ରାଜ୍ୟ ସ୍ପେଶାଲ ରିପୋର୍ଟ

ଚିଲିକାରେ ଶୁଭିଲାଣି ବିଦେଶୀ ପକ୍ଷୀଙ୍କ କଳରବ

ବାଲୁଗାଁ/ବ୍ରହ୍ମଗିରି: ଚିଲିକାରେ ପାଦ ଥାପିଲେଣି ବିଦେଶୀ ଅତିଥି ପକ୍ଷୀ। ଇଂରାଜୀ ୟୁ-ଓ-ଭି ଭଳି ଚିଲିକାର ଆକାଶରେ ଚକ୍କର କାଟିବା ପରେ ରଙ୍ଗବେରଙ୍ଗର ଏହି ସବୁ ପକ୍ଷୀ ଏବେ ନୀଳ ଜଳରାଶିରେ ଅବତରଣ କରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଏଥିସହିତ ଶୀତ ଆସିବା ପୂର୍ବରୁ ପକ୍ଷୀମାନଙ୍କ କଳରବରେ ଚିଲିକା ମୁଖରିତ ହେଲାଣି। ସୁଦୂର ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, କାନାଡ଼ା, ଚୀନ୍‌, ଋଷ ଆଦି ବରଫାବୃତ୍ତ ଅଞ୍ଚଳରୁ ହଜାର ହଜାର ମାଇଲ ଉଡ଼ି ଆସି ଚିଲିକାରେ ପ୍ରବେଶ କରିଛନ୍ତି ଏହିସବୁ ପକ୍ଷୀ।

ପ୍ରତିବର୍ଷ ନଭେମ୍ବର ମାସଠାରୁ ଫେବ୍ରୁଆରି ପର୍ଯ୍ୟନ୍ତ ବିଦେଶୀ ପକ୍ଷୀମାନେ ଚିଲିକାକୁ ନିଜ ବାସସ୍ଥାନ ରୂପେ ବାଛି ନିଅନ୍ତି। ଚିଲିକାରେ ପ୍ରଚୁର ପରିମାଣର ଗୁଳ୍ମଜାତୀୟ ଖାଦ୍ୟ ସହିତ ନଳବଣରେ ଛୋଟ ଛୋଟ ମାଛ, ସରୀସୃପ ଆଦି ପ୍ରଚୁର ମାତ୍ରାରେ ଥିବାରୁ ପକ୍ଷୀମାନେ ଏଠାରେ ରହିବାକୁ ଭଲପାଆନ୍ତି। ନଳବଣ ବାହାରେ ଅର୍ଥାତ୍ ଚିଲିକା କୂଳରେ ଥିବା ଦେଇପୁର, ଭୂଷଣ୍ଡପୁର, ବାଲିପାଟପୁର, ଅଭିମାନପୁର, ସୁନ୍ଦରପୁର, ମଙ୍ଗଳାଯୋଡି, ବାଲିନାଶି, କାଳୁପଡାଘାଟ, ବରୁଣପଦା, ସୋରଣ, ଦୋଛିଆ, ରାହଣବାଲି, ପାରିକୁଦ, ଗୁରୁବାଇ, ସିପିଆ, ସିପକୁଦା, ସମାନାଶି, ବଡଗୋଠ ଓ ଟୁଆଗମ୍ଭାରୀରେ ଏବେଠାରୁ ବିଦେଶୀ ପକ୍ଷୀ ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ପକ୍ଷୀଙ୍କ ଆଗମନ ସହିତ ଶିକାରୀମାନେ ମଧ୍ୟ ସକ୍ରିୟ ହେଉଥିବାରୁ ପକ୍ଷୀ ସୁରକ୍ଷା ଉପରେ ବନବିଭାଗ ଗୁରୁତ୍ବ ଦେଇଛି। ବାଲୁଗାଁ, ଚିଲିକା, ଟାଙ୍ଗୀ, ସାତପଡ଼ା ଓ ରମ୍ଭା ରେଞ୍ଜ୍‌ରେ ବନବିଭାଗର ୨୧ଟି ଟିମ୍‌ ପକ୍ଷୀମାନଙ୍କ ସୁରକ୍ଷା ଲାଗି ନିୟୋଜିତ କରାଯାଇଛି। ଟାଙ୍ଗୀ ରେଞ୍ଜରେ ସର୍ବାଧିକ ୧୧ଟି ଟିମ୍‌ ନିୟୋଜିତ ହୋଇଥିବା ଡିଏଫ୍‌ଓ ଅମ୍ଳାନ ନାୟକ କହିଛନ୍ତି। ସବୁଠାରୁ ସୁନ୍ଦର ଓ ଆକର୍ଷଣୀୟ ବିଦେଶୀ ପକ୍ଷୀ ଫ୍ଲେମିଂଗୋ ଏବେସୁଦ୍ଧା ଚିଲିକାରେ ଦୃଷ୍ଟିଗୋଚର ହୋଇ ନ ଥିବା ବେଳେ ଶୋଭଲର୍‌, କମନକୂଟ, ନର୍ଦନ ପିଣ୍ଟେଲ, ଗଡ୍‌ଉଇଟ୍‌ ଆଦି ପକ୍ଷୀମାନଙ୍କୁ ଦେଖିବାକୁ ମିଳିଛି। ୨୦୨୨-୨୩ବର୍ଷରେ ସମଗ୍ର ଚିଲିକାରେ ୧୮୪ଟି ପ୍ରଜାତିର ୧୧ ଲକ୍ଷ ୩୧ ହଜାର ୯୨୬ଟି ବିଦେଶାଗତ ପକ୍ଷୀଙ୍କ ସମାଗମ ହୋଇଥିବା ବେଳେ ପକ୍ଷୀ ଅଭୟାରଣ୍ୟ ନଳବଣରେ ୩ ଲକ୍ଷ ୪୨ ହଜାର ପକ୍ଷୀ ଅବସ୍ଥାନ କରିଥିଲେ। ଚଳିତବର୍ଷ ପାଣିପାଗକୁ ଆଖି ଆଗରେ ରଖି ଚିଲିକାରେ ପକ୍ଷୀସଂଖ୍ୟା ବୃଦ୍ଧି ପାଇବ ବୋଲି ବନବିଭାଗ ଆଶା ରଖିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।