ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଜଙ୍ଗଲ ଭିତରେ ଘର ବୋଲି… ୪୦ କିମି ଦୂରରେ ଆମ୍ବୁଲାନ୍ସ, ପେଟ୍ରୋଲ ପାଇଁ ୧୦୦ କିମି‌

ରାକେଶ ରୋଷନ ମହାନ୍ତି
ଅନୁଗୁଳ: ସଂରକ୍ଷିତ ଜଙ୍ଗଲ ଭିତରେ ୨୦ ଖଣ୍ଡ ଗାଁ। ୪ଟି ପଞ୍ଚାୟତରେ ବୁଦୁବୁଦିକା ଆହୁରି ହାମଲେଟ୍‌ (ପଡ଼ା ଗାଁ) ବି ଅଛି। ଲୋକସଂଖ୍ୟା କିଏ କେବେ ଗଣିଛି କି ନାହିଁ, ଜଣାନାହିଁ। ବନବିଭାଗ ଆଖିରେ ଏମାନେ ବନବାସୀ; ଜଙ୍ଗଲ ଭି‌ତରେ ବେଆଇନ ଭାବେ ରହିଛନ୍ତି। ରାଜସ୍ବ ବିଭାଗ କହେ, ଜଙ୍ଗଲ ସଂରକ୍ଷିତ ହେବା ଆଗରୁ ଏମାନେ ଏଠାରେ ରହି ଆସିଛନ୍ତି। ଏମାନଙ୍କ ଭଲମନ୍ଦ ଦେଖିବା କାମ ପଞ୍ଚାୟତିରାଜ ବିଭାଗର। କିନ୍ତୁ ବିକାଶର ରଙ୍ଗ-ରୂପ-ସ୍ବରୂପ କ’ଣ, ଆଜି ପର୍ଯ୍ୟନ୍ତ ସେମାନେ ଦେଖିନାହାନ୍ତି କି ଜାଣିନାହାନ୍ତି। ସାତକୋଶିଆ ଅଭୟାରଣ୍ୟ ଅଧୀନ ଟିକରପଡ଼ା ସଂରକ୍ଷିତ ଜଙ୍ଗଲ ଭିତରେ ରହୁଥିବା ଏହି ନିରୀହ ବନବାସୀମାନେ ଯଦିଓ ରାସ୍ତା, ପାଣି, ସୋଲାର୍ ଆଲୁଅ ଭଳି ସୁବିଧା ଅଳ୍ପବହୁତେ ପାଇଛନ୍ତି, କିନ୍ତୁ ଏବେ ବି ବହୁ ସେବା ସେମାନଙ୍କ ପାଖେ ଅପହଞ୍ଚ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ, ଜରୁରୀ ସ୍ବାସ୍ଥ୍ୟସେବା ପାଇଁ ସେମାନଙ୍କୁ ବହୁ କସରତ୍‌ କରିବାକୁ ପଡ଼ିଥାଏ। ଅଞ୍ଚଳରେ ମୋବାଇଲ୍‌ ନେଟ୍‌ୱର୍କ ନଥିବାରୁ ଆମ୍ବୁଲାନ୍ସ ରହେନି। ପାଖରେ କୌଣସି ପେଟ୍ରୋଲ ପମ୍ପ ନଥିବାରୁ ଲୋକଙ୍କୁ ୫୦ କିମି ଦୂର ଟାଙ୍କିକୁ ଯିବାକୁ ପଡ଼ିଥାଏ। ଗାଁ ଛକରେ ବିକ୍ରି ହେଉଥିବା ଅପମିଶ୍ରିତ ପେଟ୍ରୋଲ ଲିଟରକୁ ୨୦୦ଟଙ୍କା। ଅନୁଗୁଳ ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୬୦କି.ମି ଦୂର, ଜଙ୍ଗଲର ଶେଷ ସୀମା ମହାନଦୀ କୂଳରେ ବସବାସ କରୁଥିବା ଏହି ଲୋକଙ୍କ ପାଇଁ ବିକାଶ କହିଲେ, କେବଳ ବାବୁମାନେ ଦିନରେ ଦେଖାଉଥିବା କିଛି ମିଛ ସପନ। ଯାହା ନା କେବେ ପୂରଣ ହେଉଛି ନା ପୂରଣ ହେବାର ସମ୍ଭାବନା ବି ଦେଖାଯାଉଛି।

