ନୂଆଦିଲ୍ଲୀ : ଚନ୍ଦ୍ରଯାନ-୩କୁ ନେଇ ମହାକାଶକୁ ଯିବାକୁ ଥିବା ଲଞ୍ଚ୍ ଭେହିକ୍ଲ ଏମ୍୩/ଏମ୍୪ (ଏଲ୍ଭି ଏମ୍୩/ଏମ୍୪)କୁ ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ ମହାକାଶ କେନ୍ଦ୍ର (ଏସ୍ଡିଏସ୍ସି)ର ଲଞ୍ଚପ୍ୟାଡ୍କୁ ପଠାଯାଇ ସାରିଲାଣି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏଲ୍ଭି ଏମ୍୩-ଏମ୍୪/ଚନ୍ଦ୍ରଯାନ-୩ ମିସନର ଉତ୍କ୍ଷେପଣ ନେଇ ସମୟ ଘୋଷଣା କରିସାରିଛି। ଜୁଲାଇ ୧୪ ଅପରାହ୍ଣ ୨ଟା ୩୫ରେ ଚନ୍ଦ୍ରଯାନ-୩ ଲଞ୍ଚ୍ ହେବାର ଯୋଜନା ରହିଛି। ଭାରତ ବର୍ତ୍ତମାନ ନିଜର ତୃତୀୟ ଚନ୍ଦ୍ର ଅଭିଯାନ ପାଇଁ ପ୍ରସ୍ତୁତ ହେଉଛି। ଚନ୍ଦ୍ରଯାନ-୩ ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ଚନ୍ଦ୍ର ବିଷୟରେ ଅଧିକ ରହସ୍ୟ ଉନ୍ମୋଚନ କରିବାରେ ସାହାଯ୍ୟ କରିବ।
ଚନ୍ଦ୍ରଯାନ-୩ ହେଉଛି ଚନ୍ଦ୍ରଯାନ-୨ର ଏକ ଫଲୋଅପ୍ ଅଭିଯାନ, ଯାହା ଏହାର ଲ୍ୟାଣ୍ଡର୍ ଓ ରୋଭର୍ ବ୍ୟବହାର କରି ସୁରକ୍ଷିତ ଅବତରଣ ଏବଂ ଚନ୍ଦ୍ର ପୃଷ୍ଠରେ ବୁଲିବା ପାଇଁ ସମସ୍ତ କ୍ଷମତା ପ୍ରଦର୍ଶନ କରିବ। ଲ୍ୟାଣ୍ଡର୍ ଓ ରୋଭର୍ ୧୦୦ କିଲୋମିଟର ପରିଧି ଭିତରେ ଚନ୍ଦ୍ର କକ୍ଷପଥରେ ପ୍ରୋପଲସନ୍ ମଡ୍ୟୁଲ୍ ଦ୍ୱାରା ଗତି କରିବ। ଚନ୍ଦ୍ରର କକ୍ଷପଥରୁ ପୃଥିବୀର ସ୍ପେକ୍ଟ୍ରାଲ୍ ଓ ପୋଲାରିମେଟ୍ରିକ୍ ତଥ୍ୟ ପରୀକ୍ଷା କରିବା ପାଇଁ ପ୍ରୋପଲସନ୍ ମଡ୍ୟୁଲ୍ ସ୍ପେକ୍ଟ୍ରୋ-ପୋଲାରାଇମେଟ୍ରି ଅଫ୍ ହାବିଟେବଲ୍ ପ୍ଲାନେଟ୍ ଆର୍ଥ (ସେପ୍) ପେଲୋଡ୍ ସହିତ ସଜ୍ଜିତ। ଏହି ପ୍ରକଳ୍ପର ଆନୁମାନିକ ବଜେଟ୍ ୬୧୫ କୋଟି ଟଙ୍କା ରହିଛି। ଗତକାଲି ଚନ୍ଦ୍ରଯାନ-୩ର ଏନ୍କ୍ୟାପ୍ସୁଲେଟେଡ୍ ଆସେମ୍ବଲି ଏଲ୍ଭିଏମ୍୩ ସହିତ ଯୋଡି ହୋଇଥିଲା।

ଚନ୍ଦ୍ରଯାନ-୩: ଲ୍ୟାଣ୍ଡର୍ ପେଲୋଡ୍ ବିବରଣୀ
ଲ୍ୟାଣ୍ଡର୍ର ପେଲୋଡ୍ ଭିତରେ ଅଛି ପ୍ଲାଜ୍ମାର ସାନ୍ଦ୍ରତା ଓ ଏହାର ପ୍ରକାରଭେଦକୁ ଆକଳନ କରିବା ପାଇଁ ଲଙ୍ଗମୁର ପ୍ରୋବ୍ (ଏଲ୍ପି), ଥର୍ମୋଫିଜିକାଲ କଣ୍ଡକ୍ଟିଭିଟି ଓ ତାପମାତ୍ରା ମାପିବା ପାଇଁ ଚନ୍ଦ୍ରଜ୍ ସର୍ଫେସ୍ ଥର୍ମୋଫିଜିକାଲ୍ ଏକ୍ସପେରିମେଣ୍ଟ (ଚେଷ୍ଟ) ଓ ଅବତରଣ ସ୍ଥାନ ଚାରିପାଖର କମ୍ପନକୁ ମାପିବା ପାଇଁ ଇନଷ୍ଟ୍ରୁମେଣ୍ଟ୍ ଫର୍ ଲୁନାର ସିସ୍ମିକ୍ ଆକ୍ଟଭିଟି (ଇଲ୍ସା)। ଚନ୍ଦ୍ରର ଲେଜର ପରିସର ଅନୁସନ୍ଧାନ ପାଇଁ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ମଧ୍ୟ ଏକ ପାସିଭ୍ ଲେଜର ରିଟ୍ରୋଫ୍ଲେକ୍ଟର ଆରେ ପ୍ରଦାନ କରିଛି।
ଚନ୍ଦ୍ରଯାନ-୩: ରୋଭର୍ ପେଲୋଡ୍ ବିବରଣୀ
ଅବତରଣ ସ୍ଥାନ ନିକଟରେ ଥିବା ମୌଳିକ ସଂରଚନା ନିର୍ଣ୍ଣୟ କରିବା ପାଇଁ ରୋଭର୍ ପେଲୋଡ୍ରେ ଆଲ୍ଫା କଣିକା ଏକ୍ସ-ରେ ସ୍ପେକ୍ଟ୍ରୋମିଟର (ଏପିଏକ୍ସଏସ୍) ଏବଂ ଲେଜର୍ ଇଣ୍ଡ୍ୟୁସ୍ଡ ବ୍ରେକ୍ଡାଉନ୍ ସ୍ପେକ୍ଟ୍ରୋସ୍କୋପି (ଏଲ୍ଆଇବିଏସ୍) ରଖାଯାଇଛି।
ଚନ୍ଦ୍ରଯାନ-୩: ଅଭିଯାନର ଲକ୍ଷ୍ୟ
୧. ଚନ୍ଦ୍ରପୃଷ୍ଠରେ ଏକ ନିରାପଦ ଓ ସ୍ବାଭାବିକ ଅବତରଣ (ସଫ୍ଟ ଲ୍ୟାଣ୍ଡିଂ), ୨. ଲୁନାର ରୋଭର୍ ଟେକ୍ନୋଲୋଜି ସାହାଯ୍ୟରେ ଚନ୍ଦ୍ରପୃଷ୍ଠରେ ଭ୍ରମଣ ଏବଂ ୩. ଚନ୍ଦ୍ରପୃଷ୍ଠରେ ବୈଜ୍ଞାନିକ ଅନୁସନ୍ଧାନ କରିବା।
ଚନ୍ଦ୍ରଯାନ-୩: ମିସନ ଅବଧି
ଲ୍ୟାଣ୍ଡର୍ ଓ ରୋଭର୍ ଚନ୍ଦ୍ରପୃଷ୍ଠରେ ଗୋଟିଏ ଅହୋରାତ୍ର କାର୍ଯ୍ୟ କରିବା ପାଇଁ ଡିଜାଇନ୍ କରାଯାଇଛି, ଯାହା ପୃଥିବୀରେ ପ୍ରାୟ ୧୪ ଦିନ ସହ ସମାନ।
ଚନ୍ଦ୍ରଯାନ -୩: ଲଞ୍ଚ୍ ଭେହିକ୍ଲର ବିବରଣୀ
ଜିଓସିଙ୍କ୍ରୋନସ୍ ସାଟେଲାଇଟ୍ ଲଞ୍ଚ ଭେହିକ୍ଲ୍ ମାର୍କ-୩ (ଜିଏସ୍ଏଲ୍ଭି ଏମ୍୩) ଚନ୍ଦ୍ରଯାନ-୩ ପାଇଁ ଡିଜାଇନ୍ କରାଯାଇଛି ଏବଂ ଏହା ଇଣ୍ଟିଗ୍ରେଟେଡ୍ ମଡ୍ୟୁଲ୍କୁ ଏକ ଏଲିପ୍ଟିକ୍ ପାର୍କିଂ ଅର୍ବିଟ (ଇପିଓ)ରେ ସ୍ଥାନ ଦେବ।