ରାଜ୍ୟ ସ୍ପେଶାଲ ରିପୋର୍ଟ

ଚାଷୀଙ୍କ ସ୍ବାର୍ଥକୁ ଅଣଦେଖା ଜାରି: ମଣ୍ଡିରେ ସର୍ବନିମ୍ନ ଭିତ୍ତିଭୂମି ନାହିଁ, କାକରରେ ଭିଜୁଛି ଧାନ

ଭୁବନେଶ୍ବର: ଅସଜଡ଼ା ଭିତ୍ତିଭୂମିରେ ଚାଲିଛି ରାଜ୍ୟର ଧାନ ସଂଗ୍ରହ ବ୍ୟବସ୍ଥା। ପେକ୍ସ କମ୍ପୁଟରୀକରଣକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର। ମାତ୍ର ରାଜ୍ୟରେ ସ୍ଥିତ ୬ ଟି ଜିଲ୍ଲା କନ୍ଧମାଳ, କୋରାପୁଟ, ମୟୂରଭଞ୍ଜ, ନବରଙ୍ଗପୁର, ସୁନ୍ଦରଗଡ଼, ରାୟଗଡ଼ାରେ ବିନା ପେକ୍ସରେ ଧାନ ସଂଗ୍ରହ ହେଉଛି। ଆଗାମୀ ଦିନରେ ମଧ୍ୟ ଏଠାରେ ନୂତନ ପେକ୍ସ ପାଇଁ ପ୍ରସ୍ତାବ ମଧ୍ୟ ନାହିଁ। ଏଭଳି ସ୍ଥିତିରେ ଏହି ଜିଲ୍ଲାମାନଙ୍କରେ କେଉଁଠି ପଞ୍ଚାୟତ କାର୍ଯ୍ୟାଳୟରେ ତ କେଉଁଠି ଖୋଲା ପଡ଼ିଆରେ ଧାନ ବିକ୍ରି ହେଉଛି। ବିଭିନ୍ନ ସ୍ଥାନରେ କାକରରେ ଧାନ ଭିଜୁଛି। ସେହିଭଳି ରାଜ୍ୟରେ ୧୯୮୮ ପେକ୍ସରେ ଗୋଦାମ ମଧ୍ୟ ନାହିଁ। ଯେଉଁଠି ଗୋଦାମ ଅଛି ତାର ଧାନ ରଖିବାର କ୍ଷମତା ମଧ୍ୟ ୫୦ରୁ ୧୦୦୦ ମେଟ୍ରିକ ଟନ ମଧ୍ୟରେ ରହିଛି। ବର୍ତ୍ତମାନ ରାଜ୍ୟରେ ଥିବା ୩୪୦୯ ମଣ୍ଡି ମଧ୍ୟରୁ ୨୩୮୯ରେ ପିଣ୍ଡି, ୮୫୩ରେ ଶୌଚାଳୟ, ୬୨ରେ ପାଣି ବ୍ୟବସ୍ଥା, ୨୪୪ରେ ଅପେକ୍ଷା ଗୃହ ଏବଂ ୧୪୫ଟି ମଣ୍ଡିରେ ଇଣ୍ଟରନେଟ୍ ଟିଏ ମଧ୍ୟ ନାହିଁ।

