ଅପରାଧ ଦେଶ ବିଦେଶ

ଗରମ ପାଇଁ ୭ ଜଣରେ ଜଣେ ଅସୁସ୍ଥ: ଅସୁସ୍ଥତାର କାରଣ ବିଜୁଳି ଓ ଶୀତଳତାର ଅଭାବ

ବାଥିଣ୍ଡା/ନୂଆଦିଲ୍ଲୀ: ଦିନକୁ ଦିନ ପୃଥିବୀର ତାପମାତ୍ରା ବଢ଼ୁଛି। ଅନ୍ୟପକ୍ଷରେ ଦାରିଦ୍ର୍ୟ ମଧ୍ୟରେ ବାସ କରୁଥିବା ଲୋକମାନେ ଶରୀରକୁ ଥଣ୍ଡା ରଖିବା ପାଇଁ ଆବଶ୍ୟକ ଉପକରଣ କିମ୍ବା ନିରନ୍ତର ବିଜୁଳି ଯୋଗାଣର ସୁବିଧା ପାଉନାହାନ୍ତି। ଏଥିପାଇଁ ବିଶ୍ବରେ ପ୍ରତି ୭ ଜଣରେ ଜଣଙ୍କ ଜୀବନ ପ୍ରତି ସ୍ବାସ୍ଥ୍ୟଜନିତ ବିପଦ ରହିଛି। ବିଶ୍ବରେ ୧୨୦ କୋଟି ଲୋକ ଏଭଳି ଭୟଙ୍କର ବିପଦର ସମ୍ମୁଖୀନ ହେଉଛନ୍ତି। ରୁଆଣ୍ଡାର କିଗାଲି ଠାରେ ଗ୍ଲୋବାଲ ଏନର୍ଜି ଫୋରମରେ ଉନ୍ମୋଚିତ ‘ସଷ୍ଟେନବେଲ୍ ଏନର୍ଜି ଫର୍‌ ଅଲ୍‌’ ଆନୁଆଲ ରିପୋର୍ଟ ଚିଲିଂ ପ୍ରସପେକ୍ଟସ: ଟ୍ରାକିଂ ସଷ୍ଟେନେବଲ୍ କୁଲିଂ ଫର ଅଲ୍‌ ୨୦୨୨ ଉନ୍ମୋଚନ ଅବସରରେ ଏଭଳି ତଥ୍ୟ ପଦାକୁ ଆସିଛି।

ଅତ୍ୟଧିକ ତାପମାତ୍ରା ଯୋଗୁ ସମାଜରେ ଆର୍ଥିକ ଦୁର୍ବଳ ବର୍ଗର ଲୋକଙ୍କ ପ୍ରତି ଅଧିକ ବିପଦ ସୃଷ୍ଟି ହୋଇଛି। କାରଣ ବିଭିନ୍ନ ପ୍ରକାର କୁଲିଂ ସାମଗ୍ରୀ ସେମାନଙ୍କ ହାତପାଆନ୍ତାରେ ରହୁନାହିଁ। କୁଲିଂ ସୁବିଧା ଯୋଗାଣ ନେଇ ଯଦି ନିରନ୍ତର ବିକାଶ ଲକ୍ଷ୍ୟକୁ ହାସଲ କରାନଯିବ ତାହେଲେ ଲୋକଙ୍କ ଜୀବନ ପ୍ରତି ବିପଦ ଅଧିକ ରହିବ। ବିଶ୍ବର ୭୬ଟି ଦେଶରେ କୁଲିଂ ସୁବିଧା ପାଇବା ନେଇ ରହିଥିବା ସମସ୍ୟାକୁ ଉକ୍ତ ରିପୋର୍ଟରେ ଅନୁଧ୍ୟାନ କରାଯାଇଛି। ବିଶ୍ବରେ ୧୨୦ କୋଟି ଲୋକଙ୍କ ପାଖରେ କୁଲିଂ ସୁବିଧା ନଥିବାରୁ ଅଧିକ ତାପମାତ୍ରାରେ ବଞ୍ଚିରହିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। କେବଳ ସେତିକି ନୁହେଁ, ପୁଷ୍ଟିକର ଖାଦ୍ୟ ସାଇତି ରଖିବା ଏବଂ ନିରାପଦରେ ଟିକା ନେବା ସମସ୍ୟା ସୃଷ୍ଟି ହୋଇଛି। ବର୍ତ୍ତମାନର ଧାରା ଅବ୍ୟାହତ ରହିଲେ ଆହୁରି ଅଧିକ ଲୋକ ଚଳିତ ଦଶନ୍ଧି ଶେଷବେଳକୁ ଅସୁବିଧାରେ ରହିଥିବେ। କିନ୍ତୁ ସମସ୍ତଙ୍କୁ ବିଜୁଳି ସୁବିଧା ଉପଲବ୍ଧ ହେଲେ ଏବଂ ଉତ୍କଟ ଦାରିଦ୍ର୍ୟ ହ୍ରାସ ପାଇଲେ ଜୀବନ ପ୍ରତି ଅଧିକ ବିପଦ ଥିବା ଲୋକଙ୍କ ସଂଖ୍ୟା ୩୬ ପ୍ରତିଶତ ବା ୪୫ କୋଟିରୁ ଅଧିକ ହ୍ରାସ ପାଇବ।
ବିଶ୍ବର କୋଟି କୋଟି ଲୋକଙ୍କ ପାଇଁ ଏହି ରିପୋର୍ଟ ଚିନ୍ତା ଉଦ୍ରେକକାରୀ ବିଷୟ ହୋଇଛି। ତାପମାତ୍ରା ଯେତେବେଳେ ଗ୍ରୀଷ୍ଣଲହରୀ ସ୍ତରକୁ ଯାଉଛି ସେତେବେଳେ ଲୋକଙ୍କ ଦୈନନ୍ଦିନ କାର୍ଯ୍ୟ ବନ୍ଦ ‌ରହିପାରିବ ନାହିଁ। ଯେଉଁମାନେ ଦାରିଦ୍ର୍ୟ ସୀମାରଖୋ ତଳେ ବଞ୍ଚୁଛନ୍ତି କିମ୍ବା ଯେଉଁମାନଙ୍କ ନିକଟରେ ସୁଲଭ ଏବଂ ନିରନ୍ତର ଶକ୍ତି ପହଞ୍ଚି ପାରୁନାହିଁ କୁଲିଂ ଉତ୍ପାଦ ବିନା ସେହି ପରିବେଶ ସହିତ ଖାପ ଖୁଆଇ ଚଳିବା କଷ୍ଟକର ହୋଇପଡ଼ିଛି।

