ଚେନ୍ନାଇ, ୦୯|୦୨ : ଚେନ୍ନାଇରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯଉଥିବା ପ୍ରଥମ ଟେଷ୍ଟ୍ ରୋମାଞ୍ଚକର ସ୍ଥିତିରେ ପହଁଚିଛି । ମ୍ୟାଚର ଶେଷ ଦିନରେ ଭାରତକୁ ୪୨୦ ରନ୍ର ଟାର୍ଗେଟ ପୂରଣ କରିବାକୁ ହେବ । ତେବେ ଦଳ ଏବେସୁଦ୍ଧା ୯୨ ରନ୍ କରିଥିବା ବେଳେ ୪ଟି ଓ୍ୱିକେଟ୍ ହରାଇଛି । ଦଳକୁ ଏବେ ବିଜୟ ପାଇଁ ୩୨୮ ରନ୍ ଆବଶ୍ୟକ । ପ୍ରଥମ ଇନିଂସରେ ୨୪୧ ରନ ଅଗ୍ରଣୀ ଭିତ୍ତିରେ ଭ୍ରମଣକାରୀ ଦଳ ଭାରତ ସମ୍ମୁଖରେ ୪୨୦ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି।
ଭାରତ ଚତୁର୍ଥ ଦିନର ଅସମାପ୍ତ ଖେଳ ୬/୨୫୭ରୁ ଚତୁର୍ଥ ଦିନର ଖେଳ ଆରମ୍ଭ କରିଥିଲା। କ୍ରିଜରେ ଓ୍ଵାଶିଂଟନ ସୁନ୍ଦର ୩୩ ଓ ଅଶ୍ଵିନ ୮ ରନ କରି ବ୍ୟାଟିଂ କରିଥିଲେ। ଉଭୟ ବ୍ୟାଟସମ୍ୟାନ ଦଳର ଇନିଂସକୁ ଆଗକୁ ବଢାଇଥିଲେ। ହେଲେ ୩୦୫ ରନ ସ୍କୋରରେ ଭାରତକୁ ଚତୁର୍ଥ ଦିନରେ ଅଶ୍ଵିନଙ୍କ ରୂପେ ଷଷ୍ଠ ଝଟକା ଲାଗିଥିଲା। କ୍ରିଜ୍ରେ ସେଟ୍ ଥିବା ଅଶ୍ଵିନ ୩୧ ରନ କରି ଆଉଟ୍ ହୋଇଥିଲେ। ଅନ୍ୟପଟେ ଓ୍ଵାଶିଂଟନ ସୁନ୍ଦର ଟେଷ୍ଟ କ୍ୟାରିୟରରେ ଦ୍ଵିତୀୟ ଅର୍ଦ୍ଧଶତକ ପୂରଣ କରିଥିଲେ। ସୁନ୍ଦର ଓ ଅଶ୍ଵିନ ସପ୍ତମ ଓ୍ଵିକେଟ୍ ପାଇଁ ୮୦ ରନ ଯୋଡିଥିଲେ। ଏହି ଯୋଡି ଭାଙ୍ଗିବା ପରେ ଭାରତ ନିମ୍ନ ଅର୍ଡର ଭୁଶୁଡି ପଡିଥିଲା। ଗୋଟିଏ ପଟେ ଓ୍ଵାଶିଂଟନ ସୁନ୍ଦର କ୍ରିଜର ଗୋଟିଏ ପାର୍ଶ୍ଵରେ ଛିଡା ହୋଇଥିବା ବେଳେ ଅନ୍ୟପଟେ ଭାରତ ଓ୍ଵିକେଟ୍ ହରାଇ ଚାଲିଥିଲା। ଭାରତ ୩୩୭ ରନରେ ଅଲଆଉଟ୍ ହୋଇ ଫଲୋଅନ ଏଡାଇ ପାରିନଥିଲା। ସୁନ୍ଦର ଅପରାଜିତ ୮୫ ରନର ଦମଦାର ଇନିଂସ ଖେଳିଥିଲେ। ଭାରତ ୨୪୧ ରନରେ ପଛୁଆ ରହି ଫଲୋଅନ ଏଡାଇ ପାରିନଥିଲା।