କରତପଟା ଛକରୁ ପମ୍ପାସର ରେଞ୍ଜ ଦେଇ ମହାନଦୀ କୂଳ ଯାଏ ଗଲେ ପଡ଼େ ପମ୍ପାସର, ଜୁକୁବୁ, ଲବଙ୍ଗି, ବଲଙ୍ଗ, ତଳସିରା। ଏସବୁ ତ ଗଲା ‌ବଫର୍‌-ଜୋନ୍‌ର ଗାଁ। ଆଉ ଟିକେ ଭିତରକୁ ଗଲେ ଆସିବ ହିଂସିରିଡ଼ା, ଜଗନ୍ନାଥପୁର, କୁଲାଙ୍ଗୀ, ପୁରୁଣ‌ାକୋଟ, ଛୋଟକେଇ, ଟୁଲୁକା, ତରଭା, ବାଘମୁଣ୍ଡା, ଟିକରପଡ଼ା, ହାତୀବାରି, ମଝିପଡ଼ା, ଗଇଁନ୍ଦି, ବେହେରାସାହି ଓ ଘାଟସାହି ଭଳି କିଛି ବଡ଼ ଗାଁ ଓ ତା’ ଭିତରେ ୧୫ରୁ ଅଧିକ ହାମ୍‌ଲେଟ୍‌। ପମ୍ପାସର ପ୍ରବେଶ ଫାଟକ ଡେଇଁଲେ ଜଗନ୍ନାଥପୁର ଯାଏ ଆଉ ନେଟ୍‌ୱର୍କ ଆସେ ନାହିଁ। ପୁଣି ସେଠାରୁ ତରଭା ଓ ମହାନଦୀ କୂଳ ଭିତରେ ଠାଏ ଠାଏ ଫୋନ୍‌ ଲାଗେ, ନହେଲେ ନାହିଁ। ଯଦି ଭାଗ୍ୟ ଭଲ ଥାଏ, ଆକାଶକୁ ହାତ ବଢ଼ାଇ ଫୋନ୍‌ ଧରିଲେ ବେ‌ଳେବେଳେ ନେଟ୍‌ୱର୍କ ଆସେ। କିନ୍ତୁ ତା’ ଉପରେ ବି ଗ୍ୟାରେଣ୍ଟି ନାହିଁ। ପ୍ରତିଦିନ ଶହଶହ ସଂଖ୍ୟାରେ ପର୍ଯ୍ୟଟକ ଏହି ଜଙ୍ଗଲ ରାସ୍ତାରେ ମନଲୋଭା ଜଙ୍ଗଲୀ ପରିବେଶକୁ ଉପଭୋଗ କରିବାକୁ ଓ ମହାନଦୀ କୂଳରେ ସମୟ କାଟିବାକୁ ଧାଆଁନ୍ତି। ପୁଣି ଏହି ଟିକରପଡ଼ା ଭିତରେ କୁମ୍ଭୀର ପ୍ରଜନନ କେନ୍ଦ୍ରକୁ ଦେଖିବାକୁ ବି ଭିଡ଼ ଲାଗେ। ହେଲେ ସଂରକ୍ଷିତ ଜଙ୍ଗଲ ଭିତରେ ରହୁଥିବା ଲୋକ କିମ୍ବା ଜଙ୍ଗଲକୁ ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କ ପାଇଁ ସବୁ ସ୍ଥାନରେ ମୋବାଇଲ୍‌ ନେଟୱର୍କ ମିଳିବା ଦୁରୂହ ବ୍ୟାପାର।

ନେଟ୍‌ୱର୍କ ନଥିବାରୁ ଆମ୍ବୁଲାନ୍ସ ରହୁନି
ପେଟ୍ରୋଲ ଦର ଲିଟରକୁ ୨୦୦ଟଙ୍କା
ଆକାଶକୁ ହାତ ବଢ଼ାଇଲେ ଲାଗିବ ଫୋନ୍‌

ଇଏ ତ ଗଲା ନେଟ୍‌ୱର୍କର କଥା। କିନ୍ତୁ ବଡ଼ କଥା ହେଲା, ପୂରା ସାତକୋଶିଆ ଭିତରେ ଜରୁରୀ ସ୍ବାସ୍ଥ୍ୟସେବା ମିଳିବା ଏକଦମ୍‌ କଷ୍ଟକର। ଏଡ଼େବଡ଼ ଜଙ୍ଗଲରେ ବୁଲୁଛି ଗୋଟିଏ ବୋଲି ଆମ୍ବୁଲାନ୍ସ। ଟିକରପଡ଼ା, ପୁରୁଣ‌ାକୋଟ ଓ ଜଗନ୍ନାଥପୁର ପଞ୍ଚାୟତର ବହୁ ଗାଁ କଟ୍‌-ଅଫ୍ ଥିବା ଜାଣିଛି ସ୍ବାସ୍ଥ୍ୟ ବିଭାଗ। କିନ୍ତୁ ଏପଟେ ବନ୍ତଳା, ସେପଟେ ଜରପଡ଼ା ଭିତରେ ହଠାତ୍ କାହାର ଦେହ ଖରାପ ହେଲେ ଆମ୍ବୁଲାନ୍ସଟିଏ ପହଞ୍ଚିବା ପାଇଁ ପାଖାପାଖି ୪୦ କି.ମି ଦୂର ହେଉଥିବା ଜଣାପଡ଼ିଛି। ଟାଇଁସିରେ ରହୁଥିବା ଗୋଟିଏ ଆମ୍ବୁଲାନ୍ସ ଯଦି କାହାକୁ ନେଇ ଡାକ୍ତରଖାନା ଆସିଥାଏ, ସେ ସମୟ‌ରେ ଆଉ କାହାର ଆମ୍ବୁଲାନ୍ସ ଦରକାର ହେଲେ, କଥା ସରିଲା। ଅନୁଗୁଳ, ବନ୍ତଳା, କିମ୍ବା ଜରପଡ଼ା ପଟୁ ଆମ୍ବୁଲାନ୍ସ ଯାଇ ଜଙ୍ଗଲୀ ଗାଁରେ ପହଞ୍ଚିଲା ବେଳକୁ ରୋଗୀର ଜୀବନ ଥିବ କି ନାହିଁ, ତାହା ଭଗବାନଙ୍କ ଉପରେ ନିର୍ଭର କରେ ବୋଲି ସ୍ଥାନୀୟ ଲୋକ କହିଛନ୍ତି। ଆଗରୁ ଜଗନ୍ନାଥପୁର ଡାକ୍ତରଖାନା ଭିତରେ ଗୋଟିଏ ଆମ୍ବୁଲାନ୍ସ ରଖାଯାଉଥିଲା। କିନ୍ତୁ ନେଟ୍‌ୱର୍କ ନଥିବାରୁ ଆମ୍ବୁଲାନ୍ସକୁ ଯୋଗାଯୋଗ କରିବା ସମ୍ଭବ ହେଲା ନାହିଁ। ତେଣୁ ଉକ୍ତ ଆମ୍ବୁଲାନ୍ସକୁ ସେଠାରୁ ଅନ୍ୟତ୍ର ନିଆଗଲା। ସେବେଠାରୁ ଜଙ୍ଗଲ ଭିତରେ ଲୋକମାନେ ଜରୁରୀ ସ୍ବାସ୍ଥ୍ୟସେବା ପାଇଁ ନିତି ଦହଗଞ୍ଜ ହେଉଛନ୍ତି।

