ଭୁବନେଶ୍ବର: ଛତିଶଗଡ଼ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ଓ କାଳବୈଶାଖୀ ପ୍ରଭାବରେ ଆଜି ରାଜ୍ୟର କିଛି ଅଞ୍ଚଳରେ ମେଘୁଆ ପାଗ ଲାଗିରହିଛି। ଦିନର ତାପମାତ୍ରା ଗତକାଲି ତୁଳନାରେ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି। ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୯.୭ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ା ଓ ରାୟଗଡ଼ାରେ ୩୮.୬, ପାରଳାଖେମୁଣ୍ଡି ଓ ବଲାଙ୍ଗୀରରେ ୩୮ ଡିଗ୍ରି ରହିଥିଲା। ଏପ୍ରିଲ ୧ ଓ ୨ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରାରେ ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ।
ଆସନ୍ତା ୨ରୁ ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଉଷ୍ମ ଏବଂ ଆଦ୍ର ପାଣିପାଗ ସ୍ଥିତି ତଥା କିଛି ଜିଲ୍ଲାରେ ଉଷ୍ମ ରାତି ପରିସ୍ଥିତି ଉପୁଜିବାର ସମ୍ଭାବନା ରହିଛି। ତାହାକୁ ନଜରରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ଚେତାବନୀ ଜାରି ହୋଇଛି। କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ, ସୁବର୍ଣ୍ଣପୁର, ମାଲକାନଗିରି, କନ୍ଧମାଳ, ନୟାଗଡ଼ ଓ ମାଲକାନଗିରି ଜିଲ୍ଲାରେ ଦିନ ତାପମାତ୍ରା ୨ ତାରିଖରେ ଅତିକମରେ ୪୦ ଡିଗ୍ରି ରହିବା ସହ ରାତି ତାପମାତ୍ରା ସ୍ୱାଭାବିକଠାରୁ ୪.୫ ଡିଗ୍ରି କିମ୍ବା ତାହା ଠାରୁ ଅଧିକ ରହିବାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।