ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ରାଜ୍ୟରେ ବିଦ୍ୟୁତ୍ ଦର ନିର୍ଧାରଣ କ୍ଷେତ୍ରରେ ଅନ୍ୟ ଯେଉଁ ଅଂଶୀଦାରମାନେ ଭାଗ ନେଉଛନ୍ତି, ସେମାନଙ୍କ ଭୂମିକା ସ୍ପଷ୍ଟ ଭାବେ ବୁଝିହେଉଛି। କିଏ ଉତ୍ପାଦନକାରୀ, କିଏ ସରବରାହ କରୁଛନ୍ତି, କିଏ ଆବଣ୍ଟନକାରୀ କଂପାନି। ଏଥିରେ ଗ୍ରିଡ୍କୋ କେଉଁଠୁ ଆସିଲା? ବିଦ୍ୟୁତ୍ ଦର ଶୁଣାଣିରେ ଗ୍ରିଡ୍କୋର ରାଜସ୍ବ ଆବଶ୍ୟକତା ଦରଖାସ୍ତ ବେଆଇନ ଅଟେ। କାହିଁକି ଓ କାହା ସ୍ବାର୍ଥରେ ଅଂଶୀଦାର ଭାବେ ଗ୍ରିଡ୍କୋର ଦରଖାସ୍ତ ଆୟୋଗ ଶୁଣିବେ? କାହିଁକି ଏହି ସଂସ୍ଥାର ଅପରିଣାମଦର୍ଶୀ କାର୍ଯ୍ୟ ଓ ଆର୍ଥିକ ବୋଝ ଏବଂ କ୍ଷତି ରାଜ୍ୟର ଲକ୍ଷ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତା ମୁଣ୍ଡାଇବେ?
ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ(ଓଇଆର୍ସି) ପକ୍ଷରୁ ଚାଲିଥିବା ବିଦ୍ୟୁତ୍ ଦର ସଂକ୍ରାନ୍ତ ଜନଶୁଣାଣିର ତୃତୀୟ ଦିନରେ ଗ୍ରିଡ଼କୋ ସଂକ୍ରାନ୍ତରେ ଶୁଣାଣିରେ ଭାଗନେଇ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମେତ ଅନ୍ୟ ପ୍ରାୟ ସମସ୍ତ ଆପତ୍ତିକର୍ତ୍ତା(ଅବଜେକ୍ଟର)ମାନେ ଏଭଳି ପ୍ରଶ୍ନବାଣରେ ଓଇଆର୍ସିଙ୍କୁ ଅତିଷ୍ଠ କରି ପକାଇଛନ୍ତି। କେବଳ ସେତିକି ନୁହେଁ, ବିଭିନ୍ନ କ୍ଷେତ୍ରରେ ଗ୍ରିଡ଼୍କୋର ଭୂମିକା ନେଇ ମାଳ ମାଳ ଅଭିଯୋଗ କରାଯାଇଛି। ଗୋଟିଏ ପଟେ ଓଇଆର୍ସିରେ ନିୟମିତ ଅଧ୍ୟକ୍ଷ ନ ଥିବାରୁ ଶୁଣାଣି ପ୍ରକ୍ରିୟାକୁ ସ୍ଥଗିତ ରଖିବା ଲାଗି ଆପତ୍ତିକର୍ତ୍ତା ଦାବି ଦୋହରାଉଥିବା ବେଳେ ଅନ୍ୟପଟେ ଶୁଣାଣି ପ୍ରକ୍ରିୟାରୁ ଗ୍ରିଡ୍କୋକୁ ବାଦ୍ ଦେବା ଦାବି ଜୋର ଧରିବା ପରିପ୍ରେକ୍ଷୀରେ ପୂରା ଶକ୍ତି ବିଭାଗର ଭୂମିକା ଏବେ ବିବାଦକୁ ଚାଲିଆସିଛି।
ଗ୍ରିଡ୍କୋର ରାଜସ୍ବ ଆବଶ୍ୟକତା ଦରଖାସ୍ତ ବେଆଇନ, କାହିଁକି ଶୁଣାଯିବ?
