ଭୁବନେଶ୍ବର: ଓଡ଼ିଆ ସିନେଜଗତର ପ୍ରଖ୍ୟାତ ସଂଗୀତକାର ଯୋଡ଼ି ଭୁବନ-ହରି ( ପଣ୍ଡିତ ଭୁବନେଶ୍ବର ମିଶ୍ର ଓ ପଣ୍ଡିତ ହରିପ୍ରସାଦ ଚୌରାସିଆ) ବେଶ କେତୋଟି ଓଡ଼ିଆ ଛବିରେ ସଙ୍ଗୀତ ନିର୍ଦେଶନା ଦେଇଛନ୍ତି। ଏହି ଫିଲ୍ମ ମଧ୍ୟରେ ରହିଛି ‘ସମୟ’, ‘ଗପ ହେଲେ ବି ସତ’, ‘ଅନୁରାଗ’ ଓ ‘ମା ଓ ମମତା’ ଆଦି। ଆଉ ଏ ସବୁ ଚଳଚିତ୍ରର ଗୀତ ସେ ସମୟରେ ସୁପରହିଟ୍ ହୋଇଛି। ଖ୍ୟାତନାମା ବେହେଲା ବାଦକ ପଣ୍ଡିତ ଭୁବନେଶ୍ବର ମିଶ୍ର ଓ ପ୍ରସିଦ୍ଧ ବଂଶୀବାଦକ ହରି ପ୍ରସାଦ ଚୌରାସିଆଙ୍କ ଯୋଡ଼ି ଓଡ଼ିଆ ଶ୍ରୋତାଙ୍କୁ ବହୁ ଚିରସବୁଜ ଗୀତ ଉପହାର ଦେଇଛନ୍ତି।
୧୯୭୭ରେ ମୁକ୍ତିଲାଭ କରିଥିବା ‘ଗପ ହେଲେ ବି ସତ’ର ଚିରସବୁଜ ଗୀତ ‘ମୁଁ ଯେ ଜାଣେ ନା କାହା ବାଟ…’ର ସ୍ବର ସଂଯୋଜନା ସମୟରେ ସଂଗୀତକାର ଯୋଡ଼ି ଭୁବନେଶ୍ବର ମିଶ୍ର ଓ ହରି ପ୍ରସାଦ ଚୌରାସିଆ ସ୍ବର ସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ନେବା ଲାଗି ଇଚ୍ଛା ପ୍ରକାଶ କରିଥିଲେ। ଏଥିପାଇଁ ‘ଗପ ହେଲେ ବି ସତ’ର ପ୍ରଯୋଜକ ସୁବିମଳ ମଲ୍ଲିକ ଓ ନିର୍ଦେଶକ ନଗେନ୍ ରାୟ ମଧ୍ୟ ଆଗ୍ରହ ସହମତ ହୋଇଥିଲେ। କାରଣ ଲତାଙ୍କ ଭଳି ଗାୟିକା ଓଡ଼ିଆ ଫିଲ୍ମ ଲାଗି ଗୀତ ଗାଇବା ଖୁବ୍ ବଡ଼ କଥା ଥିଲା। ଏହାପରେ ଭୁବନ-ହରି ଲତା ମଙ୍ଗେସକରଙ୍କ ସହ ଯୋଗାଯୋଗ କରିଥିଲେ। ଉଭୟେ ଆକାଶବାଣୀ ସହ ଜଡ଼ିତ ଥିବା ହେତୁ ଲତାଜୀଙ୍କ ସହ ଦୁହିଁଙ୍କର ପରିଚୟ ଥିଲା। ‘ମୁଁ ଯେ ଜାଣେ ନା କାହା ବାଟ…’ଗୀତରେ କଣ୍ଠଦାନ କରିବାକୁ ରାଜି ହୋଇଥିଲେ ଲତା ମଙ୍ଗେସକର। ମାତ୍ର ଶେଷ ମୁହୂର୍ତ୍ତରେ ବ୍ୟସ୍ତତା କାରଣରୁ ଲତାଜୀ ରେକର୍ଡିଂକୁ ଲାଗି ଆସିପାରି ନଥିଲେ। ଅବଶେଷରେ ଗୀତଟିକୁ ବମ୍ବେରେ ସୁମନ କଲ୍ୟାଣପୁରଙ୍କ କଣ୍ଠରେ ରେକର୍ଡିଂ କରାଯାଇଥିଲା।
ଇତି ମଧ୍ୟରେ ହରିପ୍ରସାଦ ବମ୍ବେକୁ ନିଜର କର୍ମକ୍ଷେତ୍ର ରୂପେ ବାଛିଲେ। ବମ୍ବେ ଯିବା ପରେ ସେ ବିଶିଷ୍ଟ ସନ୍ତୁର ବାଦକ ପଣ୍ଡିତ ଶିବ କୁମାର ଶର୍ମାଙ୍କ ସହ ମିଶି ‘ଶିବ-ହରି’ ନାମରେ ହିନ୍ଦୀ ସିନେମା ସଂଗୀତ କ୍ଷେତ୍ରରେ ପ୍ରବେଶ କଲେ। ‘ଗପ ହେଲେ ବି ସତ’ର ପ୍ରାୟ ଚାରି ବର୍ଷ ପରେ ହରି ପ୍ରସାଦ ଚୌରାସିଆ(ଶିବ୍-ହରି ଫେମ୍) ୧୯୮୧ରେ ମୁକ୍ତିଲାଭ କରିଥିବା ୟଶ୍ ଚୋପ୍ରାଙ୍କ ବହୁଚର୍ଚ୍ଚିତ ହିନ୍ଦୀ ସିନେମା ‘ସିଲସିଲା’ର ସଂଗୀତ ନିର୍ଦ୍ଦେଶନାର ଦାୟିତ୍ବ ପାଇଲେ। ‘ସିଲସିଲା’ରେ ଲତା ମଙ୍ଗେସକରଙ୍କୁ କଣ୍ଠଶିଳ୍ପୀ ଭାବେ ପାଇ ଗୀତ ରେକର୍ଡିଂ କରିବାରେ ସଫଳ ହୋଇଥିଲେ ହରିପ୍ରସାଦ। ଏହି ସିନେମାରେ ଲତା ଗାଇଥିବା ‘ନୀଲା ଆସମାଁ…. ’ ଓ ‘ଦେଖା ଏକ ଖ୍ବାବ୍…’ ଭଳି ଚମତ୍କାର ରୋମାଣ୍ଟିକ୍ ଗୀତରେ କଣ୍ଠଦାନ କରିଥିଲେ। ଏହାପରେ ଶିବ-ହରି ‘ଫାସଲେ’, ‘ବିଜୟ’, ‘ଚାନ୍ଦନୀ’, ‘ଲମହେ’, ‘ପରମ୍ପରା’, ‘ସାହିବ୍’ ଏବଂ ‘ଡର୍’ ଆଦି ସୁପରହିଟ୍ ହିନ୍ଦୀ ସିନେମାରେ ମଧ୍ୟ ଲତା ମଙ୍ଗେସକରଙ୍କ କଣ୍ଠରେ ବହୁ ଲୋକପ୍ରିୟ ଗୀତ ରେକର୍ଡ କରାଇଥିଲେ।