ସୂଚନା ଅନୁଯାୟୀ, ମଣ୍ଡିରେ ଧାନ ଓଜନ ଠାରୁ ଶସ୍ୟ ସଂରକ୍ଷଣ ପର୍ଯ୍ୟନ୍ତ ସମସ୍ତ ସେବା ରହିବା ଉଚିତ। ଏପରିକି ପିଣ୍ଡି, ଶୌଚାଳୟ, ପାଣି, ଅପେକ୍ଷା ଗୃହ ଏବଂ ଇଣ୍ଟରନେଟ୍ ସୁବିଧା ମଧ୍ୟ ରହିବ। ଅଣଏଫଏକ୍ୟୁ ଧାନ ହୋଇଥିଲେ ଏହାକୁ ଏଫଏକ୍ୟୁ କରିବା ପାଇଁ ମେସିନ ରଖିବା ଲାଗି ନିୟମ ରହିଛି। ମାତ୍ର ଅଧିକାଂଶ ଜିଲ୍ଲାରେ ଏହି ସୁବିଧା ପ୍ରହସନ ପାଲଟିଛି। କୋରାପୁଟ ଚାଷୀ ସଙ୍ଗଠନର ନରେନ୍ଦ୍ର ପ୍ରଧାନଙ୍କ କହିବା ଅନୁସାରେ, ଏହି ଜିଲ୍ଲାର ଦୁଇଟି ଉପଖଣ୍ଡରେ ୧୦୪ଟି ମଣ୍ଡି ରହିଛି। ଏଠାରେ ଥିବା ଅଧିକାଂଶ ମଣ୍ଡିରେ ସର୍ବନିମ୍ନ ସୁବିଧା କଥା ଦୂରେ ଥାଉ ନିଜସ୍ବ ଜମି ନାହିଁ। ଏଠାରେ ୧୫ ତାରିଖରୁ ଧାନ ସଂଗ୍ରହ ଆରମ୍ଭ ହୋଇଛି। ଅଥଚ କୋରାପୁଟ ଉପଖଣ୍ଡର ଅଧିକାଂଶ ସ୍ଥାନରେ ଶୀତୁଆ ରାତିରେ ଖୋଲା ଆକାଶ ତଳେ ଧାନ ପଡ଼ିରହିଛି। ଚାଷୀ ନିଜ ଉଦ୍ୟମରେ ତାରପୋଲିନ ଢାଙ୍କି ଧାନ ଜଗି ରହିଛନ୍ତି ଏବଂ ଅଧିକାଂଶ ସମୟରେ ଅସମାଜିକ ବ୍ୟକ୍ତିଙ୍କ ଭୟ ରହୁଛି। ଏଭଳି ସ୍ଥିତିରେ ଧାନର ଏଫଏକ୍ୟୁ ମାନ ମଧ୍ୟ ହ୍ରାସ ପାଉଛି। କେବଳ ସେତିକି ନୁହେଁ, ଇଣ୍ଟରନେଟ୍ କଥା ଦୂରେଥାଉ ଶୌଚାଳୟ, ପାଣି, ଅପେକ୍ଷା ଗୃହଟିଏ ନରହିବା ଯୋଗୁଁ ଅବସ୍ଥା କଣ ହେଉଥିବ ସହଜରେ ଅନୁମାନ କରାଯାଇ ପାରେ।

