ଭୁବନେଶ୍ବର: ମେ’ ପ୍ରଥମ ସପ୍ତାହ। ବାତ୍ୟା ‘ମୋଚା’ ଓଡ଼ିଶା ଛୁଇଁବାର ସମ୍ଭାବନା ହିଁ ନ ଥିଲା। ତା’ସତ୍ତ୍ବେ ମୁକାବିଲା ପାଇଁ ବିଏମ୍ସି ପ୍ରସ୍ତୁତ କରିଥିଲା ରଣନୀତି। ବୈଠକ କରି ବିଏମ୍ସି ମେୟର ସୁଲୋଚନା ଦାସ ‘ଜିରୋ କାଜୁଆଲ୍ଟି’ ଉପରେ ଗୁରୁତ୍ବାରୋପ କରିଥିଲେ। ପ୍ରତ୍ୟେକ ଜୋନ୍ ଓ ମୁଖ୍ୟାଳୟରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲିବା, କୌଣସି ଅଧିକାରୀ କିମ୍ବା କର୍ମଚାରୀ ୧୦ ଦିନ ପର୍ଯ୍ୟନ୍ତ ମୁଖ୍ୟାଳୟ ଛାଡ଼ି ନଯିବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଗୋଟିଏ ଦିନର ବର୍ଷା ମୁକାବିଲାରେ ବିଏମ୍ସି କେତେ ସକ୍ଷମ, ତାହା ଗତକାଲି ପ୍ରମାଣିତ ହୋଇ ଯାଇଛି। ଗତକାଲି, ଅର୍ଥାତ୍ ୩୧ ତାରିଖରେ ଭୁବନେଶ୍ବରରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଶେଷଜ୍ଞମାନେ ଆଗୁଆ ଆକଳନ କରିଥିଲେ। ଖୋର୍ଦ୍ଧା ଜିଲ୍ଳାରେ ବର୍ଷା ହେବାର ଆଶଙ୍କା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଥିଲେ ମଧ୍ୟ ବିଏମ୍ସି ପକ୍ଷରୁ ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନଥିଲା। କୌଣସି ତ୍ବରିତ ପଦକ୍ଷେପ ତ ନିଆ ଗଲାନାହିଁ, ବର୍ଷ ବର୍ଷ ଧରି ସମାନ ସମସ୍ୟା ଦେଖା ଯାଉଥିଲେ ମଧ୍ୟ ତା’ର ସ୍ଥାୟୀ ସମାଧାନ ପାଇଁ କର୍ତ୍ତୃପକ୍ଷଙ୍କ ପାଖରେ ଆଦୌ ଆଗ୍ରହ ଦେଖା ଯାଉନାହିଁ।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ବାତ୍ୟା ହେଉ କି ବନ୍ୟା, ରାଜ୍ୟ ସରକାର ‘ଜିରୋ କାଜୁଆଲ୍ଟି’ର ଡେଙ୍ଗୁରା ପିଟୁଛନ୍ତି। ଏହାକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖୁବ୍ ପ୍ରଚାର କରାଯାଉଛି। ଅଧିକାରୀମାନେ ଏଥିପ୍ରତି ଗୁରୁତ୍ବ ଦେବାକୁ ସମସ୍ତ ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ ଥିବା କଥା କୁହା ଯାଉଛି। କିନ୍ତୁ ଖୋଦ୍ ରାଜଧାନୀ ରାଜରାସ୍ତା ଉପରେ ଗତକାଲି ବର୍ଷା ଓ ପବନରେ ଜଣଙ୍କର ମୃତ୍ୟୁ ଘଟିବା ସହିତ ୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ୨୦୦ରୁ ଅଧିକ ପରିବାର ଘଣ୍ଟା ଘଣ୍ଟା ଧରି ଜଳବନ୍ଦୀ ହୋଇ ରାତି କାଟିଛନ୍ତି। ଅନେକ ପରିବାର ଘର ଛାଡ଼ି ଚାଲି ଯାଉଛନ୍ତି।
