ଅହମ୍ମଦାବାଦ,୦୯/୦୫: ଗୋଶାଳାରେ କୋଭିଡ୍ ସେଣ୍ଟର । ଆକ୍ରାନ୍ତଙ୍କୁ ଦିଆଯାଉଛି ଦୁଗ୍ଧ ଓ ଗୋମୁତ୍ରରୁ ତିଆରି ଔଷଧ । ଗୁଜୁରାଟର ଏପରି ଏକ ଚିତ୍ର ସାମ୍ନାକୁ ଆସିଛି । ଏଠାରେ କରୋନାରେ ପୀଡିତ ସେହି ରୋଗୀଙ୍କ ଚିକିତ୍ସା କରାଯାଉଛି, ଯେଉଁମାନଙ୍କଠାରେ ସାମାନ୍ୟ ଲକ୍ଷଣ ରହିଥାଏ । ଏହି ସେଣ୍ଟରର ନାଁ ଦିଆଯାଇଛି ବେଦାଲକ୍ଷଣ ପଞ୍ଚଗତ୍ୱ ଆୟୁର୍ବେଦ କୋଭିଡ୍ ଆଇସୋଲେସନ ସେଣ୍ଟର । ଏବେ ଏଠାରେ ୭ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି ।
ଏକ ଜାତୀୟ ଇଂରାଜୀ ଖବର କାଗଜ ସହ ଆଲୋଚନା କରି ଗୋଶାଳାର କୋଷଧ୍ୟକ୍ଷ ମୋହନ ଯାଦବ କହିଛନ୍ତି ଯେ, କରୋନା ପଜିଟିଭ୍ ଆସିଥିବା ରୋଗୀଙ୍କୁ ଏଠାକୁ ଅଣାଯାଉଛି । ଏହାକୁ ମେ ୫ ତାରିଖରେ ଆରମ୍ଭ କରାଯାଇଥିଲା । ଦିସା ତାଲୁକା ଗ୍ରାମର ୭ ଆକ୍ରାନ୍ତଙ୍କୁ ଏଠାରେ ଭର୍ତ୍ତି କରାଯାଇଛି । ୮ଟି ଆୟୁର୍ବେଦିକ ଔଷଧରେ ଆକ୍ରାନ୍ତଙ୍କୁ ଚିକିତ୍ସା କରାଯାଉଛି । ଏହାକୁ କ୍ଷୀର ଓ ଗୋମୁତ୍ରରୁ ପ୍ରସ୍ତୁତ କରାଯାଇଛି ।
ସେ ଆହୁରି କହିଛନ୍ତି ଯେ, ଯେଉଁ ଆକ୍ରାନ୍ତଙ୍କଠାରେ ସାମାନ୍ୟ ଲକ୍ଷଣ ରହିଛି ସେମାନଙ୍କୁ ଏଠାରେ ଚିକିତ୍ସା କରାଯାଉଛି । ସେମାନେ ଗୋତୀର୍ଥର ଉପଯୋଗ କରୁଛନ୍ତି । ଯାହା ବିଭିନ୍ନ ଚେରମୂଳି ଓ ଗୋମୁତ୍ରରୁ ପ୍ରସ୍ତୁତ ହୋଇଛି । ଏକ ଚବନପ୍ରାସ୍ ମଧ୍ୟ ରହିଛି ଯାହା ଗୋଦୁଗ୍ଧରୁ ପ୍ରସ୍ତୁତ । ଏହା ବ୍ୟତୀତ ଏମବିବିଏସ ଡାକ୍ତରଙ୍କର ମଧ୍ୟ ପରାମର୍ଶ ନିଆଯାଉଥିବା ସେ କହିଛନ୍ତି ।
ସୂଚନାଯୋଗ୍ୟ, ଗୁଜୁରାଟରେ ୧୦ ହଜାରରୁ ଅଧିକ କୋଭିଡ୍ ସେଣ୍ଟର ଥିବା ବେଳେ ୧ ଲକ୍ଷ ୨୦ ହଜାର ବେଡ୍ ରହିଛି ।