ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ ଅନୁଯାୟୀ ପ୍ରଦର୍ଶନ କରି ପାରିନାହାନ୍ତି। ତିନି ଥରର ଚାମ୍ପିଅନ ଚେନ୍ନାଇ ସୁପରକିଙ୍ଗ୍ସ ଚଳିତ ସଂସ୍କରଣରେ ନିଜର ଖ୍ୟାତି ଅନୁଯାୟୀ ପ୍ରଦର୍ଶନ କରି ପାରିନାହିଁ ଏବଂ ଦଳ ପ୍ଲେଅଫ୍ ଦୌଡରୁ ବାଦ୍ ପଡିବାର ଦ୍ଵାର ଦେଶରେ ରହିଛି। ଦଳ ୧୦ଟି ମ୍ୟାଚ୍ରୁ ମାତ୍ର ୩ଟିରେ ବିଜୟୀ ହୋଇଛି। ୬ ପଏଣ୍ଟ ସହ ଦଳ ତାଲିକାର ସବୁଠୁ ନିମ୍ନରେ ରହିଛି। ସିଏସକେ ଯଦି ବାକି ସବୁ ମ୍ୟାଚ୍ ଜିତେ ତେବେ ଦଳର ପଏଣ୍ଟ ସଂଖ୍ୟା ୧୪ ହେବ। ଯେଉଁଥିରେ ଦଳକୁ ପ୍ଲେଅପ୍ରେ ପ୍ରବେଶ କରିବାର ସମ୍ଭାବନା ରହିବ। ହେଲେ ଚଳିତ ସଂସ୍କରଣରେ ଦଳର କିଛି ଖେଳାଳିଙ୍କ ପ୍ରଦର୍ଶନ ଅତ୍ୟନ୍ତ ନୈରାଶଜନକ ରହିଛି।
ଆଇପିଏଲର ୧୩ତମ ସଂସ୍କରଣରେ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ଵାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ଉପରେ ଅନେକ ପ୍ରଶ୍ନ ଉଠୁଛି। ଯୁବ ଖେଳାଳିଙ୍କୁ ସୁଯୋଗ ନଦେବା ଏବଂ ଲଗାତାର ଖରାପ ପ୍ରଦର୍ଶନ କରୁଥିବା ଖେଳାଳିଙ୍କୁ ସୁଯୋଗ ଦେବା ନେଇ ଦଳ କାଠଗଡାରେ ରହିଛି। ଦଳର ଅଧିକାଂଶ ଖେଳାଳିଙ୍କ ମଧ୍ୟ ବୟସ ଅଧିକ ରହିଛି। ତେଣୁ ଆଇପିଏଲରେ ଚେନ୍ନାଇକୁ ଡାଡିଜ୍ ଆର୍ମି ମଧ୍ୟ କୁହାଯାଏ। ଦଳର ଅଧିକାଂଶ ଖେଳାଳିଙ୍କ ବୟସ ୩୦ ରୁ ୩୫ କିମ୍ବା ତଦୁର୍ଦ୍ଧ୍ଵ ରହିଛି। ଏମିତିରେ ଚଳିତ ଆଇପିଏଲ ହିଁ କିଛି ଖେଳାଳିଙ୍କ ପାଇଁ ଶେଷ ସିଜିନ୍ ହୋଇପାରେ। ବୋଧହୁଏ ଏହି ୫ ଖେଳାଳିଙ୍କ ଏହା ଶେଷ ଆଇପିଏଲ ହୋଇପାରେ।
ଇମ୍ରାନ ତାହିର
ଇମ୍ରାନ ତାହିର- ଗତ ସଂସ୍କରଣରେ ସର୍ବାଧିକ ଓ୍ଵିକେଟ୍ ନେଇଥିବା ଇମ୍ରାନ ତାହିର ଚଳିତ ସଂସ୍କରଣରେ ଗୋଟିଏ ହେଲେ ମ୍ୟାଚ୍ ଖେଳି ନାହାନ୍ତି। ୨୦୧୯ରେ ୨୬ ଓ୍ଵିକେଟେ୍ ନେଇ ପର୍ପଲ କ୍ୟାପ୍ ଜିତିଥିବା ଏହି ଖେଳାଳିଙ୍କୁ ଚଳିତ ଥର ଚୂଡାନ୍ତ ଏକାଦଶରେ ସ୍ଥାନ ମଧ୍ୟ ମିଳିନାହିଁ। ସେ ଚେନ୍ନାଇର ସବୁଠୁ ଅଧିକ ବୟସର ଖେଳାଳି। ତାହିରଙ୍କ ବୟସ ୪୨ ବର୍ଷ। କୁହାଯାଉଛି ଯେ ଏହା ତାଙ୍କର ଶେଷ ଆଇପିଏଲ ମ୍ୟାଚ୍।
ହରଭଜନ ସିଂହ