ଭାରତକୁ ଫଲୋଅନ ନଦେଇ ଇଂଲଣ୍ଡ ଦ୍ଵିତୀୟ ଇନିଂସ ଆରମ୍ଭ କରିଥିଲା। ଦଳ ଆରମ୍ଭରୁ ଓ୍ଵିକେଟ୍ ହରାଇଥିଲା। ଦ୍ଵିତୀୟ ଇନିଂସର ପ୍ରଥମ ବଲ୍ରେ ହିଁ ଅଶ୍ଵିନ ରରି ବର୍ନସ(୦)ଙ୍କୁ ଆଉଟ୍ କରିଥିଲେ। ଏହା ପରେ ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ଡି ସିବଲି(୧୬) ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ସେ ଅଶ୍ଵିନଙ୍କ ଦ୍ଵିତୀୟ ଶିକାର ହୋଇଥିଲେ। ଡାନିଏଲ ଲରେନ୍ଦସ ୧୮ ରନ କରି ଇଶାନ୍ତ ଶର୍ମାଙ୍କ ବଲରେ ଏଲବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ। ପ୍ରଥମ ଇନିଂସରେ ଅର୍ଦ୍ଧଶତକ ହାସଲ କରିଥିବା ବେନ ଷ୍ଟୋକ୍ସ(୭) ଅଶ୍ଵିନଙ୍କ ତୃତୀୟ ଶିକାର ହୋଇଥିଲେ। ରୁଟ୍ ଦଳ ପକ୍ଷରୁ ସର୍ବାଧିକ ୪୦ ରନ କରି ବୁମରାଙ୍କ ଶିକାର ହୋଇଥିଲେ। ଓଲି ପପ(୨୮ ରନ) ଶାହବାଜ ନଦୀମଙ୍କ ବଲରେ ଆଉଟ୍ ହୋଇଥିଲେ। ଜସ୍ ବଟଲର ୨୪ ରନ କରି ନଦୀମଙ୍କ ଦ୍ଵିତୀୟ ଶିକାର ହୋଇଥିଲେ। ଏହା ପରେ ଡମ୍ ବେସ୍(୨୫), ଜୋଫ୍ରା ଆର୍ଚର(୫ ରନ) ଓ ଜେମ୍ସ ଆଣ୍ଡରସନ(୦)ଙ୍କୁ ଆଉଟ୍ କରି ଅଶ୍ଵିନ ଇଂଲଣ୍ଡ ଇନିଂସକୁ ୧୭୮ ରନରେ ସୀମିତ କରିଥିଲେ। ଅଶ୍ଵିନ ୬୧ ରନ ଦେଇ ୬ ଓ୍ଵିକେଟ୍ ନେଇଥିଲେ।
୪୨୦ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତ ଦ୍ୱିତୀୟ ଇନିଂସରେ ସଅଳ ରୋହିତ ଶର୍ମା ଓ ଚେତେଶ୍ୱର ପୂଜାରାଙ୍କ ଓ୍ୱିକେଟ୍ ହରାଇଥିଲା । ରୋହିତ ୧୨ ଓ ପୂଜାରା ୧୫ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ପରେ ପଞ୍ଚମ ଦିନରେ ଶୁଭମନ୍ ଗିଲ୍ ୫୦ ରନ୍ କରି ପ୍ୟାଭିଲିୟନ ଫେରିଥିଲା । ଏହାପରେ ଆଜିଙ୍କ୍ୟ ରାହାଣେ ମଧ୍ୟ ବିନା କୌଣସି ରନରେ ଆଉଟ୍ ହୋଇଥିଲେ । ଏବେ ବିରାଟ କୋହଲି ୧୦ ରନ୍ କରି ବ୍ୟାଟିଂ କରୁଛନ୍ତି ।
ଇଂଲଣ୍ଡ ପକ୍ଷରୁ ଜ୍ୟାକ ଲେଚ୍ ଦୁଇଟି ଓ ଜେମ୍ସ ଆଣ୍ଡରସନ୍ ଦୁଇଟି ଓ୍ୱିକେଟ୍ ନେଇଛନ୍ତି ।