କଳା ଓ ସଂସ୍କୃତି ଧର୍ମ

ଜଣା-ଅଜଣା: ‘ଜଗଦ୍ଧାତ୍ରୀ’

କାର୍ତ୍ତିକ ଶୁକ୍ଳ ନବମୀ ତିଥିରେ ଅନୁଷ୍ଠିତ ହୁଏ ଜଗଦ୍ଧାତ୍ରୀ ପୂଜା। କୋଟିସୂର୍ଯ୍ୟସମ ତେଜୋମୟୀ, ଶଙ୍ଖ, ଚକ୍ର ଓ ଧନୁ-ତୀର ଧାରିଣୀ, ସିଂହବାହିନୀ ଦେବୀ ଏହି ଜଗଦ୍ଧାତ୍ରୀ। ସ୍ୱନାମ ଅନୁସାରେ ସେ ଏ ସଂସାରର ପାଳନକର୍ତ୍ତ୍ରୀ। ଏହି ଦେବୀ ମହିଷମର୍ଦ୍ଦିନୀ ଦେବୀ ଦୁର୍ଗାଙ୍କର ଏକ ସ୍ୱରୂପ।

ଏହି ଦେବୀଙ୍କର ଆବିର୍ଭାବ ସଂପର୍କରେ ଏକ ପ୍ରାଚୀନ ଉପାଖ୍ୟାନ ରହିଛି। ଦେବୀ ଦୁର୍ଗା ମହିଷାସୁରକୁ ବଧ କଲାପରେ, ଅଗ୍ନି, ବାୟୁ, ବରୁଣ ଓ ଚନ୍ଦ୍ର ମନେ ମନେ ଚିନ୍ତା କଲେ- ଦେବୀଙ୍କର ନିଜସ୍ୱ କିଛି ଶକ୍ତି ନାହିଁ। କାରଣ ଦେବୀ ସେମାନଙ୍କର ତେଜ ଓ ଅସ୍ତ୍ର ଗ୍ରହଣ କରିବାରୁ ହିଁ ମହିଷାସୁରରକୁ ବଧ କରିବାକୁ ସମର୍ଥ ହେଲେ। ତେଣୁ, ଆମେ ହିଁ ପ୍ରକୃତ ଶକ୍ତିଧର।

ଦେବୀଙ୍କୁ ଏହି ମନୋଭାବ ଆହତ କଲା। ଦେବତାମାନଙ୍କର ଏହି ଗର୍ବ ନାଶ କରିବା ନିମିତ୍ତ ଦେବୀ ଜଗଦ୍ଧାତ୍ରୀ ରୂପ ଧାରଣ କରି ସେମାନଙ୍କ ଆଗରେ ଉଭା ହେଲେ। ସେମାନଙ୍କ ସମ୍ମୁଖରେ ବିଡ଼ାଏ ତୃଣ ରଖି ପବନ ଦେବଙ୍କୁ ତାହାକୁ ଉଡ଼ାଇ ନେବାକୁ ଏବଂ ଅଗ୍ନିଦେବଙ୍କୁ ତାହାକୁ ଦଗ୍ଧ କରିଦେବାକୁ କହିଲେ। କିନ୍ତୁ ପବନଦେବ ବହୁ ଚେଷ୍ଟା କରି ମଧ୍ୟ ସେହି ତୃଣଗୁଚ୍ଛକୁ ଉଡ଼ାଇ ନେଇ ପାରିଲେ ନାହିଁ କି ଅଗ୍ନିଦେବ ତାହାକୁ ଦଗ୍ଧ କରିପାରିଲେ ନାହିଁ।

ଏହା ଦେଖି ଅଗ୍ନି, ବାୟୁ, ବରୁଣ ଓ ଚନ୍ଦ୍ରଙ୍କର ଅବବୋଧ ହେଲା ଯେ ପ୍ରକୃତରେ ସେମାନଙ୍କର ଗର୍ବ ଓ ଅହଂକାର ଅସାର। ସେମାନଙ୍କର ନିଜସ୍ୱ କୌଣସି ଶକ୍ତି ନାହିଁ। ଯେଉଁ ଶକ୍ତି ଦ୍ୱାରା ସେମାନେ ସଂସାରକୁ ପରିଚାଳନା କରୁଛନ୍ତି, ତାହା ମହାମାୟାଙ୍କର ଅବଦାନ। ସେ ଏ ସଂସାରକୁ ଧାରଣ କରିଛନ୍ତି ଏବଂ ସେ ହିଁ ଜଗଦ୍ଧାତ୍ରୀ।

ତେଣୁ ସେହି ରୂପରେ ସେମାନେ ଜଗଦ୍ଧାତ୍ରୀଙ୍କର ପୂଜା ଓ ଉପାସନା, ତାଙ୍କର ପ୍ରକଟ ଦିବସରେ କରିବା ଆରମ୍ଭ କଲେ। ଏଥିରେ ଦେବୀଙ୍କର ଯେଉଁ ମୂର୍ତ୍ତି ପୂଜନ କରାଯାଏ, ସେଥିରେ ଦେବୀଙ୍କର ବାହନ ସିଂହ ଏକ ହସ୍ତୀର ମସ୍ତକକୁ ବିଦାରଣ କରୁଥିବା ଦେଖାଯାଏ। ସେଥିରୁ ଦେବତାମାନଙ୍କର ଗର୍ବକୁ ଦେବୀ କିପରି ଚୂର୍ଣ୍ଣ କରିଥିଲେ ତାହା ସୂଚିତ ହୁଏ। ଗଜ ଏଠାରେ ଅହଂକାରର ପ୍ରତୀକ। ଏହି ପୂଜା ପ୍ରଥମେ ୧୭୫୫ ଖ୍ରୀଷ୍ଟାବ୍ଦରେ କୃଷ୍ଣନଗରର ରାଜା ମହାଆଡ଼ମ୍ବରରେ ଆରମ୍ଭ କରିଥିଲେ। ପରବର୍ତ୍ତୀ କାଳରେ ରାମକୃଷ୍ଣ ପରମହଂସଙ୍କ ପତ୍ନୀ ସାରଦାଦେବୀ ତାହା ପାଳନ କଲେ ଏବଂ କ୍ରମେ ବଙ୍ଗ ଓ ଓଡ଼ିଶାରେ ଏହା ଲୋକପ୍ରିୟତା ଲାଭ କଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