୨୦୧୪ରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଆକଳନ କରାଯାଇଥିଲା ଯେ ଗ୍ରୀଷ୍ଣଲହରି ଯୋଗୁ ବିଶ୍ବରେ ବର୍ଷକୁ ୧୨ ହଜାର ଲୋକଙ୍କ ଜୀବନ ଯିବ। କିନ୍ତୁ ୮ ବର୍ଷ ପରେ ଏହି ସମସ୍ୟା ବହୁଗୁଣିତ ହୋଇଥିବା ଦେଖାଦେଉଛି। ଲାନସେଟର ଏକ ନୂଆ ରିପୋର୍ଟରୁ ଜଣାଯାଇଛି ଯେ ଅତ୍ୟଧିକ ଗରମ ଯୋଗୁ ୨୦୧୯ରେ କେବଳ ୩,୫୬,୦୦୦ ଲୋକଙ୍କ ମୃତ୍ୟୁ ହୋଇଛି। ସମସ୍ୟାର ସମାଧାନ ପାଇଁ ପ୍ରତ୍ୟେକ ଆଗେଇ ଆସିବା ଉଚିତ ବୋଲି ଜାତିସଂଘ ପରିବେଶ କାର୍ଯ୍ୟକ୍ରମ (ୟୁଏନଇପି)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଇଙ୍ଗର ଆଣ୍ଡରସନ କହିଛନ୍ତି। ପ୍ରାକୃତିକ ସମାଧାନ ଯଥା ଗଛ ଲଗାଇବା ଏବଂ ପ୍ରଯୁକ୍ତିଭିତ୍ତିକ ସମାଧାନ ଯଥା ସୁଲଭ ମୂଲ୍ୟର ଏବଂ ଅଧିକ ଦକ୍ଷ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର, ଉତ୍ତମ ଡିଜାଇନରେ ପ୍ରସ୍ତୁତ କୋଠା ଆଦି ଉପରେ ଗୁରୁତ୍ବାରୋପ କରାଯାଇଛି।

ଭାରତ ଏବଂ ପାକିସ୍ତାନରେ ତାପମାତ୍ରା ୫୦ ଡିଗ୍ରିର ନିକଟତର ହେବାକୁ ବସିଥିବାବେଳେ ବ୍ୟାପକ ବିଜୁଳି କାଟ ହେଉଛି। ଲୋକେ ଅତ୍ୟଧିକ ଦାରିଦ୍ର୍ୟ ମଧ୍ୟରେ ବାସ କରୁଥିବାରୁ ଶୀତଳତା ପ୍ରଦାନ କରୁଥିବା ବିଭିନ୍ନ ସରଞ୍ଜାମ ସେମାନଙ୍କ ନିକଟରେ ନାହିଁ। ଏଥିସହିତ ବିଶ୍ବରେ ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକମାନେ ଅଧିକରୁ ଅଧିକ ଗରିବ ହେବାରେ ଲାଗିଛନ୍ତି। ଭାରତର ମୋଟ ଲୋକସଂଖ୍ୟାରୁ ୩୬ ପ୍ରତିଶତ ହେଉଛନ୍ତି ଗ୍ରାମାଞ୍ଚଳର ଗରିବ ଲୋକ। ଯଦିଓ ସେମାନଙ୍କ ନିକଟରେ ପାଖାପାଖି ୧୦୦ ପ୍ରତିଶତ ବିଜୁଳି ପହଞ୍ଚ ରହିଛି କିନ୍ତୁ ଶୀତଳତା ପ୍ରଦାନକାରୀ ଉପାଦାନ ନାହିଁ। ଭାରତର ୧୪୦ କୋଟି ଲୋକରେ ମାତ୍ର ୧୬.୨ କୋଟି ରେଫ୍ରିଜରେଟର ରହିଛି ବୋଲି କୁହାଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