ନୂଆଦିଲ୍ଲୀ: ମହାକାଶରେ ଶତ୍ରୁ ଦେଶକୁ ଘେରିବାକୁ ଚୀନ୍ ନୂଆ ଷଡ଼ଯନ୍ତ୍ର । ଅତ୍ୟାଧୁନିକ ସ୍ପେସ୍ ସର୍ଭିନାଲନ୍ସ ରାଡାର ସିଷ୍ଟମ୍ ତିଆରି କଲା ଡ୍ରାଗନ୍ । ମହାକାଶରେ ସାଟେଲାଇଟ୍ ଖୋଜିବାରେ ସଫଳ ହେବ ଏସଏଲସି- ୧୮ ରାଡାର । ଏହାକୁ ଚୀନର ପ୍ରତିରକ୍ଷା ସାମଗ୍ରୀ ତଥା ଯୁଦ୍ଧାସ୍ତ୍ର ତିଆରି କରୁଥିବା କମ୍ପାନୀ ତିଆରି କରିଛି । ଏହି ରାଡାର ସିଷ୍ଟମ୍ ପାକିସ୍ତାନକୁ ସପ୍ଲାଏ କରିବା ନେଇ ସୂଚନା ମିଳିଛି ।
ବିଶ୍ବରେ ନୂଆ ନୂଆ ଯୁଦ୍ଧ ନୀତି ଆପଣାଉଛନ୍ତି ବିଭିନ୍ନ ଦେଶ । ଯେଉଁ ଦେଶ ପାଖରେ ଯେତେ ଅତ୍ୟାଧୁନିକ ସାଟେଲାଇଟ୍, ପ୍ରତିରକ୍ଷା କ୍ଷେତ୍ରରେ ସେହି ଦେଶ ସେତେ ମଜବୁତ୍ । ଭାରତ ନିଜ ଶତ୍ରୁ ଦେଶ ଉପରେ ନଜର ରହିବା ପାଇଁ ମହାକାଶରେ ବିଭିନ୍ନ ସାଟେଲାଇଟ୍ ସେଟ୍ କରିଛି । ଏହି ଧାରାରେ ଚୀନ୍ ଓ ପାକିସ୍ତାନ ମଧ୍ୟ କିଛି କମ୍ ନୁହେଁ । ଚୀନ୍ ନିଜର ଯୁଦ୍ଧ ଷ୍ଟ୍ରାଟେଜି ଶତ୍ରୁ ଦେଶଠାରୁ ଦୂରରେ ରଖିବାକୁ ନୂଆ ନୀତି ଆପଣାଇଛି । ଚୀନ୍ ତିଆରି କରିଛି ଅତ୍ୟାଧୁନିକ ରାଡାର ସିଷ୍ଟମ୍ । ଏସଏଲସି- ୧୮ ରାଡାର ମହାକାଶରେ ଅନ୍ୟଦେଶର ସାଟେଲାଇଟ୍ ଖୋଜିବାରେ ସଫଳ ହେବ । ତେବେ ଏହି ରାଡାର ସିଷ୍ଟମ୍କୁ ଚୀନ୍ ପାକିସ୍ତାନକୁ ସପ୍ଲାଏ କରିବା ନେଇ ଜଣାପଡ଼ିଛି ।
ୟୁରୋ ଏସିଆନ୍ ନ୍ୟୁଜ୍ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ଏସଏଲସି- ୧୮ ରାଡାର ସିଷ୍ଟମ୍କୁ ଚୀନ୍ ଅନ୍ତରାଷ୍ଟ୍ରୀୟ ବିମାନ ଏବଂ ଏୟାରସ୍ପେସ୍ ପ୍ରଦର୍ଶନୀରେ ସାର୍ବଜନୀନ କରିବାକୁ ରଖିଛି । ୧୦ ମିଟର ଲମ୍ବର ଏସଏଲସି- ୧୮ ରାଡାର ବହୁତ ପ୍ରଭାବଶାଳୀ । ଏହି ରାଡାର କୌଣସି ପ୍ରକାରର ଲୋ ଆର୍ଥ ଅର୍ବିଟ୍ ସାଲେଟାଇଟର ସନ୍ଧାନ କରିପାରିବ । ପୃଥିବୀ ପୃଷ୍ଠରୁ ୨୦୦ କିଲୋମିଟରରୁ ୨ହଜାର କିଲୋମିଟର ମଧ୍ୟରେ ସାଲେଟାଇଟ୍ ଉପରେ ନଜର ରଖିପାରିବ । ଏହି ରାଡାର ବହୁତ ଶସ୍ତା ହୋଇଥିବାରୁ ପାକିସ୍ତାନକୁ ସପ୍ଲାଏ କରିବା ନେଇ କୁହାଯାଉଛି । ଏହାକୁ ଚୀନ୍ର ସରକାରୀ କମ୍ପାନୀ ଇଲେକ୍ଟ୍ରୋନିକ୍ସ ଟେକ୍ନୋଲୋଜି ଗ୍ରୁପ କର୍ପୋରାସନ ତିଆରି କରିଛି । ଏହି କମ୍ପାନୀ ପୂର୍ବରୁ ଚୀନ୍ ସେନା ପାଇଁ ବହୁ ମିସାଇଲ, ରାଡାର ଓ ଡିଭାଇସ୍ ମଧ୍ୟ ତିଆରି କରିଛି ।
ପାକିସ୍ତାନକୁ ଚୀନ୍ ଏସଏଲସି- ୧୮ ରାଡାର ସିଷ୍ଟମ ସପ୍ଲାଏ କରିବା ପରେ ପାକିସ୍ତାନ ଇସଲାମବାଦରୁ ବସି ଭାରତ ସମସ୍ତ ସାଟେଲାଇଟ୍ ଉପରେ ନଜର ରଖିପାରିବ । ସାଟେଲାଇଟ୍ ମାନଙ୍କ ଉପସ୍ଥିତିର ଓ ଡାଟାବେସ୍ ସଂଗ୍ରହ କରି ପଠାଇବାରେ ସକ୍ଷମ ଏହି ରାଡାର । ପାକିସ୍ତାନ ନିଜର ଅଧିକାଂଶ ଅସ୍ତ୍ରଶସ୍ତ୍ର ଚୀନ ଠାରୁ ଆମଦାନୀ କରୁଛି । ଚୀନ ପାକିସ୍ତାନକୁ ଯୁଦ୍ଧ ବିମାନ, ସବ୍ ମେରାଇ ଓ ବିଭିନ୍ନ ପ୍ରକାର ମିସାଇଲ ମଧ୍ୟ ସପ୍ଲାଏ କରିଛି । ଗତ ପାଞ୍ଚ ବର୍ଷ ଭିତରେ ପାକିସ୍ତାନ ୭୨ ପ୍ରତିଶତ ଯୁଦ୍ଧାସ୍ତ୍ର ଚୀନ ଠାରୁ ଆମଦାନୀ କରିଛି । ଚୀନ୍ ପାକିସ୍ତାନକୁ ଏହି ରାଡାର ସିଷ୍ଟମକୁ ସପ୍ଲାଏ କରିବା ନେଇ ଭାରତର ଚିନ୍ତା ବଢିଛି ।