ସାଲେପୁର ୨୩।୬: ଜମିଜମା ବିବାଦକୁ କେନ୍ଦ୍ରକରି ପରିବାର ଲୋକଙ୍କୁ ଆକ୍ରମଣ । ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ସାଲେପୁର ଥାନା ରାଘବପୁର ଗ୍ରାମରେ। ଗାଁର ବସନ୍ତ ଦାସଙ୍କ ପୁତ୍ର ବାସୁଦେବ ଦାସ ସେହି ଗ୍ରାମର ନିର୍ମଳ ପ୍ରତାପ, ସୁବାସ ପ୍ରତାପ ଓ ବର୍ଷା ପ୍ରତାପଙ୍କୁ କଟୁରୀରେ ମରଣାନ୍ତକ ଆକ୍ରମଣ କରିଥିବା ନେଇ ସାଲେପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ସାଲେପୁର ପୋଲିସ ବସନ୍ତ ଦାସ ଓ ବାସୁଦେବ ଦାସକୁ ଥାନାରେ ଅଟକ ରଖି ପଚରାଉଚରା କରି ଛାଡ଼ିଦେଇଥିଲା ।
ପୁନର୍ବାର ସେମାନେ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବା ପାଇଁ ଧମକ ଦେବା ନେଇ ନିର୍ମଳ ପ୍ରତାପଙ୍କ ପରିବାରଲୋକଙ୍କ ସହ ଗ୍ରାମବାସୀ ସାଲେପୁର ଥାନାରେ ଏକାଠି ହୋଇ ଅଭିଯୋଗ କରିଛନ୍ତି । ପୋଲିସର କୋହଳ ମନୋଭାବ ଓ ନିଷ୍କ୍ରିୟତାକୁ ନେଇ ଅଭିଯୋଗ ଆଣିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।