ଭୁବନେଶ୍ବର : ଅନ୍ନ ପୂଜା ସହିତ ପରିବାରକୁ ଗୋଟିଏ ସୂତ୍ରରେ ବାନ୍ଧୁଥିବା ବନ୍ଧନ ହେଲା ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଯିଏ ଯେଉଁଠି ଥାଆନ୍ତୁ ନା କାହିଁକି ଏହି ଦିନରେ ନିଜ ଘରକୁ ନିଶ୍ଚିତ ଯାଆନ୍ତି। ଆରାଧ୍ୟ ଦେବୀଙ୍କୁ ନୂଆ ଧାନ ଅର୍ପଣ ପରେ ଯୌଥ ପରିବାରରେ ସମସ୍ତେ ଏକାଠି ନବାନ୍ନ ଗ୍ରହଣ କରନ୍ତି। ପଶ୍ଚିମ ଓଡ଼ିଶାର ଅନେକ ପରିବାର ଏକାସହିତ ୧୫୦ରୁ ୨୦୦ ଜଣ ନୂଆ ଖାଉଥିବା ଦେଖାଯାଏ। ପୂର୍ବରୁ ଏହି ପର୍ବର କୌଣସି ନିର୍ଦିଷ୍ଟ ଦିନ ନଥିଲା। ମାତ୍ର ସାମଗ୍ରିକ ସୁବିଧା ଦୃଷ୍ଟିରୁ ୧୯୯୧ ମସିହାରୁ ଗଣେଶ ପୂଜାର ପରବର୍ତ୍ତୀ ଦିନକୁ ନୂଆଁଖାଇ ଭାବରେ ଗ୍ରହଣ କରାଯାଇ ଓଡ଼ିଶା ସରକାର ଏହାକୁ ସରକାରୀ ଛୁଟି ଘୋଷଣା କଲେ। କିନ୍ତୁ ଏହାକୁ ଆଜି ପର୍ଯ୍ୟନ୍ତ ଠିକ ଭାବରେ କାର୍ଯ୍ୟକାରୀ କରାଯାଇ ନାହିଁ। ବ୍ୟାଙ୍କର ଛୁଟି ତାଲିକାରେ ନୂଆଁଖାଇ ନଥିବାରୁ ପଶ୍ଚିମ ଓଡ଼ିଶା ସମେତ ସମଗ୍ର ଓଡ଼ିଶାରେ ବ୍ୟାଙ୍କ କର୍ମଚାରୀ ସ୍ବାଭାବିକ କାର୍ଯ୍ୟ କରିବେ।
ଖୋଲା ରହିବ ବ୍ୟାଙ୍କ
ପଶ୍ଚିମ ଓଡ଼ିଶା ବ୍ୟତୀତ ଅନ୍ୟ ସ୍ଥାନରେ ଅଦାଲତ, କାର୍ଯ୍ୟାଳୟ ବି ଖୋଲା
ନିଜ ମାଟି ସମ୍ପର୍କରେ କେମିତି ଜାଣିବେ ପିଲା

ଚାଷୀ ପରିବାରର ସନ୍ତାନଟିଏ ରୋଜଗାର ପାଇଁ ସହରକୁ ସିନା ଯାଏ କିନ୍ତୁ ଏହି ଦିନ ଚାଷ ଜମି ପୂଜା ନକରିବା ପର୍ଯ୍ୟନ୍ତ ଘରେ ନବାନ୍ନ ଲାଗି ହୋଇ ପାରେ ନାହିଁ। କମାର, କୁମ୍ଭାର ଭଳି ଯେକୌଣସି ପରିବାରରେ ଆଜିବି କୌଳିକ ବୃତ୍ତିକୁ ଜାବୁଡ଼ି ଧରିଛନ୍ତି। ସେମାନେ ପ୍ରଥମେ ନିଜ କୌଳିକ ବୃତ୍ତିର ସ୍ବରୂପକୁ ପୂଜା କରନ୍ତି। ପ୍ରତ୍ୟକ୍ଷ ଭାବରେ ବିଦ୍ୟାର୍ଥୀମାନେ ନିଜ ଗାଁ ନିଜ ଘରେ ଥିଲେ ଏସମ୍ପର୍କରେ ଜାଣିପାରିବେ। ଯାହା କୌଣସି ପୁସ୍ତକ କି ଶିକ୍ଷାନୁଷ୍ଠାନ ଏହି ଶିକ୍ଷା ସେମାନଙ୍କୁ ଦେବ ନାହିଁ। ଅନେକ ଆଦିବାସୀ ପ୍ରଭାବିତ ଗାଁରେ ଆଜିବି ରାତିରେ ପାରମ୍ପରିକ ଆଦିବାସୀ ନୃତ୍ୟ ହୁଏ। କିଛି ବର୍ଷ ହେଲା ସଂଧ୍ୟାରେ ନୂଆଁଖାଇ ଭେଟ୍ର ଆୟୋଜନ ହେଉଛି। ମାତ୍ର ପଶ୍ଚିମ ଓଡ଼ିଶା ବ୍ୟତୀତ ଅନ୍ୟ ଜିଲ୍ଲାର କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକ ଛୁଟି ହେଉନଥିବାରୁ ବିଦ୍ୟାର୍ଥୀମାନେ ଗାଁକୁ ଯାଇପାରୁ ନାହାନ୍ତି। ଯାହା ଅଭିଭାବକଙ୍କ ପାଇଁ ଚିନ୍ତାର କାରଣ ହୋଇଛି। କେନ୍ଦ୍ର ସରକାରଙ୍କ ଅଧୀନସ୍ଥ କାର୍ଯ୍ୟାଳୟଗୁଡ଼ିକ ରାଜ୍ୟସ୍ତରୀୟ ପର୍ବକୁ ଗୁରୁତ୍ବ ଦେଇ ଛୁଟି ଦିଅନ୍ତି। ଏଥିରେ ମକର ସଂକ୍ରାନ୍ତି, ଶିବରାତ୍ରି, ରଥଯାତ୍ରା, ଦଶହରା ଛୁଟି ହେଉଛି। ମାତ୍ର ନୂଆଁଖାଇକୁ ଗୌଣ କରାଯାଉଥିବା ଅଭିଯୋଗ ହେଉଛି। ହାଇକୋର୍ଟ ସମେତ ବିଚାର ବିଭାଗର ସମସ୍ତ କାର୍ଯ୍ୟାଳୟ ଗୁଡ଼ିକରେ ନୂଆଁଖାଇକୁ ବାଦ ଦିଆଯାଇଛି। ରଜ ତିନି ଦିନ ପଶ୍ଚିମ ଓଡ଼ିଶାରେ ଅଦାଲତ ଛୁଟିକୁ ସମସ୍ତେ ସ୍ବାଗତ କରନ୍ତି କିନ୍ତୁ ନୂଆଁଖାଇ ଦିନ କାହିଁକି ଅନ୍ୟ ଜିଲ୍ଲାର ଅଦାଲତ ଛୁଟି ରହୁ ନାହିଁ ବୋଲି ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ବିଚାର ବିଭାଗୀୟ କର୍ମଚାରୀ ଏବଂ ଆଇନଜୀବୀମାନେ ପ୍ରଶ୍ନ କରିଛନ୍ତି।

