ରାଜ୍ୟ

‘ଜାଗା ମିସନ୍‌’କୁ ଜାଗା ଅଡ଼ୁଆ: ପୂର୍ତ୍ତ ବିଭାଗ ଜମିରେ ୨୨ ବସ୍ତି, ବିଏମ୍‌ସି ନାମରେ କରିବାକୁ ଚିଠି

ଭୁବନେଶ୍ବର: ବିବାଦ ଜାଗା ମିସନ୍‌ର ପିଛା ଛାଡ଼ୁନି। କେଉଁଠି ବସ୍ତି କଲ୍ୟାଣ ସଂଘ (ଏସ୍‌ଡିଏ) ଯୋଗ୍ୟ ହିତାଧିକାରୀଙ୍କ ନାଁ ତାଲିକାରୁ କାଟି ଦେଉଛି ତ କେଉଁଠି ହାତଗୁଞ୍ଜା ଦେଲେ ତାଲିକାରେ ନାଁ ଯୋଡ଼ି ହୋଇଯାଉଛି ବୋଲି ଅଭିଯୋଗ ହେଉଛି। ଜାଗା ମିସନ୍‌ରେ ଆସିଥିବା ଏଭଳି ୪୭ ହଜାର ଅଭିଯୋଗକୁ ନେଇ ବିଏମ୍‌ସି ଛନ୍ଦି ହୋଇପଡ଼ିଥିବା ବେଳେ ନୂଆ ଜାଗା ଅଡ଼ୁଆ ଏହି ମିସନ୍‌ର ବାଟ ଓଗାଳିଛି। ପୂର୍ତ୍ତ ବିଭାଗ ଅଧୀନରେ ରହିଥିବା ଜାଗାରେ ଗଢ଼ି ଉଠିଥିବା ୨୨ଟି ବସ୍ତି‌ରେ ୧୧୩୯ ପରିବାର ଘର କରି ରହୁଛନ୍ତି। ଜାଗା ପୂର୍ତ୍ତ ବିଭାଗ ଅଧୀନରେ ରହିଥିବାରୁ ବିଏମ୍‌ସି ଏମାନଙ୍କୁ ଜମି ଅଧିକାର ଦେବାରେ ସମସ୍ୟା ଉପୁଜିଛି।

ଏହି ନୂଆ ଅଡ଼ୁଆ ବାବଦରେ ବିଏମ୍‌ସି କମିସନର ବିଜୟ ଅମୃତା କୁଲାଙ୍ଗେ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି। ଏହି ସବୁ ଜମି ବିଏମ୍‌ସି ନାମରେ କରିଦେଲେ, ଜମି ଅଧିକାର ପ୍ରଦାନ କରାଯିବ ବୋଲି ଦର୍ଶାଇଛନ୍ତି। ଚିଠିକୁ ଆଧାର କରି ପୂର୍ତ୍ତ ବିଭାଗ ସ୍ବତନ୍ତ୍ର ସଚିବ ସମ୍ପୃକ୍ତ ବିଭାଗର ମୁଖ୍ୟଯନ୍ତ୍ରୀଙ୍କୁ ଚିଠି ଲେଖି ଏ ବାବଦରେ ନିଷ୍ପତ୍ତି ନେବାକୁ କହିଛନ୍ତି। କୌତୂହଳର କଥା ହେଉଛି ଅଧିକାଂଶ ଜାଗା ରାସ୍ତା ଓ ନୟନଯୋଡ଼ି ରହିଛି। ଏହି ଜଗା ଯଦି ପୂର୍ତ୍ତ ବିଭାଗ ବିଏମ୍‌ସିକୁ ଦେଇ ଦେଉଛି, ତେବେ ରାସ୍ତା‌ ପାଇଁ ଉଦ୍ଦିଷ୍ଟ ଜାଗାରେ ଘର ହୋଇଯିବ। ଏହାକୁ ନ ଦେଲେ ୧୧୩୯ ପରିବାର ସରକାରଙ୍କ ପାଇଲଟ୍‌ ପ୍ରୋଜେକ୍ଟ ‘ଜାଗା ମିସନ୍‌’ରୁ ବାଦ୍‌ ପଡ଼ିଯିବେ। ଏଣୁ ପୂର୍ତ୍ତ ବିଭାଗ ହରଡ଼ଘଣାରେ ପଡ଼ିଛି। ସମସ୍ତେ ପୂର୍ତ୍ତ ବିଭାଗର ନିଷ୍ପତ୍ତିକୁ ଚାହିଁ ବସିଛନ୍ତି। ଯଦିଓ ଏଥିପାଇଁ କୌଣସି ଶେଷ ତାରିଖ ଧାର୍ଯ୍ୟ କରାଯାଇନାହିଁ, ତଥାପି ଅଗଷ୍ଟ ସୁଦ୍ଧା ନିଷ୍ପତ୍ତି ନେବାକୁ ପୂର୍ତ୍ତ ବିଭାଗକୁ କୁହାଯାଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

