ରାଜ୍ୟ ସ୍ପେଶାଲ ରିପୋର୍ଟ

ଘୁ.ଉଦୟଗିରି ବିଧାନସଭା ନିର୍ବାଚନମଣ୍ଡଳୀ: ନିର୍ଣ୍ଣାୟକ ହେବ ସଂଖ୍ୟାଲଘୁ ଭୋଟ

ଫୁଲବାଣୀ (ରଞ୍ଜନ ପ୍ରଧାନ) : କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବିଧାନସଭା ନିର୍ବାଚନମଣ୍ଡଳୀଟି ଜିଲ୍ଲାର ଅନ୍ୟ ଦୁଇ ନିର୍ବାଚନମଣ୍ଡଳୀ ଠାରୁ ଭିନ୍ନ। ଏହି ନିର୍ବାଚନମଣ୍ଡଳୀରେ ସର୍ବଦା ସଂଖ୍ୟାଲଘୁ ଭୋଟ୍‌ ହିଁ ନିର୍ଣ୍ଣାୟକ ଭୂମିକା ନେଇଥାଏ। ଅତୀତରେ କଂଗ୍ରେସ ବହୁବର୍ଷ ଧରି ଏହାର ଫାଇଦା ଉଠାଇ ଚାଲିଥିବା ବେଳେ ଶାସକ ବିଜେଡି ମଧ୍ୟ ସାଲୁଗା ପ୍ରଧାନଙ୍କୁ ପ୍ରାର୍ଥୀ କରି ଲାଭବାନ ହୋଇଛି। ଯଦିଓ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକାଣ୍ଡ ତଥା ଦଙ୍ଗା ପରବର୍ତ୍ତୀ ସମୟରେ ଏବଂ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିଯିବା ପରେ ୨୦୦୯ ନିର୍ବାଚନରେ ଏଠାରେ ହିନ୍ଦୁ ଭୋଟ ଧ୍ରୁବୀକରଣ ହେବାରୁ ବିଜେପି ପ୍ରାର୍ଥୀ ମନୋଜ କୁମାର ପ୍ରଧାନ ଫାଇଦା ଉଠାଇ ବିଜୟୀ ହୋଇଥିଲେ, ପରବର୍ତ୍ତୀ ନିର୍ବାଚନ ଗୁଡ଼ିକରେ ବିଜେପି ନିଜ ରଣକୌଶଳରେ ସଫଳ ହୋଇ ପାରିଲାନି। ୨୦୦୯ ନିର୍ବାଚନ ପରଠାରୁ ବିଜେପି ଆଉ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ କାର୍ଡ଼ ଖେଳି ସଫଳତା ପାଇନି। ଏଠାରେ ସଂଖ୍ୟାଲଘୁ ସଂପ୍ରଦାୟର ଭୋଟର ଯେଉଁ ଆଡ଼କୁ ଢଳନ୍ତି, ସେ ଦଳ ପ୍ରାର୍ଥୀ ହିଁ ବିଜୟୀ ହୋଇଥାନ୍ତି।

ଅତୀତକୁ ତର୍ଜମା କଲେ ଜଣାଯାଏ, ୧୯୮୦ ରୁ ୨୦୦୦ ମସିହା ପର୍ଯ୍ୟନ୍ତ ୨୦ ବର୍ଷ ଧରି ବରିଷ୍ଠ କଂଗ୍ରେସ ନେତା ନାଗାର୍ଜୁନ ପ୍ରଧାନ ଲଗାତାର ୪ ଥର ବିଜୟୀ ହୋଇଥିଲେ। ଘୁ.ଉଦୟଗିରି କଂଗ୍ରେସର ପାରମ୍ପରିକ ଗଡ଼ ରହି ଆସିଥିଲା। ବିଜେଡି-ବିଜେପି ମେଣ୍ଟ ପରେ ୨୦୦୦ ରେ ଏଠାରୁ ମେଣ୍ଟ ପ୍ରାର୍ଥୀ ଭାବେ ବିଜେଡି ପ୍ରାର୍ଥୀ ସାଲୁଗା ପ୍ରଧାନ ବିଜୟୀ ହୋଇଥ‌ିଲେ। କିନ୍ତୁ ୨୦୦୪ରେ ଏଠାରେ ମେଣ୍ଟ ବିଫଳ ହୋଇଥିଲା। ଏଠାରୁ କଂଗ୍ରେସ ପ୍ରାର୍ଥୀ ଅଜୟନ୍ତୀ ପ୍ରଧାନ ବିଜୟୀ ହୋଇଥିଲେ। ୨୦୦୯ ମସିହାରେ ବିଜେପି-ବିଜେଡି ମେଣ୍ଟ ଭାଙ୍ଗିଯିବା ପରେ ଏବଂ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକାଣ୍ଡ ଓ ତତ୍‌ଜନିତ ଦଙ୍ଗା ଯୋଗୁଁ ଜେଲ୍‌ରେ ଥାଇ ମଧ୍ୟ ବିଜେପି ପ୍ରାର୍ଥୀ ମନୋଜ କୁମାର ପ୍ରଧାନ ବିଜୟୀ ହୋଇଥିଲେ। ୨୦୧୪ ରେ କଂଗ୍ରେସ ପ୍ରାର୍ଥୀ ଜାକବ ପ୍ରଧାନ ନିର୍ବାଚନ ବୈତରଣୀ ପାର୍‌ ହୋଇଥିଲେ। ଶାସକ ବିଜେଡି କିନ୍ତୁ ସାଲୁଗା ପ୍ରଧାନଙ୍କୁ ପ୍ରାର୍ଥୀ ନକରି ପ୍ରଦୀପ ପ୍ରଧାନଙ୍କୁ ପ୍ରାର୍ଥୀ କରିଥିଲା। ଏଥିଯୋଗୁଁ ବିଜେଡିକୁ ପରାଜୟ ବରଣ କରିବାକୁ ପଡ଼ିଥିଲା। ୨୦୧୯ ରେ ବିଜେଡି ପୁଣି ସାଲୁଗା ପ୍ରଧାନଙ୍କୁ ପ୍ରାର୍ଥୀ କରି ଖ୍ରୀଷ୍ଟିଆନ ଭୋଟ୍‌ ହାତେଇ ବିଜୟୀ ହୋଇଥିଲା। କଂଗ୍ରେସ ଜାକବ ପ୍ରଧାନଙ୍କୁ ପୁନର୍ବାର ପ୍ରାର୍ଥୀ ନ କରିବାରୁ ସେ ସ୍ବାଧୀନ ଭାବେ ଲଢ଼ି ହାରିଥିଲେ।