ଝାରସୁଗୁଡ଼ା ଜିଲ୍ଲା ଚାଷୀ ବିରଞ୍ଚି ସାହୁଙ୍କ କହିବା ଅନୁସାରେ, ଲଇକେରା ବ୍ଲକର ଅନେକ ସ୍ଥାନରେ ବିକ୍ରି ନ ହୋଇ ଧାନ ପଡ଼ି ରହିଛି। ଏଠାରେ ପିଣ୍ଡି, ଅପେକ୍ଷା ଗୃହ ଆଦି ନଥିବାରୁ ଅବସ୍ଥା ଅସମ୍ଭାଳ ହେଉଛି। କିଛି ସ୍ଥାନରେ ଚାଷୀ ଅସ୍ଥାୟୀ ଭାବରେ ଟେଣ୍ଟ କରିଛନ୍ତି। ବିଶେଷକରି ଛତିଶଗଡ଼ ସୀମାନ୍ତବର୍ତ୍ତୀ ଲଖନପୁରର ଅବସ୍ଥା ଜଟିଳ ରହିଛି। ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଚାଷୀ ଯୋଗବିହାରୀ ପରିଡ଼ା କହିଛନ୍ତି, ଏହି ବ୍ଲକର କେଶେଇବାହାଲ ସମେତ ବିଭିନ୍ନ ଅଞ୍ଚଳ ହାତୀ ଉପଦ୍ରବ ଅଞ୍ଚଳ ଅଟେ। ଧାନ ବିକ୍ରି ପାଇଁ ସର୍ବନିମ୍ନ ସୁବିଧା ନଥିବାରୁ ଯେକୌଣସି ସମୟରେ ହାତୀ ଧାନ ଖାଇ ଦେବାର ଭୟ ଲାଗି ରହୁଛି। ଏଥିଯୋଗୁଁ ଚାଷୀ ଯେତେ ଦିନ ହେଉ ପଛେ ଧାନ ନଉଠିବା ପର୍ଯ୍ୟନ୍ତ ମଣ୍ଡିରେ ଜଗି ରହିଥାଆନ୍ତି। ପୂର୍ବରୁ ବାମରା ବ୍ଲକର ବିଭିନ୍ନ ମଣ୍ଡିରେ ହାତୀ ଧାନ ନଷ୍ଟର ଉଦାହରଣ ରହିଛି। ଗଞ୍ଜାମ ଜିଲ୍ଲା ଚାଷୀ ସଙ୍ଗଠନ କହିଛନ୍ତି, ଜିଲ୍ଲାରେ ମଣ୍ଡି ବ୍ୟବସ୍ଥା ପ୍ରହସନ ଭଳି ଅଟେ।

ଚାଷୀ ମଣ୍ଡି ବଦଳରେ ସିଧା ମିଲର୍ସଙ୍କ ପାଖକୁ ଯାଆନ୍ତି। ସେଠାରେ ଓଜନ ହୋଇ ମିଲ ମାଲିକ ନେଇ ଯାଆନ୍ତି। ଏଥିଯୋଗୁଁ ଏହି ଜିଲ୍ଲାରେ ଧାନ ସଂଗ୍ରହ ମିଲର୍ସଙ୍କ ଦାଦାଗିରି ସ୍ପଷ୍ଟ ଦେଖାଯାଏ। ଯେକୌଣସି ପ୍ରକାର ଧାନ ହୋଇଥିଲେ ମଧ୍ୟ କଟନିଛଟନି ହୁଏ। ଉପରୋକ୍ତ ଜିଲ୍ଲାଗୁଡ଼ିକ କେବଳ ଉଦାହରଣ ମାତ୍ର ଅଧିକାଂଶ ଜିଲ୍ଲାର ମଣ୍ଡି ବ୍ୟବସ୍ଥା ସେହିଭଳି ରହିଛି। ଅନ୍ୟପକ୍ଷରେ ସମବାୟ ବିଭାଗର ସୂଚନା ଅନୁସାରେ, ରାଜ୍ୟରେ ୪୦୧୭ଟି ନୂତନ ପେକ୍ସ ଏବଂ ଲେମ୍ପ୍ସ ମାର୍ଚ୍ଚ ସୁଦ୍ଧା ସମାପ୍ତ ହୋଇଯିବ। ଏଥିରେ ୫୧୪ଟି ନୂତନ ପେକ୍ସ ଏବଂ ୭୯୩ଟି ନୂତନ ଲେମ୍ପ୍ସ ରହିଛି। ବର୍ତ୍ତମାନ ରାଜ୍ୟରେ ସ୍ଥିତ ୬୭୯୪ଟି ଗ୍ରାମପଞ୍ଚାୟତରେ ୨୪୯୫ ପେକ୍ସ ଏବଂ ୨୧୫ଟି ଲେମ୍ପ୍ସ ରହିଛି। ଧାନ ସଂଗ୍ରହକୁ ସୁବ୍ୟବସ୍ଥିତ କରିବା ପାଇଁ ସବୁ ପଞ୍ଚାୟତରେ ପେକ୍ସ ଏବଂ ଲେମ୍ପ୍ସ କରିବା ପାଇଁ ସରକାରୀ ନିର୍ଦେଶ ରହିଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାଯାଇ ନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।