କେନ୍ଦ୍ରାପଡ଼ା,୦୯/୦୨: ଏବେବି ଆତ୍ମଘୋଷିତ ଭଗବାନ ସାରଥି ଓରଫ ସନ୍ତୋଷ ରାଉଳ ଉପରେ ରହିଛି ଲୋକଙ୍କ ବିଶ୍ୱାସ । ଲୋକେ ପୂଜାର୍ଚ୍ଚନା କରୁଛନ୍ତି । ସାରଥୀ ବନ୍ଦନା ଗାଉଛନ୍ତି । ତେବେ କେନ୍ଦ୍ରାପଡ଼ା ସହରର ମଢ଼ିଆଳ ବଜାରରେ ସୋମବାର ସନ୍ଧ୍ୟାରେ ବିବାଦୀୟ ‘ସାରଥି ବାବା’ ଓରଫ ସନ୍ତୋଷ ରାଉଳର କିଛି ଅନୁଗତ ଭକ୍ତ ଭଜନ କାର୍ଯ୍ୟକ୍ରମ ଚଳାଉଥିଲେ । ଏତିକି ବେଳେ ସ୍ଥାନୀୟ ପୋଲିସ ପହଞ୍ଚି ଏହାକୁ ବନ୍ଦ କରାଇଛି ।
ଆତ୍ମଘୋଷିତ ବାବା ସନ୍ତୋଷ ରାଉଳ ଓରଫ ସାରଥି ପ୍ରବଚନ, ସତ୍ସଙ୍ଗ, ଭଜନ ଭଳି କାର୍ଯ୍ୟକ୍ରମରେ ଭାଗ ନେଇପାରିବେନି କି କେନ୍ଦ୍ରାପଡ଼ା ଯାଇପାରିବେନି ବୋଲି ସର୍ତ୍ତ ରହିଛି । ଅପରପକ୍ଷରେ ବିବାଦୀୟ ସାରଥି ବାବା ନାଁରେ କାର୍ଯ୍ୟକ୍ରମ ପରିବେଷଣକୁ ପ୍ରଶାସନିକ ସ୍ତରରେ ବାରଣ ଥିବା ବେଳେ ତାହାର ଖିଲାପ କରାଯାଉଛି । ଏନେଇ ପୋଲିସ ପାଖେ ବାରମ୍ବାର ଅଭିଯୋଗ ହୋଇଥିଲା । ଅଞ୍ଚଳର ଜଣେ ବ୍ୟବସାୟୀ ପ୍ରାୟ ୫୦ରୁ ଅଧିକ ଲୋକଙ୍କୁ ନେଇ ସାରଥିର ଫଟୋଚିତ୍ର ରଖି ଭଜନ କାର୍ଯ୍ୟକ୍ରମ ଚଳାଇଥିଲେ । ପୋଲିସ ଖବର ପାଇ ଏହାକୁ ବନ୍ଦ କରିବା ସହ ଏହି ଘଟଣାରେ ଜଣଙ୍କୁ ଅଟକ ରଖି ପଚରାଉଚର ଜାରି ରଖିଛି ।
ସୋମବାର ରାତିରେ ଏହି କାର୍ଯ୍ୟକ୍ରମ ମଢ଼ିଆଳରେ ଚାଲିଥିଲା । ଆତ୍ମଘୋଷିତ ବାବା ସନ୍ତୋଷ ରାଉଳ ଓରଫ ସାରଥିଙ୍କୁ ସମସ୍ତ ମାମଲାରେ ହାଇକୋର୍ଟରୁ ଜାମିନ୍ ମିଳିସାରିଛି । ଏବେ ସେ ଜେଲ୍ରୁ ମୁକ୍ତି ପାଇ ଏବେ ଅଜ୍ଞାତ ସ୍ଥାନରେ ରହୁଛନ୍ତି । ସାରଥିଙ୍କ ପ୍ରବଚନ, ଭଜନ କାର୍ଯ୍ୟକ୍ରମ ଉପରେ କଟକଣା ଲାଗୁ ହୋଇଥିଲେ ବି ଏଠାରେ ବେଆଇନ ଭାବେ ଏହା କରାଯାଉଥିବାରୁ ପୋଲିସ ଏଭଳି ପଦକ୍ଷେପ ନେଇଥିବା ଟାଉନ୍ ଥାନା ଆଇଆଇସି ଜ୍ୟୋତିରଞ୍ଜନ ସାମନ୍ତରାୟ ସୂଚନା ଦେଇଛନ୍ତି । ଏଯାଏ ସାରଥି କେଉଁଠାରେ ରହୁଛନ୍ତି ତାହା ପ୍ରଶ୍ନବାଚୀ ହୋଇଥିବା ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସାରଥି ଆଶ୍ରମ ଓ ସତ୍ୟମ୍ ଚାରିଟେବୁଲ ଟ୍ରଷ୍ଟ ସହ ଜଡ଼ିତ ସମ୍ପତ୍ତିକୁ ନିଜ ଦଖଲକୁ ନେଇସାରିଥିବା ଜଣାପଡିଛି ।
