାହାର ରାଜ୍ୟର ଛାତ୍ରଛାତ୍ରୀମାନେ ନିଶ୍ଚିତ ଭାବେ ଏହି ମନ୍ଦିର ବୁଲି ଯିବା ଉଚିତ। ଭାରତର କଳା ଓ ସଂସ୍କୃତିକୁ ଆମ ପାଠ୍ୟକ୍ରମରେ ସାମିଲ କରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ସେ କହିଥିଲେ।

‌ଶିକ୍ଷାନୀତି ସଂପର୍କରେ ସୂଚନା ଦେଇ ସେ କହିଥିଲେ, ନୂତନ ଜାତୀୟ ଶିକ୍ଷାନୀତିର କ୍ରିୟାନ୍ବୟନ କାମ ଦ୍ରୁତ ଗତିରେ ଚାଲୁଅଛି। ୩ବର୍ଷ ବୟସରୁ ବାଲ୍‌ ବାଟିକା ଆରମ୍ଭ ହେଉଛି। ଏଥିପାଇଁ ନୂତନ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ଚଳିତବର୍ଷ ସରସ୍ବତୀ ପୂଜାଠାରୁ ପ୍ରାରମ୍ଭିକ ଅବସ୍ଥା ତଥା ବାଲବାଟିକାରୁ ଦ୍ବିତୀୟ ଶ୍ରେଣୀ ପର୍ଯ୍ୟନ୍ତ ଓ ପ୍ରଥମ ପାଞ୍ଚବର୍ଷର ଟିଚିଂ ଲର୍ଣ୍ଣିଂ ମ୍ୟାଟେରିଆଲ୍‌ ଓ ବହି ବି ଆସିଯିବ। ଏନ୍‌ସିଇଆର୍‌ଟି ଭାରତ ସରକାର ଓ ରାଜ୍ୟ ସରକାରଙ୍କ ସହ ମିଶି ପୁସ୍ତକ ତିଆରି କରାଯାଉଛି। ଆଗାମୀ ଦିନରେ ଏକବିଂଶ ଶତାବ୍ଦୀର ଆବଶ୍ୟକତା, ବସୁଧୈବ କୁଟୁମ୍ବକମ୍‌ର ଭାବନା ଆଧାରରେ ବୈଶ୍ବିକ ନାଗରିକ ପ୍ରସ୍ତୁତ କରିବା ଭଳି ୧୫ ବର୍ଷର ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯିବ। ପିଲାଟି ପଢ଼ିବାର ପ୍ରାରମ୍ଭିକ ସମୟରେ ମାତୃଭାଷାରେ ପଢ଼ିଲେ ତା’ର ପ୍ରତିଭା ବିକଶିତ ହୋଇପାରିବ। ତେଣୁ ଶିକ୍ଷାନୀତିରେ ଭାରତୀୟ ଭାଷାକୁ ଗୁରୁତ୍ବ ଦିଆଯାଉଛି। ମାତୃଭାଷା ସହ ସ୍ଥାନୀୟ ଭାଷାକୁ ମଧ୍ୟ ଅଧିକ ଗୁରୁତ୍ବ ଦିଆଯାଉଛି।

ସମ୍ମାନିତ ଅତିଥି ଭାବେ ଶିକ୍ଷା ମନ୍ତ୍ରାଣଳୟର ସଚିବ ସଞ୍ଜୟ କୁମାର ଯୋଗଦେଇ କହିଲେ, ଆମ ଅଞ୍ଚଳର କଳା ଓ ସଂସ୍କୃତି ଶ୍ରେଷ୍ଠ। ଯେଉଁ ଅଞ୍ଚଳର କଳା ଓ ସଂସ୍କୃତି ଭଲ, ସେ ଅଞ୍ଚଳ ଅଧିକ ବିକଶିତ। ଏହାଦ୍ବାରା ଆମ ଅଞ୍ଚଳର ସମସ୍ତ ବିକାଶ ହୋଇଥାଏ। ଆଗାମୀ ଦିନରେ କଳା ଓ ସଂସ୍କୃତିକୁ ନେଇ ବିଷୟ ପିଲାଙ୍କ ପାଠ୍ୟକ୍ରମରେ ସ୍ଥାନିତ ହେବ। ଶିକ୍ଷା ମନ୍ତ୍ରାଣଳୟ ନିର୍ଦ୍ଦେଶକ ଦିନେଶ ପ୍ରସାଦ ସକ୍‌ଲାନି ଅନ୍ୟତମ ଅତିଥି ଭାବେ ଯୋଗଦେଇ ରାଷ୍ଟ୍ରୀୟ କଳା ଉତ୍ସବର ମହତ୍ତ୍ବ ସଂପର୍କରେ କହିଥିଲେ। କାର୍ଯ୍ୟକ୍ରମର ଜାତୀୟ ସଂଯୋଜକ ପୱନ ସୁଧିର ସ୍ବାଗତ ଭାଷଣ ଦେଇଥିବା ବେଳେ ଆରଆଇଇର ଅଧ୍ୟକ୍ଷ ପି ସି ଅଗ୍ରୱାଲ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଏହି ଅବସରରେ ଅନୁଷ୍ଠାନ ପରିସରରେ ଲକ୍ଷ୍ମୀବାଇ ଛାତ୍ରାବାସକୁ କେନ୍ଦ୍ର ମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ପରେ ‘ଟିଚର୍ସ ଗାଇଡ୍‌ ବୁକ୍‌’ ଲୋକାର୍ପିତ ହୋଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।