ନୂଆଦିଲ୍ଲୀ ୨୧/୦୭: ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଏବେ ଖରାପ ଫର୍ମ ଦେଇ ଗତି କରୁଛନ୍ତି । ତାଙ୍କ ବ୍ୟାଟରୁ ଆଗଭଳି ଆଉ ବଡ ସ୍କୋର ବାହାରୁନି । ସହଜରେ ଆଉଟ ମଧ୍ୟ ହୋଇଯାଉଛନ୍ତି ରନ୍ ମେସିନ୍ । ଏଥିପାଇଁ ତାଙ୍କୁ ଅନେକ ବରିଷ୍ଠ ଖେଳାଳି ସମାଲୋଚନା କରୁଛନ୍ତି । ତେବେ ବିରାଟଙ୍କ ପାଇଁ ବାହାରିଛନ୍ତି ପାକିସ୍ତାନୀ କ୍ରିକେଟର କମରାନ ଆକମଲ୍ ।
ଆକମଲ କହିଛନ୍ତି ଯେ, ଗୋଟିଏ କିମ୍ବା ଦୁଇଟି ମ୍ୟାଚ୍ ଖେଳିଥିବା ପ୍ଲେୟାର ବି କୋହଲିଙ୍କୁ ଟାର୍ଗେଟ୍ କରୁଛନ୍ତି । ଏହା ଦେଖିବା ପରେ ହସ ଲାଗୁଛି । ବିରାଟ ଜଣେ ଭିନ୍ନ ଖେଳାଳି । ସମସ୍ତେ ଏପରି ଖରାପ ଫର୍ମ ଦେଇ ଗତି କରିଥାନ୍ତି । କିଛି ଖେଳାଳିଙ୍କ ପାଇଁ ଏପରି କମ୍ ସମୟ ରହିଥାଏ । ଆଉ କେହି ଦୀର୍ଘ ଦିନ ଧରି ଖରାପ ଫର୍ମ ଦେଇ ଗତି କରିଥାନ୍ତି । ତେବେ ବିରାଟଙ୍କୁ କେବଳ ଗୋଟିଏ ବଡ ପାଳିର ଆବଶ୍ୟକତା ରହିଛି । କୋହଲିଙ୍କ ଆତ୍ମବିଶ୍ୱାସ ଓ ଖେଳ ଆଗକୁ ଜାରି ରଖିବାକୁ ଜିଦ୍ ସବୁଠୁ ଗୁରୁତ୍ୱପୂର୍ଣ୍ଣ ।
ପୂର୍ବତନ ପାକିସ୍ତାନୀ ଖେଳାଳି ଆହୁରି କହିଛନ୍ତି ଯେ, କୋହଲି ୭୦ ଶତକ ଲଗାଇଛନ୍ତି । ଏତେ ଶତକ ଲଗାଇବା ଖେଳାଳି କେବେ ଅନ୍ୟ କାହାର ସମାଲୋଚନା ଶୁଣିବା ଦରକାର ନାହିଁ । ସବୁ ଠିକ୍ ହୋଇଯିବ । କେବଳ ମସ୍ତିସ୍କକୁ ପଜିଟିଭ୍ ରଖିବାକୁ ହେବ । ଅତୀତରେ ଯାହା କିଛି ଭଲ ହୋଇଛି ତାହା ଭାବିବା ଦରକାର । ଅନେକ ପ୍ରତିକ୍ରିୟା ଆସିବ । କିନ୍ତୁ ଧ୍ୟାନ ଓ ଏକାଗ୍ରତା ବଜାତ ରଖିବା ଜରୁରୀ ବୋଲି କମରାନ୍ କହିଛନ୍ତି ।
ସୂଚନାଯୋଗ୍ୟ, କମରାନ ପାକିସ୍ତାନ ପାଇଁ ୫୩ଟି ଟେଷ୍ଟ୍ ଖେଳିଛନ୍ତି । ଏହାସହ ସେ ୧୫୭ ଦିନିକିଆ ଓ ୫୮ ଟି୨୦ ଖେଳିଛନ୍ତି । ପାକିସ୍ତାନକୁ ଅନେକ ସିରିଜ ବିଜୟୀ କରିବାରେ ତାଙ୍କର ମୁଖ୍ୟ ଭୂମିକା ରହିଥିଲା ।