ଆଉ କାହାର ଖର୍ଚ୍ଚ ଓ କ୍ଷତି ଉପଭୋକ୍ତାଙ୍କ ଉପରେ ଲଦାଯିବ କାହିଁକି?
ସରକାର ବଳକା କହୁଥିଲେ, ଏବେ କହିଲେଣି ପିକ୍ରେ ବିଜୁଳି ସଙ୍କଟ
ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗର ଭାରପ୍ରାପ୍ତ ଅଧ୍ୟକ୍ଷ ଗଜେନ୍ଦ୍ର ମହାପାତ୍ର ଏବଂ ସଦସ୍ୟ ସୁଶାନ୍ତ କୁମାର ରାୟ ମହାପାତ୍ର ଆଜି ପୂର୍ବାହ୍ନରେ ଗ୍ରିଡ୍କୋ ଆବେଦନ ଉପରେ ଜନଶୁଣାଣି କରିଥିଲେ। ଆୟୋଗଙ୍କ ଦ୍ବାରା ନିଯୁକ୍ତ ଵାର୍ଲଡ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସଷ୍ଟେନବଲ୍ ଏନର୍ଜି (ଵାଇଜ୍) ପୁନେ ଆବେଦନର ତର୍ଜମା କରିଥିଲେ। ଏହି ଶୁଣାଣିରେ ଭାଗ ନେଇ ଗ୍ରିଡ୍କୋ ଚଳିତବର୍ଷ ତୁଳନାରେ ୟୁନିଟ୍ ପିଛା ୬୮ ପଇସାରୁ ଅଧିକ (ଚଳିତ ବର୍ଷ ୩୧୨.୩୪ ପଇସା ଥିବା ବେଳେ ୨୦୨୩-୨୪ ଲାଗି ୩୮୦.୬୪ ପଇସାକୁ ବୃଦ୍ଧି ପ୍ରସ୍ତାବ ରହିଛି) ଦର ବୃଦ୍ଧି ସପକ୍ଷରେ ଯୁକ୍ତି ରଖିଥିଲା। ସଂସ୍ଥାର ଦାବି ସମୂହକୁ ନେଇ ଆଜି ଜନଶୁଣାଣିରେ ଏକପ୍ରକାର ଝଡ ସୃଷ୍ଟି େହାଇଥିଲା। ଅଧିକାଂଶ ଆପତ୍ତିକର୍ତ୍ତା(ଅବ୍ଜେକ୍ଟର) ଅସନ୍ତୋଷ ଝାଡ଼ିବା ସହିତ ଗ୍ରିଡ୍କୋର ଆବେଦନ, ପ୍ରଦର୍ଶନ, ଓଇଆର୍ସିଙ୍କ ଭୂମିକା ଏବଂ ବଣ୍ଟନ କଂପାନିଙ୍କ ପାରଦର୍ଶିତାକୁ ନେଇ ଗର୍ଜନ ତର୍ଜନ କରିଥିଲେ।
ଶୁଣାଣିରେ ନିଜ ମତ ରଖି ଖଣ୍ଡପଡ଼ା ବିଧାୟକ ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଥିଲେ ଯେ ଓଡ଼ିଶା ବିଦ୍ୟୁତ୍ ଆଇନ, ୨୦୦୩ର ଧାରା ୮୬(୧)(କ)ର ଯେଉଁ ବ୍ୟବସ୍ଥାକୁ ଆୟୁଧ କରି ଗ୍ରିଡ୍କୋକୁ ଆୟୋଗ ବର୍ଷ ପରେ ବର୍ଷ ଶୁଣାଣି