ଭୁବନେଶ୍ୱର ୧୦/୦୨ : ହିନ୍ଦୁ ଧର୍ମରେ ମାଘ ମାସର ଅନେକ ମହତ୍ତ୍ୱ ରହିଛି। ମାଘ ମାସ ପବିତ୍ର ମାସ ମଧ୍ୟରୁ ଗୋଟିଏ। ମାଘ ମାସରେ ଅନେକ ପର୍ବ ପର୍ବାଣି ପଡେ। ସେଥିପାଇଁ ମାଘ ମାସକୁ ଶୁଭ ବୋଲି କୁହାଯାଏ। ପୌରାଣିକ କଥା ଅନୁସାରେ, ମାଘ ମାସରେ ହିଁ ଦ୍ୱାପର ଯୁଗ ଆରମ୍ଭ ହୋଇଥିଲା। ମାଘ ମାସରେ ମୌନି ଅମାବାସ୍ୟା ପଡେ। ଏଥର ମୌନି ଅମାବାସ୍ୟା ଫେବୃଆରୀ ୧୧ ତାରିଖ ଗୁରୁବାର ଦିନ ପଡୁଛି। ମୌନି ଅମାବାସ୍ୟା ସହ ଅନେକ ବିଶ୍ୱାସ ଓ ପରମ୍ପରା ଜଡିତ। ମୌନି ଅମାବାସ୍ୟା ଅନେକ ସମସ୍ୟା ଦୂର କରିଥାଏ ଓ ସଫଳତା ଦେଇଥାଏ ବୋଲି ବିଶ୍ୱାସ ରହିଛି। ଏହି ଦିନ ମୌନ ରହିବାର ପରମ୍ପରା ମଧ୍ୟ ରହିଛି।
ମୌନି ଅମାବାସ୍ୟାରେ ଦାନ ଧର୍ମର ମଧ୍ୟ ମହତ୍ତ୍ୱ ରହିଛି। ଏହି ଦିନ ରାଶି, ରାଶି ଲଡୁ, ରାଶି ତେଲ, ଅଁଳା, ବସ୍ତ୍ର, ଦର୍ପଣ, ସ୍ଵର୍ଣ ତଥା କ୍ଷୀର ଦେଉଥିବା ଗାଈ ଆଦି ଦାନ କରାଯାଇଥାଏ। ଏହାସହ ଶୀତବସ୍ତ୍ର ମଧ୍ୟ ଦାନ କରାଯାଇଥାଏ। ଏହି ଦାନ କଲେ ବିଶେଷ ଫଳ ମିଳିଥାଏ ବୋଲି କୁହାଯାଏ।
ଏହି ଦିନ ମୌନ ଧାରଣ କରାଯାଏ। ଶାସ୍ତ୍ରରେ କୁହାଯାଇଛି ଯେ ମୌନି ଅମାବାସ୍ୟା ଦିନ ମୌନ ଧାରଣ କଲେ ବିଶେଷ ଶକ୍ତି ମିଳିଥାଏ। ଏହି ପବିତ୍ର ଗଙ୍ଗା ସ୍ନାନର ମଧ୍ୟ ଅନେକ ମହତ୍ତ୍ୱ ରହିଛି। ଗଙ୍ଗା ସ୍ନାନ ଦ୍ୱାରା ଭୌତିକ, ଦୈହିକ ଓ ଦୈବିକ ୩ ପ୍ରକାର ପାପରୁ ମୁକ୍ତି ମିଳିଥାଏ। କୌଣସି କାରଣରୁ ଗଙ୍ଗା ନଦୀରେ ସ୍ନାନ କରିନପାରିଲେ ଯେକୌଣସି ପବିତ୍ର ନଦୀରେ ସ୍ନାନ କରିପାରିବେ।
ଶୁଭ ମୁହୂର୍ତ୍ତ – ହିନ୍ଦୁ ପାଞ୍ଜି ଅନୁସାରେ ମୌନି ଅମାବାସ୍ୟା ଆସନ୍ତାକାଲି, ଗୁରୁବାର ୦୧:୧୦:୪୮ ରୁ ଆରମ୍ଭ ହେବ ଓ ଶୁକ୍ରବାର ୦୦:୩୭:୧୨ ଯାଏଁ ରହିବ।