ରାଜ୍ୟ ସ୍ପେଶାଲ ରିପୋର୍ଟ

ଗଣଶିକ୍ଷା ବିଭାଗକୁ ଘାରିଲା ମାଟ୍ରିକ୍‌ ପିଲାଙ୍କ ଚିନ୍ତା: ତେଲଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ, ଦିନକୁ ୧୦ରୁ ୧୪ ଘଣ୍ଟା ପଢ଼ନ୍ତୁ

ଭୁବନେଶ୍ବର: ମାଟ୍ରିକ୍‌ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀ ଦୈନିକ ୧୦ରୁ ୧୪ ଘଣ୍ଟା ପଢ଼ିବା ସହ ୬ରୁ ୭ ଘଣ୍ଟା ଶୁଅନ୍ତୁ। ବାକି ସମୟ ଅନ୍ୟାନ୍ୟ କାର୍ଯ୍ୟରେ ଲଗାନ୍ତୁ। ରାତି ୧୦ଟାରୁ ଭୋର ୪ଟା କିମ୍ବା ରାତି ୧୧ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଶୋଇବେ। ଉଠିବା ପରେ ଯୋଗ ବ୍ୟାୟାମ କରିବା ଦ୍ବାରା ମନ ଫୁର୍ତ୍ତି ଓ ଏକାଗ୍ରତା ବଢ଼ିଥାଏ। ପରୀକ୍ଷା ସମୟରେ ବାହାର ତେଲଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ଶରୀର ଭାରି ଲାଗି ନିଦ ଲାଗିବ। ତେଣୁ ସବୁବେଳେ ସନ୍ତୁଳିତ ଓ ସୁଷମ ଖାଦ୍ୟ ଗ୍ରହଣ କରିବେ। ଦିନକୁ ୬ରୁ ୮ ଗ୍ଲାସ ଉଷୁମ ପାଣି ପିଇବା ଦ୍ବାରା ଖାଇଥିବା ଖାଦ୍ୟ ସହଜରେ ହଜମ ହୋଇଯିବ। ଦିନକୁ ୫ଟି ଅଧିବେଶନରେ ବିଭକ୍ତ କରି ପଢ଼ିବେ। ଶୋଇବା ପୂର୍ବରୁ ଗରମ କ୍ଷୀର କିମ୍ବା ନଖ ଉଷୁମ ଲେମ୍ବୁପାଣି ପିଇଲେ ଭଲ ନିଦ ହେବ। ଫଳରେ ପରଦିନ ମନ ଫୁର୍ତ୍ତି ରହିବା ସହ ପଢ଼ିବାକୁ ଆଗ୍ରହ ଆସିବ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ୨୦୨୪ ବୋର୍ଡ ପରୀକ୍ଷା ପୂର୍ବରୁ ଗଣଶିକ୍ଷା ବିଭାଗ ପକ୍ଷରୁ ଦଶମ ଛାତ୍ରଛାତ୍ରୀଙ୍କୁ ଏଭଳି ଉପଦେଶ ଦିଆଯାଇଛି।

ADVERTISEMENT

ପରୀକ୍ଷା ସମୟରେ ଛାତ୍ରଛାତ୍ରୀ କିଭଳି ଉପାୟ ଅବଲମ୍ବନ କରିବେ ସେନେଇ ବି କୁହାଯାଇଛି। ଦେଖାଯାଉଛି ଯେ ଅନେକ ପରୀକ୍ଷାର୍ଥୀ ପରୀକ୍ଷାରେ ଦିଆଯାଇଥିବା ସମୟର ଠିକ୍‌ ଭାବେ ପରିଚାଳନା କରନ୍ତି ନାହିଁ ଏବଂ ସମୟ ଅଭାବରୁ କିଛି ପ୍ରଶ୍ନ ଛାଡ଼ି ଦେଇଥାନ୍ତି। ଏହାଦ୍ବାରା ସେମାନେ ଆଶାନୁରୂପ ନମ୍ବର ରଖିପାରନ୍ତି ନାହିଁ। ତେଣୁ ପରୀକ୍ଷା ଦେବା ବେଳେ ସମୟକୁ ଦୃଷ୍ଟିରେ ରଖିବେ। ପ୍ରଶ୍ନ ଯେତେ ସହଜ ହୋଇଥାଉ ନା କାହିଁକି ମାର୍କ ଅନୁସାରେ ଉତ୍ତର ଲେଖିବେ। ଉତ୍ତର ଲେଖିବା ସମୟରେ ପ୍ରଶ୍ନରେ ଯାହା ପଚରାଯାଇଛି ସେତିକି କେବଳ ଉତ୍ତର ଦେବେ। ଉତ୍ତର ଖାତା ସବୁବେଳେ ପରିଷ୍କାର ରଖିବା ସହ ମାର୍ଜିନ ରଖିବା, ଅକ୍ଷର ଛାଡ଼ି ଛାଡ଼ି ଲେଖିବା, ଖାତାରେ କଟାକଟି ନ କରିବା, ଧାଡ଼ି ମଧ୍ୟରେ ବ୍ୟବଧାନ ରଖିବାକୁ ପ୍ରାଥମିକତା ଦେବେ। ଯଦି କାହାର ଅକ୍ଷର ଦେଖିବାକୁ ଖରାପ ତାହା ହେଲେ ଆଜିଠାରୁ ସେ ହସ୍ତାକ୍ଷର ଲେଖିବା ଆରମ୍ଭ କରିବାକୁ ବିଭାଗ ପରାମର୍ଶ ଦେଇଛି।