ପ୍ରକ୍ରିୟାରେ ସାମିଲ କରି ଆସୁଛନ୍ତି, ସେଥିରେ ଏହି କଂପାନି ବାର୍ଷିକ ରାଜସ୍ବ ଆବଶ୍ୟକତା ସଂକ୍ରାନ୍ତ ପ୍ରସ୍ତାବ ଦେବ; ସେମିତି କିଛି ବି ଉଲ୍ଲେଖ ନାହିଁ। ବାସ୍ତବ କଥା ହେଲା, ଗ୍ରିଡ୍କୋର କାମ କହିଲେ, ଉତ୍ପାଦନକାରୀଙ୍କ ଠାରୁ ବିଦ୍ୟୁତ୍ ଆଣିବ ଏବଂ ବଣ୍ଟନ କଂପାନିଙ୍କୁ ବିକ୍ରି କରିବ। ଏଥିପାଇଁ ଓଇଆର୍ସି ତାଙ୍କୁ ବ୍ୟାବସାୟିକ ଅନୁମତି ପ୍ରଦାନ କରିଛନ୍ତି। ଏଥିରେ କିଛି ଆପତ୍ତି ନାହିଁ। କିନ୍ତୁ ଗ୍ରିଡ୍କୋ ତା’ କମିସନରୁ ନିଜର ଭରଣପୋଷଣ କରିବା ଦରକାର। ତା’ବାଦ୍ ଯଦି ଅଧିକ ଖର୍ଚ୍ଚାନ୍ତ ହେଉଛି ସେ ଖର୍ଚ୍ଚ କାହିଁକି ସାଧାରଣ ଉପଭୋକ୍ତାଙ୍କ ଉପରେ ପଡ଼ିବ? ସରକାର ଯଦି ଗ୍ରିଡ୍କୋକୁ ସାହାଯ୍ୟ ଓ ସହାନୁଭୂତି ଦେବାକୁ ବା ଦେଖାଇବାକୁ ଚାହୁଁଛନ୍ତି, ତାହାହେଲେ ବି ମନା ନାହିଁ। ସେହି କାର୍ଯ୍ୟ ଲାଗି ଅନ୍ୟ କୌଣସି ଅର୍ଥ ବ୍ୟବସ୍ଥା କରନ୍ତୁ। ଗ୍ରିଡ୍କୋ ଏକ ଅଂଶୀଦାର ଭାବେ ଗ୍ରହଣ କରି ତାକୁ ଏଆର୍ଆର କରିବା ପାଇଁ ଅନୁମତି ଦେବା ଆଦୌ ଗ୍ରହଣୀୟ ନୁହେଁ। ଗ୍ରୀଡକୋ ବିଦ୍ୟୁତ୍ ବ୍ୟବସାୟ କରିବା ପାଇଁ କେବଳ କିଛି ଅଳ୍ପ ଅର୍ଥ ବା ମାର୍ଜିନ୍ ପାଇପାରେ।
ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ ଯେ ଗ୍ରିଡ୍କୋ ଯେଉଁଭଳି ଅନାଦେୟ ବିଜୁଳି ଦରକୁ ନିଜ ଉପରକୁ ନେଇ ତା’ଉପରେ ଋଣ କରି ସୁଧ ପରିଶୋଧ କରିବା ସହିତ ଏ ବାବଦ ଅର୍ଥ ଦାବି କରୁଛନ୍ତି, ତାହା ମଧ୍ୟ ଆଦୌ ଯୁକ୍ତିଯୁକ୍ତ ନୁହେଁ। ଏକଥା ଆଦୌ ବୁଝି ହେଉନାହିଁ ଯେ ଗ୍ରାହକମାନେ ଗ୍ରିଡ୍କୋର ଭାରକୁ କାହିଁକି ଗ୍ରହଣ କରିବେ? ପୂର୍ବରୁ ଯେଉଁ କମ୍ପାନି ସବୁ ଥିଲେ ସେମାନଙ୍କର ବକେୟା ଗ୍ରିଡ୍କୋ ଆଦାୟ କରିପାରି ନାହିଁ। ସେଥିପାଇଁ ସରକାର ବିକଳ୍ପ ବ୍ୟବସ୍ଥା କରିବା ଦରକାର। ଏହାବ୍ୟତୀତ ବିଦ୍ୟୁତ୍ କିଣିବା ନେଇ ହେଉଥିବା ରାଜିନାମାକୁ ଦୀର୍ଘ ମିଆଦି ବଦଳରେ ସ୍ବଳ୍ପ ମିଆଦି କରିବା ଲାଗି ଶ୍ରୀ ପଟ୍ଟନାୟକ ପ୍ରସ୍ତାବ ଦେଇଥିଲେ। ସେ କହିଥିଲେ ଯେ ୫ବର୍ଷ ମଧ୍ୟରେ ରାଜ୍ୟର ଅର୍ଥନୀତିରେ ବ୍ୟାପକ ପରିବର୍ତ୍ତନ ଘଟୁଛି। ସେହି ତୁଳନାରେ ୨୫ରୁ ୩୦ ବର୍ଷ ପର୍ଯ୍ୟନ୍ତ ଦୀର୍ଘ ମିଆଦି ରାଜିନାମା ଦ୍ବାରା ଅଧିକ ଚାପ ସୃଷ୍ଟି ହେଉଛି। ଏଥିରେ ଆୟୋଗଙ୍କ ହସ୍ତକ୍ଷେପ ଜରୁରୀ।
ଏହି ଅବସରରେ ବିଶିଷ୍ଟ ଶକ୍ତି ବିଶେଷଜ୍ଞ ରାମପ୍ରସାଦ ମହାପାତ୍ର ଆଜି ପୁଣିଥରେ ଓଇଆର୍ସିର ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ନ ହେବା ପର୍ଯ୍ୟନ୍ତ ଶୁଣାଣି ବନ୍ଦ ରଖିବାକୁ ଦାବି ରଖିଥିଲେ। ଏଥିସହ ଗ୍ରିଡ୍କୋ ପକ୍ଷରୁ ଉପସ୍ଥାପିତ ତଥ୍ୟଗୁଡ଼ିକର ଗୁରୁତ୍ବ ନେଇ ପ୍ରଶ୍ନ ଉଠାଇଥିଲେ। ଉପଭୋକ୍ତା ମହାସଂଘ ସଭାପତି ରମେଶ ଚନ୍ଦ୍ର ଶତପଥୀ ଭାଗନେଇ ଶୁଣାଣିରେ ଗ୍ରିଡ୍କୋ କାହିଁକି ଭାଗ ନେବ ବୋଲି ଆପତ୍ତି ଉଠାଇଥିଲେ। ସେ କହିଥିଲେ, ୨୦୦୭ରେ କୁହାଗଲା ଯେ ୨୦୨୩-୨୪ ସୁଦ୍ଧା ଓଡ଼ିଶାକୁ ୧୦ ହଜାର ମେଗାୱାଟ୍ ବିଜୁଳି ଆବଶ୍ୟକ। ତାହାକୁ ନଜରରେ ରଖି ରାଜ୍ୟ ସରକାର ସେବେ ୨୯ଟି ଶିଳ୍ପ ସଂସ୍ଥା ସହ ରାଜିମାନା ସ୍ବାକ୍ଷର କରିଥିଲେ। ଏଥିରୁ ମାତ୍ର ୩ଟି ଶିଳ୍ପ ସଂସ୍ଥା ଆସିଲେ। ଇତିମଧ୍ୟରେ ୧୬ବର୍ଷ ବିତିଗଲାଣି। କେହି ବି ସ୍ଥିତି ଅନୁଧ୍ୟାନ କରିବେ ନାହିଁ?
