ସୋର ୨୨।୬: ଗାଁ ଦାଣ୍ଡରେ ବୁଲିଲା ଭୁଜାଲି ଓ ରଡ଼ । ଜମିଜମା ବିବାଦ ଉଗ୍ରରୂପ ନେବା ସହ ରଡ଼ ଓ ଭୁଜାଲି ଆକ୍ରମଣରେ ଶିଶୁ ସମେତ ୪ ଗୁରୁତର ହୋଇଛନ୍ତି । ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଓହଡ଼ ଗ୍ରାମରେ ଘଟିଛି ଏଭଳି ଘଟଣା ।
ସୂଚନାଯୋଗ୍ୟ ଯେ, ଓହଡ଼ ଗାଁର ଗୌରାଙ୍ଗ ଦାସ ଓ ହରେକୃଷ୍ଣ ଦାସ ଦୁଇ ଭାଇଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଜମିଜମା ବିବାଦ ଲାଗି ରହିଥିଲା । ମଙ୍ଗଳବାର ବିଳମ୍ବିତ ରାତିରେ ଏହି ବିବାଦ ଉଗ୍ର ରୂପ ଧାରଣ କରିଥିଲା । ଏହି ବିବାଦକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ପରେ ଠେଲାପେଲା ହୋଇଥିଲା । ତାପରେ ଗୌରାଙ୍ଗ ଦାସ ଓ ତାଙ୍କ ପୁଅ ପ୍ରଶାନ୍ତ ଦାସ ରଡ଼ ଓ ଭୁଜାଲି ସାହାଯ୍ୟରେ ହରେକୃଷ୍ଣ ଦାସଙ୍କ ପରିବାରକୁ ଆକ୍ରମଣ କରିଥିଲେ । ଆକ୍ରମଣରେ ୪ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ୧୨ବର୍ଷର ନାବାଳକ ଅଛନ୍ତି । ଆକ୍ରମଣ ବେଳେ ଛଡାଇବାକୁ ଯାଇଥିବା ଉକ୍ତ ଗ୍ରାମର ରଘୁନାଥ ମଣ୍ଡଳ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି । ସମସ୍ତଙ୍କୁ ପ୍ରଥମେ ଖଇରା ପରେ ସୋର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ବାଲେଶ୍ଵର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।