ଜଙ୍ଗଲ ଭିତରେ ଆଉ ଏକ ବଡ଼ ସମସ୍ୟା ହୋଇଛି ପେଟ୍ରୋଲ ପମ୍ପ୍‌। ଜଙ୍ଗଲ ଜମିରେ ପେଟ୍ରୋଲ ପମ୍ପ୍‌ ହୋଇପାରିବନି ବୋଲି ଗାଇଡ୍‌ଲାଇନ୍‌ ରହିଛି। ତେଣୁ ଏହାର ଆଖପାଖ ଇଲାକାରେ ବି ପେଟ୍ରୋଲ ପମ୍ପ ନାହିଁ। ଜଙ୍ଗଲ ଭିତରେ ରହୁଥିବା ଲୋକେ ପେଟ୍ରୋଲ ପାଇଁ ପାଖାପାଖି ୫୦ କି.ମି ଦୂର ଆସୁଛନ୍ତି। ବନ୍ତଳା କିମ୍ବା ବଡ଼କେରା ପେଟ୍ରୋଲ ପମ୍ପ ଆସି ପୁଣି ଜଙ୍ଗଲ ଭିତରକୁ ଫେରିବାକୁ ହେଲେ ପାଖାପାଖି ୧୦୦ କି.ମି ହୋଇଯାଉଛି। ଫଳରେ ଯେଉଁ କିଛି ଲୋକଙ୍କ ପାଖରେ ବାଇକ୍‌ ବା ଚାରିଚକିଆ କିମ୍ବା ଅନ୍ୟଗାଡ଼ି ରହିଛି, ପେଟ୍ରୋଲ କି ଡିଜେଲ୍ ପାଇଁ ସେମାନେ ୧୦୦ କି.ମି. ଯିବା ଆସିବା କରିବା କେତେ କଷ୍ଟକର ବୁଝାପଡ଼ୁଥିବ। ଖାଲି ପେଟ୍ରୋଲ ପମ୍ପ ଆସି ଫେରିବାକୁ ବି ୨୦୦ ଟଙ୍କାର ପେଟ୍ରୋଲ ଦରକାର ବୋଲି ଲୋକେ କହିଛନ୍ତି। ଜଙ୍ଗଲ ଭିତରେ ରନ୍ଧନ ଗ୍ୟାସ୍‌ ଡିପୋ ଯଦି ହୋଇପାରୁଛି, ତାହେଲେ ପେଟ୍ରୋଲ ପମ୍ପ କଲେ କ୍ଷତି କ’ଣ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଗାଁ ଛକରେ ଅପମିଶ୍ରିତ ପେଟ୍ରୋଲ ଲିଟର ପିଛା ୨୦୦ଟଙ୍କାରେ ବିକ୍ରି ହେଉଛି। ସେଇଥିରେ ଲୋକଙ୍କ ଗାଡ଼ି ଗଡ଼ୁଛି। ସରକାର ବିସ୍ଥାପନ କରିବା ପାଇଁ ଚିନ୍ତା କରୁଥିବା ବେଳେ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବା ଦିଗରେ କାହିଁକି ଚିନ୍ତା କରୁନାହିଁ ତାହା ପ୍ରଶ୍ନ ସୃଷ୍ଟି କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି