ସଂକ୍ରମଣ ହାର ଦୃଷ୍ଟିରୁ ପ୍ରଥମ ଲହର ତୁଳନାରେ ଦ୍ବିତୀୟ ଲହରର ଭୟାବହତା ଅଧିକ ରହୁଛି। କିନ୍ତୁ ଏହା ଯେ କେବଳ ମଧୁମେହ, ଉଚ୍ଚ ରକ୍ତଚାପ, ବୟସ୍କ ଅଥବା ବିଭିନ୍ନ ଗୁରୁତର ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଅଧିକ ପ୍ରଭାବିତ କରୁଛି, ତାହା ଭାବିବା ଭୁଲ। ଏହା ସବୁ ବର୍ଗକୁ ସଂକ୍ରମିତ କରୁଛି। ବୟସ୍କଙ୍କ ତୁଳନାରେ ଯୁବବର୍ଗ ଓ କମ୍ ବୟସର ବ୍ୟକ୍ତି, ଏପରିକି ଶିଶୁଙ୍କୁ ଏହା ଅଧିକ ସଂକ୍ରମିତ କରୁଛି। ଚଳିତ ବର୍ଷ ସଂକ୍ରମଣ ଅତି ଗୁରୁତର ହୋଇ ସଂକ୍ରମିତଙ୍କୁ ଆଇସିୟୁ ଓ ଭେଣ୍ଟିଲେଟରର ଆବଶ୍ୟକତା ମଧ୍ୟ ଅଧିକ ଦରକାର ପଡୁଛି।
ଏହାର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ କେବଳ ସଚେତନତା ଓ ସତର୍କତା ଜରୁରୀ। ଏ ସଂପର୍କରେ ମତ ରଖନ୍ତି ଅଶ୍ବିନୀ ଲଙ୍ଗ୍ସ ଇନଷ୍ଟିଚ୍ୟୁଟର ବିଶିଷ୍ଟ ପଲୁମୋନୋଲୋଜିଷ୍ଟ୍ ଡାକ୍ତର ସଂପତ ଦାସ।
୧: ଏପରି ପରିବର୍ତ୍ତନର କାରଣ କଣ?
କରୋନା ଭାଇରସ୍ ନିଜକୁ ପରିବର୍ତ୍ତନ କରି ନୂତନ ମ୍ୟୁଟେନ୍ ହେଉଛି। ଯାହାଫଳରେ ଏହା ପୂର୍ବ ସଂକ୍ରମଣ ଅପେକ୍ଷା ୬ଗୁଣ ଅଧିକ ସଂକ୍ରମିତ କରୁଛି। ଏହାର ଭୟାବହତା ଅଧିକ ରହିବା ସହ ତାହା ସିଧାସଳଖ ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ପ୍ରଭାବିତ କରୁଛି।
୨: କେଉଁ ପରିସ୍ଥିତିରେ ସଂକ୍ରମଣ ଆଶଙ୍କା ଅଧିକ?
କରୋନାର ପ୍ରକୋପ ସବୁବେଳେ ସିଧାସଳଖ ଭାଇରସ୍ର ପରିମାଣ(ଲୋଡ) ଉପରେ ନିର୍ଭର କରୁଛି। ଯଦି ମାସ୍କ ନ ପିନ୍ଧି କୌଣସି ରୋଗୀ ପାଖରେ ୬ ଫୁଟ ଭିତରେ ୧୫ ମିନିଟ୍ ବା ତା’ଠାରୁ ଅଧିକ ସମୟ କଥାବାର୍ତ୍ତା କରୁଛେ ତାହେଲେ ସଂକ୍ରମଣ ବା ଭାଇରସ୍ ଆପଣଙ୍କୁ ଛୁଇଁବ। କେବଳ ସେତିକି ନୁହେଁ ସଂକ୍ରମିତଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ହେବାର ଯଥେଷ୍ଟ ଅଧିକ ଆଶଙ୍କା ରହିଥାଏ।
୩: କିଏ ଗୁରୁତର ହେବା ଆଶଙ୍କା ଅଧିକ?
କରୋନା କାହାକୁ କେତେ ଗୁରୁତର କରିବ ତାକୁ କେହି ପୂର୍ବାନୁମାନ କରିପାରିବେ ନାହିଁ। କାରଣ କରୋନାର ନିଜ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଏହାର ଚିକିତ୍ସା ଦିଗରେ ଏକ ବଡ ଅବଦାନ। ଯଦି ଆପଣଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଓ ଏହା କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଯଥେଷ୍ଟ ନୁହେଁ ତାହେଲେ ଆପଣ ବୟସ କମ୍ ଥିଲେ ସୁଦ୍ଧା କରୋନା ଦ୍ବାରା ଅଧିକ ସଂକ୍ରମିତ ହୋଇ ଗୁରୁତର ହୋଇ ପାରନ୍ତି।
୪: ଏସବୁରୁ କିପରି ବଂଚିବା?
ବୟସ କମ୍ ଥିଲେ ବି ହେଳା କରନ୍ତୁନି। ବାହାରେ ଥିବା ବେଳେ ମୁହଁରୁ ଆଦୌ ମାସ୍କ ଖୋଲନ୍ତୁନି।
୫: ଟିକାର ପ୍ରଭାବ କେତେ?
ଦୁଇଟି ଡୋଜ୍ ଟିକା ନେଇଥିଲେ ଯେ ଆପଣ କରୋନା ଆକ୍ରାନ୍ତ ହେବେ ନାହିଁ ତାହା ଭାବିବା ଭୁଲ। କିନ୍ତୁ ଆପଣଙ୍କଠାରେ କରୋନା ସଂକ୍ରମଣର ଭୟାବହତା କମ୍ ହୋଇପାରେ। ସମସ୍ତେ ଭାବିବା ଦରକାର ଯେ, କରୋନାର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ। ତେଣୁ କିପରି ନିଜେ ସଂକ୍ରମିତ ନହେବେ ସେକଥା ବିଚାର କରିବାର ସମୟ ଆସିଛି। ସରକାର ଜାରି କରିଥିବା କୋଭିଡ୍ ଗାଇଡ୍ ଲାଇନ୍ ମାନି ଚଳନ୍ତୁ। ନିଜକୁ ଗହଳି ସ୍ଥାନଠାରୁ ଦୂରରେ ରଖନ୍ତୁ। ସବୁଠାରୁ ବଡ କଥା ହେଉଛି ସର୍ତକତା ଓ ନିଜକୁ ସୁରକ୍ଷିତ ରଖିବା ବର୍ତ୍ତମାନ ସମୟର ଏକ ବଡ ଆହ୍ବାନ।