ରାଜ୍ୟ

ଗାଁରେ ଆତଙ୍କ ଖେଳାଇଲେ ଭାଲୁ ଓ ଶିଆଳ: ଯାହାକୁ ଦେଖିଲେ କାମୁଡ଼ିଲେ, ୮ କ୍ଷତାକ୍ତ

ଭଦ୍ରକ/ତିହିଡ଼ି/ନୀଳଗିରି: ଗାଁ ଭିତରକୁ ପଶି ଆସିଲେ ଭାଲୁ ଓ ଶିଆଳ। ଯାହାକୁ ଦେଖିଲେ ଗୋଡ଼େଇ କାମୁଡ଼ିଲେ। ପିଲାଠୁ ବୁଢ଼ା ସମସ୍ତଙ୍କ ମଧ୍ୟରେ ଆତଙ୍କ। ଘରେ ଘରେ ତାଟିକବାଟ ପଡ଼ିଗଲା। ଏମିତିକି ଜୀବନ ବଞ୍ଚାଇବାକୁ ଯାଇ କିଛି ଲୋକ ପାଣିକୁ ଡେଇଁ ପଡ଼ିଥିବା ଖବର ମିଳିଛି। ବନ୍ୟଜନ୍ତୁ ଆକ୍ରମଣରେ ଭଦ୍ରକର ତିହିଡ଼ି ଓ ବାଲେଶ୍ବର ନୀଳଗିରିରେ ୮ ଜଣ କ୍ଷତବିକ୍ଷତ ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତିହିଡ଼ି ବ୍ଲକ୍‌ ଶ୍ୟାମସୁନ୍ଦରପୁର ପଞ୍ଚାୟତ ତଳଦୁମୁକା ଗାଁର କମଳାକାନ୍ତ ନାୟକ (୪୮) ଗାଁ ମୁଣ୍ଡକୁ ଶୌଚ ହେବାକୁ ଯାଇଥିବା ବେଳେ ହଠାତ ଏକ ଶିଆଳ ତାଙ୍କୁ ଆକ୍ରମଣ କରିଥିଲା। ତାଙ୍କ ଗୋଡ଼ ହାତକୁ କାମୁଡି ଖଣ୍ଡିଆଖାବରା କରିବା ସହ ମାଂସ ପୁଳାଏ କାଢ଼ି ନେଇଥିଲା। ସେହିପରି ଗ୍ରାମର ଉମାମଣି ବାରିକ (୬୫), ବିଶ୍ବନାଥ ମଲିକ (୪୫), ଜୟନ୍ତୀ ମଲିକ (୩୫), ଧନ ଖିଲାର (୨୫), ଧନୁ ମଲିକ (୮) ବିଲୁଆ ଆକ୍ରମଣରେ ଆହତ ହୋଇଥିବା ବେଳେ ଗାଁର ଅନେକ ଗୋରୁଗାଈ, ଛେଳି କ୍ଷତାକ୍ତ ହୋଇଛନ୍ତି।

ଅନୁରୂପ ଭାବେ ବୁଧବାର ସକାଳେ ନୀଳଗିରି ବ୍ଲକ୍‌ ବାଉଁଶବଣିଆ ପଞ୍ଚାୟତର ଟଣକା ଓ ବାଉଁଶବଣିଆ ଗାଁରେ ଆତଙ୍କ ଖେଳାଇଥିଲା ଏକ ବଣୁଆ ଭାଲୁ। ଟଣକା ଗାଁର ଲକ୍ଷ୍ମୀଧର ନାୟକ ପୂର୍ବାହ୍ନ ପ୍ରାୟ ୯ଟା ସମୟରେ ନିଜ ବାଡ଼ିକୁ ଦାନ୍ତକାଠି ଆଣିବାକୁ ଯାଇଥିବା ବେଳେ ଧାନଖଳାରେ ଭାଲୁଟି ଶୋଇଥିବା ଦେଖି ହାଉଳି ଛାଡ଼ିଥିଲେ। ଜୀବନ ବଞ୍ଚାଇବା ପାଇଁ ବାଡ଼ିରେ ଥିବା ନଡ଼ାଗଦାରେ ସେ ଲୁଚି ଯାଇଥିଲେ। ହେଲେ ଭାଲୁଟି ଲକ୍ଷ୍ମୀଧରଙ୍କ ଉପରେ ଝାମ୍ପ ମାରି ତାଙ୍କ ବାମ ଗୋଡ଼କୁ ଝୁଣି ଦେଇଥିଲା। ଲକ୍ଷ୍ମୀଧରଙ୍କ ଚିତ୍କାର ଶୁଣି ଗାଁ ଲୋକେ ଧାଇଁ ଆସିବାରୁ ଭାଲୁଟି ସେଠାରୁ ଦୌଡ଼ି ପଳାଇ କେଉଁଠି ଛପି ଯାଇଥିଲା। କିଛି ସମୟ ପରେ ଭାଲୁଟି ବାଉଁଶବଣିଆ ଗାଁରେ ପଶି ଲୋକଙ୍କୁ ଗୋଡ଼ାଇଥିଲା। ଗାଁର ଶିବଶଙ୍କର ସିଂ ଘରକୁ ଯାଉଥିବା ବେଳେ ଭାଲୁ ପଛପଟୁ ଆସି ତାଙ୍କୁ ନଖରେ ବିଦାରିବାକୁ ଚେଷ୍ଟା କରିଥିଲା। ତେବେ ଆହତ ହେବା ସତ୍ତ୍ବେ ଭାଗ୍ୟ ଜୋର୍‌ ଯୋଗୁଁ ଶିବଶଙ୍କର ଅଳ୍ପକେ ରକ୍ଷା ପାଇଯାଇଥିଲେ। ଉଭୟ ଗାଁର ଏକାଧିକ ଲୋକ ଭାଲୁ ଭୟରେ ଏଣେତେଣେ ଦୌଡ଼ି ଖଣ୍ଡିଆଖାବରା ହୋଇଥିବା ବେଳେ କେତେକ ଜୀବନ ବିକଳରେ ପୋଖରୀକୁ ଡେଇଁ ପଡ଼ିଥିଲେ। ସେପଟେ ବଉଳଗଡ଼ିଆ ଆର୍‌ଡି ରାସ୍ତା ଉପରେ ଭାଲୁ ଦୌଡ଼ିବା ଦେଖି ଗାଡ଼ିମଟର ସବୁ ଅଟକି ରହିଥିଲା।

ଭାଲୁ ଘଉଡାଇବାକୁ ପାଖାପାଖି ୩ ଘଣ୍ଟା ଯାଏ ନାକେଦମ୍ ହୋଇଥି​ଲା ବନ ବିଭାଗ। ବିଭାଗୀୟ କର୍ମଚାରୀ ଝାଳବୁହା ପରିଶ୍ରମ କରି ବହୁକଷ୍ଟରେ ଭାଲୁକୁ ଦେବଗିରି ଜଙ୍ଗଲକୁ ଘଉଡ଼ାଇବାରେ ସକ୍ଷମ ହୋଇଥିଲେ। ତେବେ ବନ ବିଭାଗର ସ୍ଥାଣୁତା ଯୋଗୁଁ ଜଙ୍ଗଲରୁ ଭାଲୁ, ବାର୍‌ହା, ଶିଆଳ, ହାତୀ ବାରମ୍ବାର ଗାଁରେ ପଶୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗୁରୁତର ଲକ୍ଷ୍ମୀଧରଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।