ରାଜ୍ୟ ସ୍ପେଶାଲ ରିପୋର୍ଟ

ଗୋପାଳ ପଣ୍ଡା ଓ ଜଗନ୍ନାଥ ବେହେରା ପାଇଲେ ‘କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’

ଭୁବନେଶ୍ବର : ଏଥର ଓଡ଼ିଶୀ ସଙ୍ଗୀତ ଓ ପାଲାକୁ ମିଳିଛି ସର୍ବୋଚ୍ଚ ସମ୍ମାନ। ୨୦୨୧ ବର୍ଷ ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସର୍ବୋଚ୍ଚ ସମ୍ମାନ ‘କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’ ଗ୍ରହଣ କରିଛନ୍ତି ବିଶିଷ୍ଟ ଓଡ଼ିଶୀ ସଙ୍ଗୀତ ଗୁରୁ ଗୋପାଳ ପଣ୍ଡା। ସେହିଭଳି ୨୦୨୨ ମସିହା ପାଇଁ ଏହି ସମ୍ମାନ ପାଇଛନ୍ତି ବିଶିଷ୍ଟ ପାଲା ଗାୟକ ଜଗନ୍ନାଥ ବେହେରା। ଉଭୟଙ୍କୁ ୫ ଲକ୍ଷ ଟଙ୍କାର ଅର୍ଥରାଶି ସହ ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପକ୍ଷରୁ ଆଜି ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଉଭୟଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏଥିସହ ‘ଏକାଡେମି ପୁରସ୍କାର’ ଓ ନୃତ୍ୟ, ସଙ୍ଗୀତ, ନାଟକ ଓ ଲୋକକଳା କ୍ଷେତ୍ରରେ ଉଲ୍ଲେଖନୀୟ ସାଧନା ନିମନ୍ତେ ପ୍ରଥମ ଥର ପାଇଁ ଯୁବ କଳାକାରଙ୍କୁ ‘କବିଚନ୍ଦ୍ର କାଳିଚରଣ ଯୁବ ପ୍ରତିଭା ସମ୍ମାନ’ ପ୍ରଦାନ କରାଯାଇଛି।

ପୁରସ୍କୃତ ହେଲେ ୪୨ ପ୍ରତିଭା
ଆରମ୍ଭ ହେଲା ‘କବିଚନ୍ଦ୍ର କାଳିଚରଣ ଯୁବ ପ୍ରତିଭା ସମ୍ମାନ’

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କ୍ରମେ ‘ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ ସମ୍ମାନ’ର ନାମ ପରିବର୍ତ୍ତନ କରି ପ୍ରଖ୍ୟାତ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ସ୍ମୃତିରେ ‘ସୁନନ୍ଦା ସମ୍ମାନ’ ପ୍ରଦାନ କରାଯାଇଥିଲା। ୨୦୨୧ ବର୍ଷ ପାଇଁ କଣ୍ଠଶିଳ୍ପୀ ମିତାଲି ଚିନାରାଙ୍କୁ ଓ ୨୦୨୨ ବର୍ଷ ପାଇଁ କଣ୍ଠଶିଳ୍ପୀ ଅନିନ୍ଦିତା ଦାସଙ୍କୁ ୨.୫ ଲକ୍ଷ ଟଙ୍କା ଅର୍ଥରାଶି, ମାନପତ୍ର ଓ ଉପଢୌକନ ସହ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଏଥିସହ ଦୁଇ ବର୍ଷ ନିମନ୍ତେ ବିଭିନ୍ନ କ୍ଷେତ୍ରରୁ ମନୋନୀତ ୧୫ ଜଣ ଲେଖାଏଁ ପ୍ରତିଭାଙ୍କୁ ମଧ୍ୟ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ସହ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା। ଅନ୍ୟପଟେ ଚଳିତ ବର୍ଷ ପ୍ରଥମ ଥର ପାଇଁ ବିଭିନ୍ନ ଯୁବ ପ୍ରତିଭାକୁ ଏକାଡେମି ପକ୍ଷରୁ ସମ୍ବର୍ଦ୍ଧିତ କରାଯିବାକୁ ‘କବିଚନ୍ଦ୍ର କାଳିଚରଣ ଯୁବ ପ୍ରତିଭା ସମ୍ମାନ’ ଆରମ୍ଭ କରାଯାଇଛି। ଆଜି ଉଭୟ ବର୍ଷର ୫ ଜଣ ଲେଖାଏଁ ମୋଟ୍‌ ୧୦ ଜଣ ଆଜି ଯୁବ ପ୍ରତିଭା ପୁରସ୍କାର ଗ୍ରହଣ କରିଛନ୍ତି। ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କାର ନଗଦ ଅର୍ଥରାଶି ପ୍ରଦାନ କରାଯାଇଛି।