ଆଇପିଏଲ ଇତିହାସରେ ସବୁଠୁ ସଫଳ ବୋଲର ମଧ୍ୟରେ ଥିବା ହରଭଜନ ସିଂହଙ୍କ ବୟସ ୪୦। କିଛି ବ୍ୟକ୍ତିଗତ କାରଣରୁ ସେ ଏଥର ଆଇପିଏଲରୁ ଓହରି ଯାଇଛନ୍ତି। ହରଭଜନ ନିୟମିତ କ୍ରିକେଟ୍ ମଧ୍ୟ ଖେଳୁ ନାହାନ୍ତି। ଚେନ୍ନାଇ ସହିତ ତାଙ୍କର ୩ ବର୍ଷର ଅନୁବନ୍ଧ ମଧ୍ୟ ଶେଷ ହେବାକୁ ଯାଉଛି। ତେଣୁ ଲାଗୁ ନାହିଁ ଦଳ ଆଗାମୀ ସଂସ୍କରଣରେ ସାମିଲ କରିବ।
ସେନ ଓ୍ଵାଟସନ
ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ସହିତ ଦୁଇ ଥର ଆଇପିଏଲ ଜିତିଥିବା ସେନ ଓ୍ଵାଟସନ ୨୦୧୮-୧୯ରେ ଏହା ଦେଖାଇଥିଲେ ଯେ ଫର୍ମ ଅସ୍ଥାୟୀ ଏବଂ କ୍ଲାସ ସ୍ଥାୟୀ। ହେଲେ ୨୦୨୦ ଆଇପିଏଲରେ ତାଙ୍କ ଖେଳରେ ନିରନ୍ତରତା ଦେଖିବାକୁ ମିଳିନାହିଁ। ସେ ୧୦ଟି ମ୍ୟାଚ୍ରୁ ୨୮୫ ରନ କରିଛନ୍ତି। ସେ ବୋଲିଂ କରିବା ମଧ୍ୟ ବନ୍ଦ କରି ସାରିଛନ୍ତି। ସମ୍ଭବତଃ ୩୯ ବର୍ଷୀୟ ସେନ ଓ୍ଵାଟସନ ଆଇପିଏଲରୁ ଅଲବିଦା କହିବାକୁ ବାଧ୍ୟ ହୋଇ ପାରନ୍ତି।
କେଦାର ଯାଦବ
କେଦାର ଯାଦବ ଚଳିତ ସଂସ୍କରଣରେ ସବୁଠୁ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ୮ଟି ମ୍ୟାଚ୍ରୁ ସେ ୫ଟି ଇନିଂସରୁ ୬୨ ରନ କରିଛନ୍ତି। ତାଙ୍କର ଷ୍ଟ୍ରାଇକ୍ ରେଟ୍ ୯୩.୯୩ ରହିଛି। ତାଙ୍କର ସର୍ବାଧିକ ସ୍କୋର ୬୨ ରହିଛି। ତାଙ୍କର ବୟସ ୩୬ ବର୍ଷ। ସିଏସକେ ୨୦୨୦ ଆଇପିଏଲ ପରେ ତାଙ୍କୁ ମୁକ୍ତ କରିବାକୁ ଚିନ୍ତା କରି ପାରେ। କେଦାର ମଧ୍ୟ କ୍ରିକେଟ୍ରୁ ଅବସର ନେଇ ପାରନ୍ତି।
ଡ୍ଵେନ ବ୍ରାଭୋ
ଓ୍ଵେଷ୍ଟଇଣ୍ଡିଜର ବରିଷ୍ଠ ଅଲରାଉଣ୍ଡର ଡ୍ଵେନ ବ୍ରାଭୋ ସିଏସକେର ସବୁଠୁ ଉପଯୋଗୀ ଖେଳାଳି। ହେଲେ ତାଙ୍କର ବୟସ ୩୭ ବର୍ଷ ହୋଇ ସାରିଛି। ସେ ନିୟମିତ ଆହତଜନିତ ସମସ୍ୟା ଦେଇ ଗତି କରୁଛନ୍ତି। ଏହି କାରଣରୁ ସେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ପାରି ନାହାନ୍ତି। ବ୍ରାଭୋ ଚଳିତ ସଂସ୍କରଣରେ ୬ଟି ମ୍ୟାଚ୍ ଖେଳିଛନ୍ତି। ହେଲେ ଆଘାତ କାରଣରୁ ନିୟମିତ ଖେଳି ପାରି ନାହାନ୍ତି। ଫିଟ୍ନେସ୍ ତାଙ୍କ ପାଇଁ ସବୁଠୁ ବଡ ସମସ୍ୟା ପାଲଟିଛି। ଏମିତିରେ ଏହି ଆଇପିଏଲ ତାଙ୍କର ଶେଷ ଆଇପିଏଲ ହୋଇପାରେ।