ରାଜ୍ୟ ସ୍ପେଶାଲ ରିପୋର୍ଟ

ଚର୍ଚ୍ଚାରେ ଜେଜେମା ହାଣ୍ଡିଶାଳ, ପାରମ୍ପରିକ ରୋଷେଇର ଚାଟଶାଳୀ

ଯାଜପୁରସଦର/ଦାନଗଦୀ : ଚର୍ଚ୍ଚାରେ ଜେଜେମାଙ୍କ ହାଣ୍ଡିଶାଳ। ୮୭ ବର୍ଷୀୟା ବୃଦ୍ଧାଙ୍କ ରୋ​ଷେଇ ଏବେ ୟୁଟ୍ୟୁବ୍‌ରେ ଲକ୍ଷାଧିକ ଦର୍ଶକଙ୍କ ପ୍ରଶଂସା ସାଉଁଟିଛି। ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଦେଉଳକଣ ଗାଁର କୋକିଳ ନାୟକ। ଏ ବୟସରେ ସେ ଭଳିକି ଭଳି ରୋଷେଇ କରୁଛନ୍ତି। ୟୁଟ୍ୟୁବରେ ଜେଜେମାଆଙ୍କ ଭିଡିଓ ଦେଖି ଆଖପାଖ ଝିଅବୋହୂ ବି ପହଞ୍ଚି ରୋଷେଇ ଶିଖିବାକୁ ଚାହୁଁଛନ୍ତି। ଜେଜେମା ହାଣ୍ଡିଶାଳ ଚ୍ୟାନେଲରେ ଦେଶବିଦେଶର ୩୦ ହଜାରରୁ ଅଧିକ ସବସ୍କ୍ରାଇବର ଯୋଡ଼ିହୋଇଛନ୍ତି। ଜେଜେମା କୋକିଳଙ୍କ ଭିଡିଓକୁ  ଅଣନାତୁଣୀ ଲୋନା ନାୟକ ସୁଟିଂ ଓ ଏଡିଟିଂ କରି ଅପ୍‌‌ଲୋଡ୍‌‌ କରନ୍ତି। ତାଙ୍କ  ସମସ୍ତ ଖାଦ୍ୟ ଶିଳବଟା ମସଲାରେ ପ୍ରସ୍ତୁତ ହେଉଛି। ପୁରୁଣା ଦିନରେ ପରଷାଯାଉଥିବା ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କିତ ଭିଡିଓ ତିଆରି କରି ଏହି ଚ୍ୟାନେଲରେ ଅପଲୋଡ୍‌ ହେଉଛି।

୨୦୨୧ ସେପ୍ଟେମ୍ବରରେ ଖୋଲିଥିବା ଏହି ଚ୍ୟାନେଲର ଗୋଟିଏଗୋଟିଏ ଭିଡିଓକୁ ୩ ଲକ୍ଷରୁ ଊର୍ଦ୍ଧ୍ବ ଦର୍ଶକ ଦେଖିସାରିଲେଣି। ସେ ଏହି ଚ୍ୟାନେଲରୁ ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି। ବିଶେଷକରି ପ୍ରବାସୀ ଓଡ଼ିଆ ଗୃହିଣୀଙ୍କ ପସନ୍ଦର ଚ୍ୟାନେଲ ହୋଇପାରିଛି। ଦେଶୀ ଓଡ଼ିଆ ଖାଦ୍ୟ ପ୍ରସ୍ତୁତି ଯଥା- ଛତୁ ବେସର, ହବିଷ ଡାଲମା, ବିଭିନ୍ନ ପ୍ରକାରର ଶାଗଭଜା, ବଡ଼ିଚୂରା, ଚୁନାମାଛ ଭଜା, ମାଛ ବେସର, ପଣସ କଠା, ପତ୍ରପୋଡ଼ା ମାଛ, କଦଳୀ ଭଜା, ସାଲାଡ, ଆଳୁ ଭର୍ତ୍ତା, କଲରା ମସଲା, ଅଣ୍ଡା ମସଲା, ଏଣ୍ଡୁରି ପିଠା, ଚକୁଳି ଆଦି ପାରମ୍ପରିକ ଖାଦ୍ୟ ପ୍ରସ୍ତୁତିର ଭିଡିଓ କରି ଚ୍ୟାନେଲରେ ଛାଡ଼ିଥାନ୍ତି। ଗୋଟିଏପଟେ ଜେଜେମା ରୋଷେଇ କରିଥିବା ଦେଶୀ ଖାଦ୍ୟ ସପରିବାର ଖାଇ ମଜା ନେଉଥିବାବେଳେ ଅନ୍ୟପଟେ ସେଥିରୁ ୟୁଟ୍ୟୁବ୍‌ରୁ ରୋଜଗାର ମଧ୍ୟ ଆସିଯାଉଛି। କିଛି କାମ କରିବା ପାଇଁ ବୟସ ଯେ ବାଧକ ନୁହେଁ, ତାହାର ପ୍ରମାଣ କୋକିଳ ଜେଜେମାଙ୍କ ହାଣ୍ଡିଶାଳ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।