ଜଳେଶ୍ବର ୧।୭: ଗୋରୁ ଗାଡି ଡ୍ରାଇଭରଙ୍କ ଭୁଜାଲି ଆକ୍ରମଣରେ ଗାଡ଼ିରୁ ଡ଼େଇଁ ପୋଲିସ କନେଷ୍ଟବଳ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୋଲିସର ତଦନ୍ତ ଜାରି ରହିଛି ।
ସୂଚନାଯୋଗ୍ୟ ଯେ, ବାଲେଶ୍ବ ଜିଲ୍ଲା ୬୦ ନମ୍ବର ଜାତୀୟ ରାଜପଥ ଦେଇ ଗୋରୁ ମାଫିଆଙ୍କ ଦ୍ବାରା ପ୍ରତ୍ୟେକ ଦିନ ଶହ ଶହ ଗୋରୁ ଟ୍ରକ୍ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଛି । ଜିଲ୍ଲା ପୋଲିସ ଏହା ଉପରେ ରୋକ୍ ଲଗାଇବା ପାଇଁ ନାକା ପଏଣ୍ଟ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଅନେକ ସମୟରେ ଗୋରୁ ବୋଝେଇ ଗାଡି ଜବତ ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ । ଗୁରୁବାର ବିଳମ୍ବିତ ରାତିରେ ବସ୍ତା ଥାନା ଧିତପୂରାଠାରେ ଏକ ଟାଟା ଏସିଇ ଗାଡ଼ିରେ ଗୋରୁ ବୋଝେଇ ହୋଇ ଚୋରା ଚାଲାଣ ହେଉଥିବା ଖବର ପାଇ ଅମର୍ଦା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଗୋରୁ ସହ ଟାଟା ଏସିଇ ଗୋରୁ ଗାଡିକୁ ଜବତ କରିଥିଲେ ।
ସେହି ରାତିରେ ଜବତ ଗୋରୁ ଗୁଡ଼ିକୁ ବାଲେଶ୍ବର ଗୋଶାଳାରେ ଛାଡିବା ପାଇଁ ଡ୍ରାଇଭର ଖୋଜିଥିଲେ ମଧ୍ୟ କୌଣସି ଡ୍ରାଇଭର ପାଇ ନଥିଲେ । ଶେଷରେ ସେହି ଗୋରୁ ଗାଡି ଡ୍ରାଇଭର ସାହାଯ୍ୟରେ ଗୋରୁକୁ ଗୋଶାଳାରେ ଛାଡି ଫେରୁଥିବା ବେଳେ ୬୦ ନମ୍ବର ଜାତୀୟ ରାଜପଥ ହଳଦୀପଦାଠାରେ ହଠାତ ଗାଡି ଡ୍ରାଇଭର ସିଟ୍ ତଳୁ ଏକ ଭୁଜାଲି ବାହାର କରି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ଗାଡିରେ ଥିବା କନେଷ୍ଟବଳ ଜୀବନ ବଞ୍ଚାଇବା ପାଇଁ ଗାଡ଼ିରୁ ଡେଇଁ ପଡି ଗୁରୁତର ହୋଇଥିଲେ । ଘଟଣାସ୍ଥଳରୁ ଗୋରୁ ଗାଡି ଡ୍ରାଇଭର ଗାଡି ନେଇ ଫେରାର ହୋଇଯାଇଥିଲେ । ପଛରେ ଥିବା ବସ୍ତା ପୋଲିସ ଗୁରୁତର କନେଷ୍ଟବଳ ରମେଶ ଚନ୍ଦ୍ର ଦାସଙ୍କୁ ଉଦ୍ଧାର କରି ବସ୍ତା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରି ତଦନ୍ତ ଜାରି ରଖିଛି ।