ବିଗତ ଦିନକୁ ଅନୁଧ୍ୟାନ କଲେ, ଘୁ.ଉଦୟଗିରି ବିଧାନସଭା ନିର୍ବାଚନମଣ୍ଡଳୀରେ ଶାସକ ବିଜେଡି ସର୍ବଦା ନିରଙ୍କୁଶ କ୍ଷମତା ହାସଲ କରିବାରେ ସମର୍ଥ ହୋଇପାରିନାହିଁ। ୨୦୦୪ ରେ କଂଗ୍ରେସ, ୨୦୦୯ରେ ବିଜେପି ଏବଂ ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିଲେ। ବାରମ୍ବାର ବିଫଳତାକୁ ସାମ୍ନା କରିବା ପରେ ଶାସକ ବିଜେଡି ନିଜର ରଣନୀତି ପରିବର୍ତ୍ତନ କରି ୨୦୧୯ ନିର୍ବାଚନରେ ସାଲୁଗା ପ୍ରଧାନଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲା ଏବଂ ସେ ବିଜୟୀ ହୋଇଥିଲା। ୨୦୨୪ ଉଭୟ ଶାସକ ବିଜେଡି ଓ ବିରୋଧୀ କଂଗ୍ରେସ ଦଳ ପାଇଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ। କଂଗ୍ରେସ ଗଡ଼ ରକ୍ଷା ପାଇଁ ଉଦ୍ୟମ କରୁଥିବାବେଳେ ଶାସକ ବିଜେଡି ୨୦୧୯ ବିଜୟର ପୁନରାବୃତ୍ତି କରିବା ଲକ୍ଷ୍ୟରେ ଅଛି। ବର୍ତ୍ତମାନର ଘୁ. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କୁ ଓଡ଼ିଶା ବିଧାନସଭାର ଉପବାଚସ୍ପତି କରାଯାଇଥିବାରୁ ଏହି ବିଧାନସଭା ମଣ୍ଡଳୀର ଗୁରୁତ୍ବ କେବଳ କନ୍ଧମାଳ ଜିଲ୍ଲାରେ କାହିଁକି ସମଗ୍ର ରାଜ୍ୟରେ ବେଶ୍ ବଢ଼ିଯାଇଛି। ୨୦୨୪ ପାଇଁ ବିଜେଡିରେ ଟିକେଟ ଆଶାୟୀଙ୍କ ତାଲିକା ଲମ୍ବିବାରେ ଲାଗିଛି। ଖୋଦ ବିଧାୟକ ସାଲୁଗା ପ୍ରଧାନ ଥିବା ବେଳେ ଘୁ.ଉଦୟଗିରି ବ୍ଲକ ଅଧ୍ୟକ୍ଷା ସୁଷମା ପ୍ରଧାନ, କନ୍ଧମାଳ ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ରୋଦନ ମଲିକ, ମହିଳା ନେତ୍ରୀ ଜାଲିନା ପ୍ରିୟଦର୍ଶିନୀ ଏବଂ ନିରୁପମା ମଲିକଙ୍କ ନାମ ଆଗକୁ ଆସୁଛି। କଂଗ୍ରେସରୁ ଆଶାୟୀ ଭା‌ବେ ଯୁବନେତା ପ୍ରତାପ ପ୍ରଧାନ, ପୂର୍ବତନ ବିଧାୟକ ଜାକବ ପ୍ରଧାନ, ଗତଥର କଂଗ୍ରେସ ବିଧାୟକ ପ୍ରାର୍ଥୀ ଶ୍ୟାମଘନ ପ୍ରଧାନଙ୍କ ନାମ ଆଗରେ ରହିଛି। ଆଗାମୀ ସାଧାରଣ ନିର୍ବାଚନରେ ଉଭୟ ଶାସକ ବିଜେଡି ଓ କଂଗ୍ରେସ ସଂଖ୍ୟାଲଘୁ ସଂପ୍ରଦାୟ ଭୋଟରଙ୍କୁ ଭରସା କରିଥିବା ବେଳେ ବିଜେପି ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ପ୍ରସଙ୍ଗକୁ ପୁଣି ଆୟୁଧ କରି ନିର୍ବାଚନ ରଣାଙ୍ଗନରେ ଉତ୍ତୀର୍ଣ୍ଣ ହେବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।