ସେହିଭଳି ୨୦୧୫ ସୁଦ୍ଧା ରିଲାଏନ୍ସ ଏନର୍ଜି ୪୯୫୦ କୋଟି କ୍ଷତି କରିଥିଲା। ତାହାକୁ ଆଦାୟ କରିବାରେ ଗ୍ରିଡ୍କୋ କି ପଦକ୍ଷେପ ନେଇଛି, ସେ ଉତ୍ତର ଆଗ ଦେଉ। ତା’ ପରେ ବି ଯେଉଁ ସରକାରୀ ବାବୁମାନେ ଭାଗ ନେଲେ, ସେ ବି କ୍ଷତି ବଢ଼ାଇ ଚାଲିଲେ। ଏହା ୬ ହଜାର କୋଟି ହୋଇଗଲା।ଅତଏବ, ଯିଏ ଯେତେବେଳେ ଆସୁଛନ୍ତି, ସମସ୍ତେ ଉପଭୋକ୍ତାଙ୍କୁ ଠକିବେ? ଶୁଣାଣି ସ୍ଥଗିତ ପ୍ରସଙ୍ଗ ଉଠାଇ ଶ୍ରୀ ଶତପଥୀ ବୈଠକରେ ହେଉଥିବା ଆଲୋଚନା ସରକାରଙ୍କ କାନରେ ପଡ଼ୁଛି କି ନାହିଁ, ତାହା ଜାଣିବାକୁ ଚାହିଁଥିଲେ।
ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର ଭାଗନେଇ କହିଥିଲେ, ବିଦ୍ୟୁତ୍ ଆଇନ ୨୦୦୩ ଅନୁଯାୟୀ ଗ୍ରିଡ୍କୋ ସମୁଦାୟ ରାଜସ୍ବ ଆବଶ୍ୟକତାକୁ ବିଚାର ନ କରି କେବଳ ବିଦ୍ୟୁତ୍ କ୍ରୟ ମୂଲ୍ୟ ଆଧାରରେ ପାଇକାରି ଦର ନିର୍ଦ୍ଧାରଣ କରୁ। ଏହା ଛଡ଼ା ଗ୍ରିଡ୍କୋ ଆୟୋଗଙ୍କ ସମ୍ମୁଖରେ କରିଥିବା ବାକି ସବୁ ନିବେଦନ ଆଇନ ସମ୍ମତ ନୁହେଁ। ଆୟୋଗ ବିଦ୍ୟୁତ୍ ଆଇନ ବାହାରେ କାର୍ଯ୍ୟ କରିପାରିବେ ନାହିଁ। ତେଣୁ ଗ୍ରିଡ୍କୋର ବେଆଇନ ନିବେଦନଗୁଡ଼ିକୁ ବାଦ୍ ଦିଆଯାଉ।
ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ବିଦ୍ୟୁତ୍ ବିଶେଷଜ୍ଞ କମିଟି ଅଧ୍ୟକ୍ଷ ବିଭୁ ଚରଣ ସ୍ବାଇଁ ଭାଗନେଇ କହିଥିଲେ, ଗ୍ରିଡ୍କୋ ଏବେ ଅକ୍ଷୟ ଶକ୍ତି କିଣିବା ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରୁଛି। ୨୦୧୬ରେ ରାଜ୍ୟ ସରକାର ଅକ୍ଷୟ ଶକ୍ତି ନୀତି କରିଥିଲେ। ଯେଉଁଥିରେ ୨୭୫୦ ମେଗାୱାଟ୍ ଉତ୍ପଦନ ଲକ୍ଷ୍ୟ ରଖାଯାଇଥିଲା। ସେଥିମଧ୍ୟରୁ ମାତ୍ର ୫୦୦ ମେଗାୱାଟ୍ ଲକ୍ଷ୍ୟ ପୂରଣ ହୋଇଛି। ଏହି ଲକ୍ଷ୍ୟ ବା ଉଦ୍ଦେଶ୍ୟ ସାଧିତ ହୋଇ ନ ଥିବା ବେଳେ ଏବେ ନୂଆ ଅକ୍ଷୟ ଶକ୍ତି ୨୦୨୨ ଅଣାଯାଇଛି। ଏଥିରେ ଗ୍ରିଡ୍କୋକୁ ନୋଡାଲ ଏଜେନ୍ସି ଭାବେ ଦାୟିତ୍ବ ଦିଆଯାଇଛି। ଗ୍ରିଡ୍କୋ ଯଦି ଯତ୍ନବାନ ହେବ ତାହାହେଲେ ଓଡ଼ିଶାରେ ଅକ୍ଷୟ ଶକ୍ତିର ବିକାଶ ହୋଇପାରିବ। ବାହାରୁ ଚଢ଼ା ଦରରେ ଅକ୍ଷୟ ଶକ୍ତି କିଣି ତାହାକୁ ବିନିଯୋଗ କରିବା ଆଦୌ ଠିକ୍ ନୁହେଁ। ଦିନେ ଓଡ଼ିଶା ବିଦ୍ୟୁତ୍ରେ ବଳକା ରାଜ୍ୟ ଥିଲା। ମାତ୍ର ଗ୍ରିଡ୍କୋ ପକ୍ଷରୁ ଆଜି କୁହାଯାଇଛି ଯେ ପିକ୍ ସମୟରେ ବିଜୁଳି ସଙ୍କଟ ଦେଖାଦେଉଛି। ଯଦି ଏମିତି ଚାଲେ ତେବେ ବଳକା ରାଜ୍ୟ ଆଗାମୀ ଦିନରେ ପଛୁଆ ହୋଇଯିବ ଏଥିରେ ସନ୍ଦେହ ନାହିଁ।
ଓପିଜିସି, ବେଦାନ୍ତ ଲିମିଟେଡ୍, ଟିପିସିଓଡିଏଲ୍, ଟିପିଡବ୍ଲୁଓଡିଏଲ୍, ଟିପିଏନ୍ଓଡିଏଲ୍, ଶକ୍ତି ବିଭାଗର ଅଧିକାରୀମାନେ ଶୁଣାଣିରେ ଭାଗନେଇ ମତ ରଖିଥିଲେ। ଶେଷରେ ଓଇଆର୍ସି ସଦସ୍ୟ ଶ୍ରୀ ରାୟ ମହାପାତ୍ର କହିଥିଲେ, ଗ୍ରିଡ୍କୋ ପକ୍ଷରୁ ଉପସ୍ଥାପିତ ତଥ୍ୟରେ ଗତ ୫ବର୍ଷର ପ୍ରକୃତ ବିଦ୍ୟୁତ୍ ଆବଶ୍ୟକତା ଓ ଖର୍ଚ୍ଚ ବାବଦରେ ଉଲ୍ଲେଖ କରାଯାଇ ନାହିଁ। ଆସନ୍ତା ୧୦ବର୍ଷ ଲାଗି ଓଡ଼ିଶା ପାଇଁ କେତେ ବିଜୁଳି ଆବଶ୍ୟକତା ରହିଛି ଓ ଏବେ କେତେ ଉପଲବ୍ଧ ଅଛି ସେସମ୍ପର୍କରେ ବି ଉଲ୍ଲେଖ କରିବାର ଆବଶ୍ୟକତା ଥିଲା। ସେହିଭଳି ଚଳିତବର୍ଷ ଲାଗି ସର୍ବୋଚ୍ଚ ବିଦ୍ୟୁତ୍ ଚାହିଦା କେତେ ରହିବା ଆବଶ୍ୟକ ସେନେଇ ଉଲ୍ଲେଖ କରିବାକୁ ଶ୍ରୀ ରାୟ ମହାପାତ୍ର ପରାମର୍ଶ ଦେଇଥିଲେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l