ଆଜିର କାର୍ଯ୍ୟକ୍ରମରେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ ପାତ୍ର, ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ, ନିର୍ଦ୍ଦେଶକ ରଞ୍ଜନ ଦାସ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସଭାପତି ଅରୁଣା ମହାନ୍ତି, ଉପସଭାପତି ମନ୍ମଥ ଶତପଥୀ ଓ ସଚିବ ପ୍ରବୋଧ ରଥ ପ୍ରମୁଖ ଉପସ୍ଥିତ ଥିଲେ। ମୃତ୍ୟଞ୍ଜୟ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

କାହାକୁ ଡରୁଛି ସଂସ୍କୃତି ବିଭାଗ? ଘୋଷଣା ହେଲାନି, ସିଧା ପୁରସ୍କାର ଦିଆଗଲା
ପ୍ରତିବର୍ଷ ଏକାଡେମିର ଯେକୌଣସି ପୁରସ୍କାର ଦିଆଯିବା ପୂର୍ବରୁ ଏକାଡେମି ପକ୍ଷରୁ ବିଧିବଦ୍ଧ ଘୋଷଣା ହୁଏ। ଏକ ସାମ୍ବାଦିକ ସମ୍ମିଳନୀ ଡାକି ପୁରସ୍କୃତ ହେବାକୁ ଥିବା ପ୍ରତିଭାଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରାଯାଏ। ଏହାପରେ ଏକ ବର୍ଣ୍ଣାଢ଼୍ୟ ସମାରୋହରେ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଏ। କିନ୍ତୁ ଚଳିତ ବର୍ଷ ସେଭଳି କିଛି ହେଲା ନାହିଁ। ଗତ ୧୭ ତାରିଖ ଦିନ ଅପରାହ୍ନରେ ଏକାଡେମି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ‌ଆୟୋଜନ ହେଉଛି ବୋଲି ଗଣମାଧ୍ୟମକୁ ନିମନ୍ତ୍ରଣ କରାଗଲା। କିନ୍ତୁ ସେହିଦିନ ହିଁ ପୂର୍ବାହ୍ନ ସାଢ଼େ ୧୧ଟାରେ ସାମ୍ବାଦିକ ସମ୍ମିଳନୀକୁ ବାତିଲ କରାଗଲା। ପୁରସ୍କାର ଘୋଷଣା ବି ହେଲା ନାହିଁ। ଏନେଇ କୌଣସି ସ୍ପଷ୍ଟତା ବି କାହାକୁ ଦିଆଗଲାନାହିଁ। ଏନେଇ କଳାକାରମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିବା ବେଳେ ପୁରସ୍କାର ଚୟନ‌ରେ ସ୍ପଷ୍ଟତା ରହୁନଥିବା ଚର୍ଚ୍ଚା ହେଉଛି। ଏଥିସହ ସଂସ୍କୃତି ବିଭାଗର ପ୍ରତିଟି ପୁରସ୍କା‌ର‌ରେ କାହିଁକି କେଁ ରହୁଛି ଓ କାହା ଭୟରେ ଏକାଡେମି ଓ ସଂସ୍କୃତି ବିଭାଗ ପୁରସ୍କାର ଘୋଷଣା କଲା ନାହିଁ ଏବେ ସାଧାରଣରେ ତା‌ହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସାହିତ୍ୟ ଏକା‌ଡେମିକୁ ହସ୍ତାନ୍ତର ହେଲା ‘ସାରଦା ପ୍ରସନ୍ନ ସମ୍ମାନ’
ସ୍ବର୍ଗତ ସାରଦା ପ୍ରସନ୍ନଙ୍କ ସ୍ମୃତିରେ ‘ଗୀତିକବିତା ସମ୍ମାନ’କୁ ‘ସାରଦା ପ୍ରସନ୍ନ ସମ୍ମାନ’ ଭାବେ ନାମିତ କରାଯାଇଥିଲା। ୨୦୧୯ ଓ ୨୦୨୦ ମସିହା ନିମନ୍ତେ ଗତବର୍ଷ ପ୍ରଥମ ଥର ପାଇଁ ଏହି ପୁରସ୍କାର ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପକ୍ଷରୁ ପ୍ରଦାନ କରାଯାଇଥିଲା। ୨୦୧୯ ମସିହା ପାଇଁ ସମ୍ବଲପୁରର ବିନୋଦ କୁମାର ପଶାୟତ ଓ ୨୦୨୦ ମସିହା ପାଇଁ ଅଲେଖ ପଢ଼ିଆରୀ ଏହା ଗ୍ରହଣ କରିଥିଲେ। ପୁରସ୍କାର ବାବଦକୁ ଉଭୟଙ୍କୁ ୨.୫ ଲକ୍ଷ ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା। ତେବେ ୨୦୨୧ ମସିହାଠାରୁ ଏହି ପୁରସ୍କାର ଓଡ଼ିଶା ସାହିତ୍ୟ ଏକାଡେମି ପ୍ରଦାନ କରିବ। କବିତା ଏକ ପ୍ରଦର୍ଶନ କଳା ହୋଇନଥିବାରୁ ସଙ୍ଗୀତ ନାଟକ ଏକା‌ଡେମି ଏହାକୁ ସାହିତ୍ୟ ଏକାଡେମିକୁ ହସ୍ତାନ୍ତର କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।