ଅନ୍ୟପକ୍ଷରେ ରାଜ୍ୟର ସମସ୍ତ ହାଇସ୍କୁଲ ଯେପରି ‘ଜିରୋ ଏଫ୍‌ ମିସନ’ ତଥା ଶତ ପ୍ରତିଶତ ଫଳ କରିବେ ଏବଂ ସ୍କୁଲର ୫% ପିଲା ଏ-୧ ଗ୍ରେଡ୍‌ ହାସଲ କରନ୍ତି ସେଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି। ଖୋର୍ଦ୍ଧା ଜିଲ୍ଲାରେ ଆରମ୍ଭ ହୋଇଥିବା ‘ସୁନିଶ୍ଚିତ’ କାର୍ଯ୍ୟକ୍ରମକୁ ସମସ୍ତ ଜିଲ୍ଲାରେ ଲାଗୁ କରିବାକୁ ଓସେପା ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କୁହାଯାଇଛି। ଯଦି ବ୍ଲକର କୌଣସି ବିଦ୍ୟାଳୟର ଶତ ପ୍ରତିଶତ ଫଳ ନ କରନ୍ତି ତାହା ହେଲେ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ), ଏବିଇଓ, ପ୍ରଧାନ ଶିକ୍ଷକ, ସିଆରସିସି, ବିଷୟଭିତ୍ତିକ ଶିକ୍ଷକ, ମେଣ୍ଟର ଶିକ୍ଷକ ଉତ୍ତରଦାୟୀ ରହିବେ। ଅବହେଳା ପ୍ରଦର୍ଶନ କରୁଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ। ଜିଲ୍ଲାରେ ଶତ ପ୍ରତିଶତ ପରୀକ୍ଷା ଫଳ ସହ ସର୍ବାଧିକ ଏ-୧ ଗ୍ରେଡ୍‌ ହାସଲ କରିଥିବା ୩ଟି ହାଇସ୍କୁଲକୁ ପୁରସ୍କୃତ କରାଯିବ।

ପରୀକ୍ଷା ଫଳ ଯେପରି ଭଲ ହେବ ସେଥିପାଇଁ ଆସନ୍ତା ୪ ତାରିଖରେ ରାଜ୍ୟର ସମସ୍ତ ହାଇସ୍କୁଲରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ସହ ସ୍କୁଲ କର୍ତ୍ତୃପକ୍ଷ ଆଲୋଚନା କରିବେ। କାର୍ଯ୍ୟକ୍ରମ ସମ୍ପର୍କରେ ବ୍ୟାନର କିମ୍ବା ବ୍ୟାକ୍‌ଗ୍ରାଉଣ୍ଡରେ ବଡ଼ ବଡ଼ ଅକ୍ଷରରେ ଲେଖିବେ। ଫଟୋରେ ତାହା ‌ଯେପରି ରିଫ୍ଲେକ୍ଟ ହେବ ସେଥିପ୍ରତି ଦୃଷ୍ଟି ଦେବେ। ସୁବିଧା ଅନୁସାରେ ପ୍ରଧାନ ଶିକ୍ଷକ ଦିଆଯାଇଥିବା ବିଷୟବସ୍ତୁ ଉପରେ ଆଲୋଚନା କରିବା ସହ ଆବଶ୍ୟକ ପଡ଼ିଲେ ପିଲା ସଂଖ୍ୟାକୁ ଦୃଷ୍ଟିରେ ରଖି ଦୁଇ ଦଳରେ ବିଭକ୍ତ କରି ଆଲୋଚନା କରିବେ। ଅଭିଜ୍ଞ ଶିକ୍ଷକ/ଶିକ୍ଷୟିତ୍ରୀ ଆଲୋଚନା ଦାୟିତ୍ବ ନେବେ। ଶିକ୍ଷକଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଉପାୟଗୁଡ଼ିକୁ ପ୍ରଧାନଶିକ୍ଷକ ଅନ୍ୟ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିବେ। ଏଥିରେ ପରୀକ୍ଷା ସମୟରେ ପିଲାଙ୍କୁ ଚାପ ମୁକ୍ତ ରଖିବାକୁ ପରାମର୍ଶ ଦିଆଯିବ। ସକରାତ୍ମକ ଭାବନା, ପୁଙ୍ଖାନୁପୁଙ୍ଖ ଭାବେ ପଢ଼ି ନମୁନା ପ୍ରଶ୍ନପତ୍ରର ସାହାଯ୍ୟ ନେବା, ପଢ଼ିବା ସମୟରେ ପ୍ରତି ଅଧିବେଶନ ପରେ ବିରତି ନେବା, ସୁଷମ ଖାଦ୍ୟ ଖାଇବା ସହ ବିଶ୍ରାମ ନେବା, ଘର ଲୋକଙ୍କ ସହ ବାର୍ତ୍ତାଳାପ, ଭଲ ମାର୍କ ରଖିବା, ଯୋଗ ଅଭ୍ୟାସ, ମୋବାଇଲ୍‌ର ସଦୁପଯୋଗ ଆଦି ସମ୍ପର୍କରେ ପରାମର୍ଶ ଦିଆଯିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।