ଜାଗା ମିସନ୍‌କୁ ସରକାର ଗୁରୁତ୍ବର ସହ ନେଇଥିଲେ। ଗତ ମେ’ରେ ବିଏମ୍‌ସିରେ ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ପ୍ରମାଣପତ୍ର ବାଣ୍ଟିବା ପାଇଁ ଯୋଜନା ହୋଇଥିଲା। କିନ୍ତୁ ବିଏମ୍‌ସିରେ ଅଭିଯୋଗପତ୍ର ଗଦା ହେବାରେ ଲାଗିଥିଲା। ଆସିଥିବା ପ୍ରାୟ ୪୭ ହଜାର ଅଭିଯୋଗରୁ ପ୍ରାୟ ୧୬ ହଜାର ଅଭିଯୋଗକାରୀଙ୍କ ଠିକଣା ଭୁଲ ରହିଥିବା ବେଳେ ୮ ହଜାର ଅଭିଯୋଗକାରୀଙ୍କର ଆଧାରକାର୍ଡରେ ତ୍ରୁଟି ଥିଲା। ଏଭଳି ଅଭିଯୋଗ ବଢ଼ି ବଢ଼ି ଚାଲିଥିଲା। ବିରୋଧୀ ମଧ୍ୟ ଏହାକୁ ପ୍ରସଙ୍ଗ କରି ଆନ୍ଦୋଳନ କରିଥିଲେ। ଏଭଳି ସମସ୍ୟାରେ ବିଏମ୍‌ସି ଯୁଝି ହେଉଥିବା ବେଳେ ଜାଗାକୁ ନେଇ ନୂଆ ବିବାଦ ଛିଡ଼ା ହୋଇଥିଲା। ସର୍ଭେ ବେଳେ ଜଣାପଡ଼ିଥିଲା କି ପୂର୍ତ୍ତ ବିଭାଗ ଜାଗାରେ ୧୧୩୯ ଘର ଥିଲା। ପ୍ରାୟ ସାଢ଼େ ୩ ଏକର ଜାଗା ଏହି ବସ୍ତିବାସିନ୍ଦାଙ୍କ ଅଧୀନରେ ରହିଥିଲା। ଏହି ସବୁ ଜମି ପୂର୍ତ୍ତ ବିଭାଗକୁ ଦିଆଯାଇଥିଲା। ଏଥିରୁ ପ୍ରାୟ ୨ ଏକର ଜାଗା ରାସ୍ତା କରିବା ପାଇଁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଥିଲା। କେତେକ ଜାଗା‌ରେ ନୟନଯୋଡ଼ି ଥିଲା। ଆଉ କେତେକ ଜାଗା ନାଳ ଓ ନାଳ ବନ୍ଧ ରହିଥିଲା।

ରାମପୁର ମୌଜା ଶାସ୍ତ୍ରୀନଗର ଉପର ବସ୍ତିରେ ୬୦.୩୬ ଡିସିମିଲି ବା ୨୬୨୯୨ ବର୍ଗଫୁଟ୍‌ ଜାଗାରେ ୧୩୪ ଘର ହୋଇଛି। ଏହି ବସ୍ତି ସର୍ବାଧିକ ଜାଗା ମାଡ଼ି ବସିଛି। ଏହା ପରେ ପାଣ୍ଡରା ମୌଜାର ନହରକଣ୍ଟା ଭୋଇସାହିର ୯ ପରିବାର ୩୦ ଡିସିମିଲି ବା ୭୫୩୩ ବର୍ଗଫୁଟ ଅଞ୍ଚଳରେ ଘର କରିଛନ୍ତି। ସେହିଭଳି ଫାର୍ମଗେଟ୍‌ ଓୟୁଏଟି ବସ୍ତିରେ ୨୩୧୪୪ ବର୍ଗଫୁଟ୍‌ ବା ୫୩ ଡିସିମିଲି ଜାଗା‌ରେ ୧୮୮ ପରିବାର ରହୁଥିବା ବେଳେ ୬୮୧୮ ବର୍ଗଫୁଟ୍‌ ବା ୧୫.୬୫ ଡିସିମିଲି ଜମିରେ ୬୯ ପରିବାର ବାସ କରୁଛନ୍ତି। ଏ ସବୁର କିସମ ସଡ଼କ ବା ରାସ୍ତା ରହିଛି। ପୂର୍ତ୍ତ ବିଭାଗ ରାସ୍ତା ପାଇଁ ଜମି ନେଇଥିଲା। କେଉଁଠି ରାସ୍ତା ନିର୍ମାଣ ପରେ ବଳକା ଜାଗାରେ ବସ୍ତି ଗଢ଼ି ଉଠିଛି। ଆଉ କେଉଁଠି ରାସ୍ତା ପ୍ରସ୍ତାବ ରହିଛି କିନ୍ତୁ ନିର୍ମାଣ ପୂର୍ବରୁ ବସ୍ତି ହୋଇଯାଇଛି। ପୂର୍ତ୍ତ ବିଭାଗ ଅଧୀନରେ ରହିଥିବା ଜାଗାରେ ବସ୍ତିଗୁଡ଼ିକ ୱାର୍ଡ ନଂ୪, ୫, ୧୮, ୩୬, ୩୯, ୪୦, ୪୨, ୫୦ ଓ ୫୧ରେ ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।