ଜଳବନ୍ଦୀ ସମସ୍ୟା ଏଡ଼ାଇବା ପାଇଁ ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ବ୍ୟାପକ ଯୋଜନା ପୂର୍ବରୁ ହୋଇଛି ଅବଶ୍ୟ, କିନ୍ତୁ ଏ ପ୍ରସଙ୍ଗରେ ଅଧିକାରୀମାନଙ୍କ ନିଷ୍ଠା ତଥା ଲୋକପ୍ରତିନିଧିମାନଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁ କାମ ଆରମ୍ଭ ମଧ୍ୟ ହୋଇନାହିଁ କହିଲେ ଚଳେ। ଉପକଣ୍ଠ କଥା ଦୂରରେ ଥାଉ, ରାଜଧାନୀର ଛାତି ଉପରେ ଥିବା ଜୟଦେବ ବିହାର ଲେନ୍-୫, ଝାରପଡ଼ା ବୈରାଗୀନଗର, ଆଇଆରସି ଭିଲେଜ୍, ବମିଖାଲ, ଲକ୍ଷ୍ମୀସାଗର ଅଞ୍ଚଳ ଜଳବନ୍ଦୀରୁ ବାଦ୍ ପଡ଼ି ନାହିଁ। ଡ୍ରେନ୍ ଉଚ୍ଛୁଳି ଲୋକଙ୍କ ଘରେ ପାଣି ପଶିଛି। ପୁରୁଣା ଭୁବନେଶ୍ବରର ଶୀତଳଷଷ୍ଠୀ ଲେନ୍, ରଥରୋଡ, କପିଳେଶ୍ବର ବିହାର ଲେନ୍-୩, କସ୍ମୋପଲି ଅଞ୍ଚଳ, ସୁବାସନଗର ବସ୍ତି, ପାଇକନଗର ଡେଲ୍ଟା ଛକ, ରବୀନ୍ଦ୍ର ଗାର୍ଡେନ, ଦମୟନ୍ତୀ ଆପାର୍ଟମେଶ୍ଟ, ସତ୍ୟବିହାର, ଏସ୍ଡିଏମ୍ କୋର୍ଟ, ଭୀମଟାଙ୍ଗୀ, ଜଗମୋହନ ନଗର, ମଧୁସୂଦନ ନଗର, ବନଫୁଲ ବସ୍ତି, ପ୍ରାଚୀ ବିହାର, ପୋଖରୀପୁଟ, ପାତ୍ରପଡ଼ା, ଗଣ୍ଡମୁଣ୍ଡା ଶିବ ମନ୍ଦିର ନିକଟ, ନୀଳକଣ୍ଠେଶ୍ବର ନଗରରେ ବହୁ ଲୋକ ଜଳବନ୍ଦୀ ହୋଇ ରହିଥିଲେ। ଓଡ୍ରାଫ୍ ସମେତ ଅଗ୍ନିଶମ ବିଭାଗର କର୍ମଚାରୀ ସେମାନଙ୍କୁ ଉଦ୍ଧାର କରିବା ସହ ସୁରକ୍ଷିତ ସ୍ଥାନକୁ ନେଇଥିଲେ।
ଆଜି ବି ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଛି। ଗତକାଲିର ବର୍ଷ ପରେ ବିଏମ୍ସି ପକ୍ଷରୁ ଆଜି ତତ୍ପରତା ପ୍ରକାଶ କରାଯାଇଛି। ଯୁଦ୍ଧାକାଳୀନ ଭିତ୍ତିରେ ଡ୍ରେନ୍ ସଫା ହେଉଛି। ରାସ୍ତାର ଯେଉଁଠି ଡ୍ରେନ୍ ପାଣି ଜମି ରହୁଛି ତାହା କିଭଳି ନିଷ୍କାସନ ହୋଇପାରିବ ସେଥିପାଇଁ ବାଟ ଫିଟା ଚାଲିଛି। ଅଧିକାରୀମାନେ ପ୍ରତି ୱାର୍ଡ ବୁଲି ସ୍ଥିତିର ଅନୁଧ୍ୟାନ କରିଛନ୍ତି। ସହରର ଅନେକ ଅଞ୍ଚଳରେ ଲୋକଙ୍କ ଘର ଭିତରେ ଆଣ୍ଠୁଏ ଉଚ୍ଚର ନାଳ ପାଣି ପଶିଥିଲା। ସକାଳେ ପାଣି କଢ଼ା ଯାଇଥିଲେ ମଧ୍ୟ ଘରେ ଥିବା ଆସବାବପତ୍ର, ଖଟ, ଗଦି, ଶାଢ଼ୀ ଓ ପେଷାକପତ୍ର ପାଣିରେ ଓଦା ହୋଇଯାଇଛି। ବହୁ ଲୋକଙ୍କ ଘରେ ରୋଷେଇ ବନ୍ଦ। ଏତେ ପାଣି ପଶିଛି ଯେ କାଢ଼ି କାଢ଼ି ଲୋକେ ନୟାନ୍ତ ହେଲେଣି। ଜଳବନ୍ଦୀ ସ୍ଥିତି ଯୋଗୁଁ ସବୁଠି ଲୋକେ ଅସନ୍ତେଷ ପ୍ରକାଶ କରିଛନ୍ତି। ଆଜି ମଧ୍ୟାହ୍ନ ସମୟରେ ହୋଇଥିବା ବର୍ଷା ପୁଣିଥରେ ଲୋକଙ୍କ ମଧ୍ୟରେ ଭୟ ଆଣିଦେଇଥିଲା।
ଟାଉନ୍ ପ୍ଲାନରମାନଙ୍କ କହିବା କଥା ହେଉଛି, ସହରରେ ପ୍ରାକୃତିକ ଜଳ ନିଷ୍କାସନ ବ୍ୟାହତ ହୋଇଛି। ଜବରଦଖଲ ସମସ୍ୟା ବଢ଼ୁଥିବାରୁ ଜଳ ନିଷ୍କାସନ ହୋଇ ପାରୁନାହିଁ। ସହର ଭିତରେ ଥିବା ଜଳାଶୟ ସଙ୍କୁଚିତ ହେବା ଦ୍ବାରା ଜଳାଶୟଗୁଡ଼ିକର ଜଳଧାରଣ କ୍ଷମତା କମିଛି। ପାଣି ଉଛୁଳୁଛି। ସହରର ଭୌଗଳିକ ସ୍ଥିତିକୁ ଅଣଦେଖା କରି ନିର୍ମାଣ ହେଉଛି। ନିର୍ମାଣ ଅନୁପଯୋଗୀ ସ୍ଥାନରେ ନିର୍ମାଣ ଯୋଗୁଁ ପାଣି ଜମୁଛି। ରାସ୍ତା ଉପରେ କଂକ୍ରିଟ୍ ନିର୍ମାଣ ଯୋଗୁଁ ବର୍ଷା ଜଳର ସ୍ରୋତ ବଢ଼ୁଛି। ଲୋକଙ୍କ ଘରର ଉଚ୍ଚତା ତୁଳନାରେ ରାସ୍ତାର ଉଚ୍ଚତା ବହୁତ ଅଧିକ ହୋଇଯାଇଥିବାରୁ ବର୍ଷା ହେବା ମାତ୍ରେ ଘରେ ପାଣି ପଶୁଛି। ଏନେଇ ବହୁ ବର୍ଷ ହେଲା ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନ ସେଥିପ୍ରତି ଗୁରୁତ୍ବ ଦେଉ ନାହିଁ। ଡ୍ରେନ୍ଗୁଡ଼ିକ ସଂକୁଚିତ ହେବା ପାଣି ପଶିବାର ଅନ୍ୟ ଏକ କାରଣ। ବିଏମ୍ସିର ବିନା ଅନୁମତିରେ ଲୋକେ ଅବାଧ ଘର ନିର୍ମାଣ ହେଉଛି। ଘର ନିର୍ମାଣ ସମୟରେ ଡ୍ରେନ୍ ବ୍ୟବସ୍ଥାକୁ ଅଣଦେଖା କରାଯାଉଥିବାରୁ ଏଭଳି ସମସ୍ୟା ଉପୁଜୁଛି। ଜଳବନ୍ଦୀର ଏହି ସ୍ଥିତି ପ୍ରଥମ ଥର ହୋଇଛି। ସହର ବଢ଼ିବା ସହ ଏହି ସମସ୍ୟା ବଢ଼ି ବଢ଼ି ଚାଲିଛି। ବେଳ ଥାଉଁ ଥାଉଁ ସରକାର ସତର୍କ ନହେଲେ, ଆଗକୁ ସ୍ଥିତି ଆହୁରି ସଙ୍ଗିନ ହେବ, ଏଥିରେ ସନ୍ଦେହ ନାହିଁ।